ଆଡିଲେଡ୍: ଲଢ଼ୁଆ ବ୍ୟାଟିଂ ସତ୍ତ୍ବେ ବିଶୃଙ୍ଖଳିତ ବୋଲିଂ ହିଁ ଭାରତକୁ ଆଡିଲେଡ୍ ହିଡ଼ ଅତିକ୍ରମ ହେବାକୁ ଦେଲା ନାହିଁ। ଭାରତର ଆଉ ଏକ ବିଶ୍ବକପ୍ ଅଭିଯାନ ମଧ୍ୟ ବିନା ଟ୍ରଫିରେ ଶେଷ ହୋଇଯାଇଛି। ଏପରିକି ଟ୍ରଫି ଟକ୍କର ପୂର୍ବରୁ ରୋହିତ ଶର୍ମାଙ୍କ ଦଳକୁ ଅଶ୍ରୁଳ ବିଦାୟ ନେବାକୁ ପଡ଼ିଛି। ଆଡିଲେଡ୍ରେ ଗୁରୁବାର ଖେଳାଯାଇଥିବା ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍ର ଦ୍ବିତୀୟ ସେମିଫାଇନାଲ୍ରେ ୧୪୦ କୋଟିର ଦେଶ ଭାରତୀୟ ପ୍ରଶଂସକଙ୍କୁ ହୃଦୟ ବିଦାରକ ଫଳ ମିଳିଥିଲା। ଦିନିକିଆ ବିଶ୍ବକପ୍ ବିଜେତା ଇଂଲଣ୍ଡ ୧୦ ୱିକେଟ୍ରେ ଭାରତକୁ ଅତି ଶୋଚନୀୟ ଭାବେ ପରାସ୍ତ କରି ଫାଇନାଲ୍ରେ ସ୍ଥାନ ପକ୍କା କରି ନେଇଛି। ୧୯୯୨ ଦିନିକିଆ ବିଶ୍ବକପ୍ ଭଳି ଏଥର ଟ୍ବେଣ୍ଟି-୨୦ ବିଶ୍ବକପ୍ର ଫାଇନାଲ୍ରେ ମଧ୍ୟ ଦୁଇ ସମାନ ପ୍ରତିଦ୍ବନ୍ଦ୍ବୀ ଇଂଲଣ୍ଡ ଓ ପାକିସ୍ତାନ ମୁକାବିଲା କରିବେ। ବୁଧବାର ପାକିସ୍ତାନ ୭ ୱିକେଟ୍ରେ ନ୍ୟୁଜିଲାଣ୍ଡ୍କୁ ପରାସ୍ତ କରି ଫାଇନାଲ୍ ପହଞ୍ଚିସାରିଛି। ରବିବାର ମେଲ୍ବର୍ଣ୍ଣ ପଡ଼ିଆରେ ଏହି ଗ୍ରାଣ୍ଡ୍ ଫାଇନାଲ୍ ମ୍ୟାଚ୍ ଖେଳାଯିବ।
ଆଡିଲେଡ୍ କ୍ରିକେଟ୍ ଷ୍ଟାଡିୟମ୍ରେ ଗୁରୁବାର ଭାରତ ଟସ୍ ବି ହାରିଥିଲା। ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରିତ ହୋଇ ଦୁଇ ପ୍ରାରମ୍ଭିକ ବ୍ୟାଟର୍ କେଏଲ୍ ରାହୁଲ୍ ଓ ରୋହିତ ଶର୍ମାଙ୍କଠାରୁ ଭଲ ଆରମ୍ଭ ବି ପାଇନଥିଲା। ଫଳରେ ପାୱାର ପ୍ଲେ ୬ ଓଭର ଭିତରେ ଦଳ ମାତ୍ର ୩୮ ରନ୍ କରି ସଂଘର୍ଷ କରିଥିଲା। ରାହୁଲ ୫ ବଲ୍ରୁ ୫ ରନ୍ କରି ୱିକେଟ୍ ପଛପଟକୁ କ୍ୟାଚ୍ ଦେଇ ଫେରିଥିଲେ। ରୋହିତ ଶର୍ମା ୨୮ ବଲ୍ରୁ ୨୭ ରନ୍ କରି ଚଳିତ ବିଶ୍ବକପ୍ରେ ପ୍ରଥମ ମ୍ୟାଚ୍ ଖେଳିଥିବା କ୍ରିସ୍ ଜୋର୍ଡାନଙ୍କ ପ୍ରଥମ ଶିକାର ହୋଇଥିଲେ। ଫର୍ମରେ ଥିବା ସୂର୍ଯ୍ୟକୁମାର ଯାଦବ (୧୦ ବଲ୍ରୁ ୧୪ ରନ୍) ଏଥର ସ୍ପିନର୍ ଆଦିଲ ରସିଦ୍ଙ୍କ ଜାଲରେ ଫସିଯାଇଥିଲେ। ଏହି ସମୟରେ ପାକିସ୍ତାନ ବିପକ୍ଷ ମ୍ୟାଚ୍ ଭଳି ଏକାଠି ହୋଇ ବିରାଟ କୋହଲି ଓ ହାର୍ଦିକ ପାଣ୍ଡ୍ୟା ପାଳି ସମ୍ଭାଳିବା ସହ ରନ୍ ଗତି ବଢ଼ାଇଥିଲେ। ପରିସ୍ଥିତି ଅନୁସାରେ କୋହଲି ଅପେକ୍ଷାକୃତ ମନ୍ଥର ଖେଳିଥିଲେ ମଧ୍ୟ ପାଣ୍ଡ୍ୟାଙ୍କ ଜଲୱା ଭାରତକୁ ୬୧ ରନ୍ର ଭାଗୀଦାରି ଦେଇଥିଲା। ମଧ୍ୟ ଓଭରଗୁଡ଼ିକ ମୁକାବିଲା କରିବା ପରେ ଉଭୟ ଆକ୍ରମଣାତ୍ମକ ଖେଳି ଶେଷ ୫ ଓଭରରୁ ୬୮ ରନ୍ ଆଦାୟ କରିଥିଲେ। ଏହା ମଧ୍ୟରେ ପାଣ୍ଡ୍ୟାଙ୍କ ୫ ଛକା ଓ ୪ ଚୌକା ଅତି ଦର୍ଶନୀୟ ଥିଲା। ୩୩ ବଲରୁ ୬୩ ରନ୍ ସଂଗ୍ରହ କରି ଏହି ୧ ନମ୍ବର ଭାରତୀୟ ଅଲରାଉଣ୍ଡର୍ ଶେଷ ବଲ୍କୁ ବାଉଣ୍ଡରି ପାର୍ କରିଥିଲେ ମଧ୍ୟ ହିଟ୍ ୱିକେଟ୍ ହୋଇଯାଇଥିଲେ। କୋହଲିଙ୍କ ୪୦ ବଲ୍ରୁ ୫୦ ରନ୍ ତାଙ୍କ ଆଡିଲେଡ୍ ଲଭ୍ର ଅନ୍ୟତମ ଛାପ ଛାଡ଼ିଯାଇଥିଲା। ଆହତ ମାର୍କ ଉଡ୍ଙ୍କ ବଦଳରେ ଆସିଥିବା ଡେଥ୍ ଓଭର ସ୍ପେସାଲିଷ୍ଟ୍ କ୍ରିସ୍ ଜୋର୍ଡାନ ତାଙ୍କ ୪ ଓଭରରେ ସର୍ବାଧିକ ୪୩ ରନ୍ ବ୍ୟୟ କରିଥିଲେ ମଧ୍ୟ ସବୁଠୁ ଅଧିକ ୩ ୱିକେଟ୍ ନେଇ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଥିଲେ। ରୋହିତ ଶର୍ମା, ବିରାଟ କୋହଲି ଏବଂ ହାର୍ଦିକ ପାଣ୍ଡ୍ୟାଙ୍କ ୩ ପ୍ରମୁଖ ୱିକେଟ୍ ତାଙ୍କ ଥଳିରେ ପଡ଼ିଥିଲା।
ଜବାବରେ ଭାରତୀୟ ବୋଲରଙ୍କ ଦିଶାହୀନ ବୋଲିଂ ପାଇଁ ଦଳ ଏହାର ଫଳ ଭୋଗିଥିଲା। ଲେନ୍ଥ ବଲ୍ ସହ ରୁମ୍ ଯୋଗାଇ ଦେଉଥିବାରୁ ଇଂଲଣ୍ଡର ପ୍ରାରମ୍ଭିକ ଯୋଡ଼ି ଆଲେକ୍ସ ହେଲ୍ସ ଏବଂ ଜୋସ୍ ବଟଲର୍ ଏହାର ସମ୍ପୂର୍ଣ୍ଣ ଫାଇଦା ଉଠାଇଥିଲେ। ପ୍ରଥମରୁ ଭାରତୀୟ ବୋଲରଙ୍କୁ ପ୍ରହାର କରି ଚାଲିଥିଲେ। ପିଚ୍, ପରିସ୍ଥିତି, ବୋଲର୍ ଆଦି ସମସ୍ତ ଚାପକୁ ମାମୁଲି ସାବ୍ୟସ୍ତ କରି ଦେଇଥିଲେ ଏହି ଇଂଲିସ୍ ଯୋଡ଼ି। ୧୬ ଓଭରରେ ଇଂଲଣ୍ଡ୍ କୌଣସି ୱିକେଟ୍ ନ ହରାଇ ୧୭୦ ରନ୍ ସଂଗ୍ରହ କରି ନେଇଥିଲା। ଆଲେକ୍ସ ହେଲ୍ସ ୨୮ ବଲ୍ରୁ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ବଟଲର୍ ତାଙ୍କ ୫୦ ରନ୍ ପାଇଁ ୩୬ ବଲ୍ ଖେଳିଥିଲେ। ଆଲେକ୍ସ ହେଲ୍ସଙ୍କ ୪୭ ବଲ୍ ୮୬* ରନ୍ ପାଳିରେ ୧୧ ବାଉଣ୍ଡରି (୭ ଛକା, ୪ ଚୌକା) ସାମିଲ ଥିଲା। ଅଧିନାୟକ ଜୋସ୍ ବଟଲର୍ ୪୯ ବଲରୁ ୮୦* ରନ୍ କରିଥିବା ବେଳେ ୧୨ ବାଉଣ୍ଡରି (୯ ଚୌକା, ୩ ଛକା) ମାରିଥିଲେ। ହେଲ୍ସଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ରବିବାର ମେଲବର୍ଣ୍ଣରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ୧୯୯୨ ବିଶ୍ବକପ୍ ଫାଇନାଲ୍ରେ ଇଂଲଣ୍ଡକୁ ୨୦ ରନ୍ରେ ହରାଇ ଦିନିକିଆ ବିଶ୍ବକପ୍ ଜିତିଥିବା ପାକିସ୍ତାନ ଏବେ ସଂକ୍ଷିପ୍ତ ଫର୍ମାଟରେ ଦ୍ବିତୀୟ ଥର ବିଜେତା ହେବାକୁ ଆଶା ରଖିବ। ପୂର୍ବରୁ ଏହି ଦୁଇ ଫାଇନାଲିଷ୍ଟ୍ ଦେଶ ଥରେ ଲେଖାଏଁ (ପାକିସ୍ତାନ-୨୦୦୯ ଏବଂ ଇଂଲଣ୍ଡ-୨୦୧୦) ଟ୍ବେଣ୍ଟି-୨୦ ବିଶ୍ବକପ୍ ଜିତିଛନ୍ତି। ଉଭୟ ମଧ୍ୟ ତୃତୀୟ ଥର ଫାଇନାଲ୍ ଖେଳିବେ। ଗତ ବର୍ଷ ଯେଉଁ ଦୁଇ ଦେଶ ସେମିଫାଇନାଲ୍ରୁ ବିଦାୟ ନେଇଥିଲେ ଏଥର ଫାଇନାଲ୍ ଖେଳିବାକୁ ଯାଉଛନ୍ତି।
ବିଶ୍ବକପ୍ରେ ସର୍ବୋଚ୍ଚ ଭାଗୀଦାରି, ଭାରତ ବିପକ୍ଷରେ ଦ୍ବିତୀୟ ସର୍ବୋଚ୍ଚ
ଜୋସ ବଟଲର୍ ଏବଂ ଆଲେକ୍ସ ହେଲ୍ସ ଭାରତ ବିପକ୍ଷରେ ପ୍ରଥମ ୱିକେଟ୍ ପାଇଁ ଅତୁଟ ୧୭୦ ରନ୍ ସଂଗ୍ରହ କରି ଟ୍ବେଣ୍ଟି-୨୦ ବିଶ୍ବକପ୍ର ସର୍ବୋଚ୍ଚ ଭାଗୀଦାରି କୀର୍ତ୍ତିମାନ ପ୍ରତିଷ୍ଠା କରିଛନ୍ତି। ଏହା ପୂର୍ବରୁ ଚଳିତ ସଂସ୍କରଣରେ ବାଂଲାଦେଶ ବିପକ୍ଷରେ ଦକ୍ଷିଣ ଆଫ୍ରିକାର କ୍ବିଣ୍ଟିନ୍ ଡି’କକ୍-ରିଲି ରୁସୋ (୧୬୮ ରନ୍), ୨୦୧୦ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଶ୍ରୀଲଙ୍କାର ମାହେଲା ଜୟବର୍ଦ୍ଧନେ-କୁମାର ସାଙ୍ଗାକାରା (୧୬୬ ରନ୍), ୨୦୨୧ରେ ଭାରତ ବିପକ୍ଷରେ ପାକିସ୍ତାନର ବାବର ଆଜମ-ମହମ୍ମଦ ରିଜୱାନ (୧୫୨*) କରିଥିବା ଭାଗୀଦାରି ପରବର୍ତୀ ୩ ସ୍ଥାନରେ ରହିଛି।
ଜୋସ ବଟଲର୍-ଆଲେକ୍ସ ହେଲ୍ସଙ୍କ ୧୭୦* ରନ୍ ଭାଗୀଦାରି କିନ୍ତୁ ଭାରତ ବିପକ୍ଷରେ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟରେ ଦ୍ବିତୀୟ ସର୍ବୋଚ୍ଚ। ଚଳିତ ବର୍ଷ ଗୁଆହାଟୀରେ ଦକ୍ଷିଣ ଆଫ୍ରିକାର କ୍ବିଣ୍ଟନ୍ ଡି’କକ୍-ଡେଭିଡ୍ ମିଲର୍ (୧୭୪* ରନ୍) ଏବଂ ଗତବର୍ଷ ଦୁବାଇରେ ଭାରତ ବିପକ୍ଷରେ ପାକିସ୍ତାନର ବାବର ଆଜମ-ମହମ୍ମଦ ରିଜୱାନ (୧୫୨*) କରିଥିବା ଭାଗୀଦାରି ଶୀର୍ଷ ୩ ଭିତରେ ରହିଛି। ଇଂଲଣ୍ଡ୍ ପାଇଁ କିନ୍ତୁ ୧୭୦* ରନ୍ ଟ୍ବେଣ୍ଟି-୨୦ରେ ଦ୍ବିତୀୟ ସର୍ବୋଚ୍ଚ। ୨୦୧୯ରେ ନାପିଏର୍ରେ ନ୍ୟୁଜିଲାଣ୍ଡ୍ ବିପକ୍ଷରେ ଦାୱିଦ ମଲାନ-ଇଅନ୍ ମୋର୍ଗାନ୍ (୧୮୨ ରନ୍) ଏବଂ ୨୦୨୦ରେ କେପ୍ ଟାଉନ୍ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦାୱିଦ ମଲାନ-ଜୋସ୍ ବଟଲର୍ (୧୬୭*)ଙ୍କ ଭାଗୀଦାରି ଯଥାକ୍ରମେ ପ୍ରଥମ ଓ ତୃତୀୟ ସ୍ଥାନରେ ରହିଛି। ସଫଳ ପଶ୍ଚାତଧାବନରେ କିନ୍ତୁ ଇଂଲଣ୍ଡ ଦ୍ବିତୀୟ ସ୍ଥାନରେ ରହିଲା। ୨୦୨୨ରେ କରାଚୀରେ ଇଂଲଣ୍ଡ ବିପକ୍ଷରେ ପାକିସ୍ତାନ (ବାବର-ରିଜୱାନ) ୨୦୦ ରନ୍କୁ, ୨୦୧୬ରେ ହାମିଲଟନ୍ରେ ପାକିସ୍ତାନ ବିପକ୍ଷରେ ନ୍ୟୁଜିଲାଣ୍ଡ୍ (ଗପ୍ଟିଲ-ୱିଲିୟମସନ୍) ୧୭୦ ରନ୍କୁ ସଫଳ ଭାବେ ପଶ୍ଚାତଧାବନ କରି ଜିତିଥିଲା। ଗୁରୁବାର ବଟଲର୍-ହେଲ୍ସଙ୍କ ୧୬୯ ରନ୍ ସଫଳ ପଶ୍ଚାତଧାବନ ତୃତୀୟ ସ୍ଥାନରେ ରହିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/indian-express.jpg)