ଘରେ ଘାଇଲା କଲା ଇଂଲଣ୍ଡ: ଭାରତର ଶୋଚନୀୟ ପରାଜୟ, ୨୨୭ ରନ୍‌ର ବିଜୟ ସହ ଇଂଲଣ୍ଡ ୧-୦ରେ ଆଗୁଆ

ଚେନ୍ନାଇ: ଅନଭିଜ୍ଞ, ଅପରିଚିତ ଖେଳାଳି; ପ୍ରତିକୂଳ ପରିବେଶ ଏବଂ ପୂର୍ଣ୍ଣ କ୍ଷମତା ବିଶିଷ୍ଟ କଙ୍ଗାରୁ ଦଳକୁ ଧୂଳି ଚଟାଇ ଅଷ୍ଟ୍ରେଲିଆର ବ୍ରିସବେନ୍‌ରେ ଐତିହାସିକ ବିଜୟ ହାସଲ କରିଥିଲା ଭାରତୀୟ କ୍ରିକେଟ୍ ଦଳ। ହେଲେ ଦିନ କେଇଟା ଭିତରେ ଯେମିତି ସବୁ କିଛି ଓଲଟପାଲଟ ହୋଇଯାଇଛି। ତାରକା ଖେଳାଳିଙ୍କ ପ୍ରତ୍ୟାବର୍ତ୍ତନ ଏବଂ ନିଜ ମାଟିରେ ଖେଳିବା ସତ୍ତ୍ବେ କୋଭିଡ୍ ସଙ୍କଟ ପରର ପ୍ରଥମ ଅନ୍ତର୍ଜାତୀୟ ମୁକାବିଲାରେ ଆଶ୍ଚର୍ଯ୍ୟଜନକ ଭାବେ ଶୋଚନୀୟ ପରାଜୟ ବରଣ କରିଛି ଟିମ୍ ଇଣ୍ଡିଆ। ବହୁ ପ୍ରତୀକ୍ଷିତ ଚେନ୍ନାଇ ଟେଷ୍ଟ୍‌ରେ ୨୨୭ ରନ୍‌ର ବଡ଼ ବ୍ୟବଧାନରେ ଭାରତକୁ ସ୍ତବ୍ଧ କରି ଚାରି ଟିକିଆ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଯାଇଛି ଭ୍ରମଣକାରୀ ଇଂଲଣ୍ଡ। ଏହି ଦଳ ୪୨୦ ରନ୍‌ର କଷ୍ଟକର ଏବଂ ଅସାଧ୍ୟ ବିଜୟ ଲକ୍ଷ୍ୟ ଦେବା ପରେ ପଞ୍ଚମ ଦିନର ଭଙ୍ଗାରୁଜା ପିଚ୍‌ରେ ଘୋର ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାତ୍ର ୧୯୨ ରନ୍‌ରେ ଅଲଆଉଟ୍ ହୋଇଯାଇଛି ଭାରତ। ଦଳର ଏହି ଲଜ୍ଜାଜନକ ପରାଜୟର ପ୍ରଭାବ କେବଳ ଚଳିତ ଶୃଙ୍ଖଳା ଉପରେ ପଡ଼ିନି, ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍‌ରେ ପଏଣ୍ଟ୍‌ ତାଲିକାରେ ମଧ୍ୟ ଶୀର୍ଷରୁ ଚତୁର୍ଥ ସ୍ଥାନକୁ ଖସି ଆସିଛି କୋହଲି ବାହିନୀ। ସେହିଭଳି ଭାରତର ଘରୋଇ ବିଜୟଧାରା ମଧ୍ୟ ବିଖଣ୍ଡିତ ହୋଇଛି।

ଦ୍ବିତୀୟ ସ୍ତରୀୟ ଦଳ ଭଲ ଥିଲା କି?
ଅଧିନାୟକ ବିରାଟ କୋହଲି ଏବଂ ଈଶାନ୍ତ ଶର୍ମାଙ୍କ ଭଳି ଖେଳାଳି ଫେରିବାକୁ ନେଇ ଚର୍ଚାରେ ଥିବା ଚେନ୍ନାଇ ଟେଷ୍ଟ୍‌ର ପ୍ରଥମ ପାଳିରେ ଇଂଲଣ୍ଡ ୫୭୮ ରନ୍‌ର ବିଶାଳ ସ୍କୋର କରିଥିଲା। ଆଉ ଏହା ହିଁ ଭାରତ ପରାଜୟର ପ୍ରମୁଖ କାରଣ ଥିଲା ବୋଲି କୋହଲି ମ୍ୟାଚ୍ ପରବର୍ତ୍ତୀ ସାମ୍ବାଦିକ ସମ୍ମିଳନୀରେ ସ୍ବୀକାର କରିଥିଲେ। ତେବେ ଚୂଡ଼ାନ୍ତ ଏକାଦଶରେ କୁଲଦୀପ ଯାଦବଙ୍କ ଭଳି ବୋଲରଙ୍କୁ ସ୍ଥାନ ନଦେ‌ବା, ଉପଅଧିନାୟକ ଅଜିଙ୍କ୍ୟ ରାହାଣେ ଉଭୟ ପାଳିରେ ଯଥାକ୍ରମେ ୧ ଓ ୦ କରିବା ତଥା ପଞ୍ଚମ ଦିନର ପାକଳ ପିଚ୍‌ରେ ଅସାମାନ୍ୟ ଉଚ୍ଛାଳ ଓ ଟର୍ଣ୍ଣ ଭାରତ ପରାଜୟର ପ୍ରମୁଖ କାରଣ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ସେହିଭଳି ଅଷ୍ଟ୍ରେଲିଆରେ ଖେଳିଥିବା ଦ୍ବିତୀୟ ସ୍ତରୀୟ ଦଳ ଏବେକାର ଏକ ନମ୍ବର ଦଳ ତୁଳନା‌ରେ କ’ଣ ଭଲ ନଥିଲା କି? ବୋଲି ପ୍ରଶଂସକଙ୍କ ମନରେ ପ୍ରଶ୍ନ ଉଠିଛି।

ଇଂଲଣ୍ଡ ‌ଦେଇଥିବା ଏହି ବିଶ୍ବ ରେକର୍ଡ ପଶ୍ଚାତଧାବନର ଜବାବରେ ଭାରତ ସୋମବାର ଚତୁର୍ଥ ଦିବସରେ ୧୩ ଓଭର ଖେଳି ଗୋଟିଏ ୱିକେଟ୍ ବିନିମୟରେ ୩୯ ରନ୍ କରିଥିଲା। ଫଳରେ ପଞ୍ଚମ ଦିନର ଖେଳ ପ୍ରବଳ ଉତ୍କଣ୍ଠାଭରା ହେବ ବୋଲି ସମର୍ଥକ ଆଶା ବାନ୍ଧିଥିଲେ। ହେଲେ ମଙ୍ଗଳବାର ଖେଳର ମାତ୍ର ୬.୩ ଓଭର ପରେ ନିର୍ଭରଯୋଗ୍ୟ ଚେତେଶ୍ବର ପୂଜାରା (୧୫)ଙ୍କୁ ହରାଇ ସଙ୍କଟରେ ପଡ଼ିଥିଲା ଭାରତ। ପୂଜାରାଙ୍କ ଅସାଧାରଣ ଏକାଗ୍ରତାକୁ ଭାଙ୍ଗି ଭାରତରେ ପ୍ରଥମ ଥର ପାଇଁ ଖେଳୁଥିବା ସ୍ପିନର ଜ୍ୟାକ୍ ଲିଚ୍ (୪/୭୬) ହିଁ ଇଂଲଣ୍ଡ ବିଜୟର ବାଟ ଫିଟାଇଥିଲେ। ତା‌ଙ୍କ ୱିକେଟ୍ ସମ୍ଭବତଃ ମ୍ୟାଚ୍‌ର ମୋଡ଼ ବଦଳାଇ ଦେଇଥିଲା। ଏହା ପରେ ପ୍ରାରମ୍ଭିକ ବ୍ୟାଟର୍‌ ଶୁବମନ ଗିଲ୍ (୫୦) ଓ ଅଧିନାୟକ କୋହଲି (୭୨) ପାରୁ ପର୍ଯ୍ୟନ୍ତ ଲଢ଼ିଥିଲେ। ହେଲେ ଉଭୟ ଜେମ୍ସ ଆଣ୍ଡରସନ୍ ଓ ବେନ୍ ଷ୍ଟୋକ୍ସଙ୍କ ଦୁଇଟି ଅବିଶ୍ବସନୀୟ ବଲ୍‌ରେ ବୋଲ୍ଡ ହେବା ପରେ ଇଂଲଣ୍ଡ ବିଜୟର ବାସ୍ନା ବାରିଥିଲା। ପ୍ରଥମ ଅଧିବେଶନରେ ହିଁ ଭାରତ ୫ ୱିକେଟ୍ ହରାଇଥିଲା‌। ଫଳରେ ଇଂଲଣ୍ଡ ତୁରନ୍ତ ବିଜୟର

ଔପଚାରିକତା ପୂରଣ କରିନେଇଥିଲା। ମଙ୍ଗଳବାର ମାତ୍ର ୪୫.୧ ଓଭର ଖେଳି ଭାରତ ବଳକା ୯ ୱିକେଟ୍ ହରାଇଥିଲା। ଆଣ୍ଡରସନ୍ (୩/୧୭) ଓ ଲିଚ୍ ୭ ୱିକେଟ୍ ବାଣ୍ଟିନେଇଥିଲେ। ସେପଟେ ଭାରତର ଯୁବବୀର ଋଷବ ପନ୍ତ ୧୧, ୱାସିଂଟନ୍ ସୁନ୍ଦର ୦, ଆର ଅଶ୍ବିନ ୯, ଶାହାବାଜ ନଦୀମ ୦ ଓ ଯଶପ୍ରୀତ ବୁମ୍‌ରା ୪ ରନ୍ କରିଥିଲେ। ପ୍ରଥମ ପାଳିରେ ୨୧୮ ରନ୍‌ର ଷ୍ଟ୍ରୋକ୍‌ଭରା ପାଳି ଖେଳିଥିବା ଇଂଲଣ୍ଡ ଅଧିନାୟକ ଜୋ ରୁଟ୍ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ସେହିଭଳି ଅଧିନାୟକ ଭାବେ ଏସିଆ ମହାଦେଶରେ ୬ ଟେଷ୍ଟ୍‌ ଖେଳି ୬ଟି ଯାକ ଜିତିବାର ଗୌରବ ଲାଭ କରିଥିଲେ। ତାଙ୍କ ଅଧିନାୟକତ୍ବରେ ବି ଇଂଲଣ୍ଡ କ୍ରମାଗତ ୧୧ ବିଜୟ ପାଇଥିଲା। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଗସ୍ତ ଅଧାରୁ ପିତୃତ୍ବ ଅବକାଶ ନେଇ ସ୍ବଦେଶ ଫେରି ଆସିବା ଲାଗି ତୀବ୍ର ସମାଲୋଚିତ ହୋଇଥିବା କୋହଲିଙ୍କ ନେତୃତ୍ବରେ ଭାରତ ଲଗାତାର ଚତୁର୍ଥ ପରାଜୟ ବରଣ କରିଥିଲା। ୨୦୧୨ ମସିହାରେ ସେହି ଇଂଲଣ୍ଡଠାରୁ ୧-୨ରେ ଶୃଙ୍ଖଳା ହାରିବା ପରେ ଘରୋଇ ପରିବେଶରେ ମଧ୍ୟ ଭାରତର ଏହା ଦ୍ବିତୀୟ ପରାଜୟ ଥିଲା। ଏବେ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍‌ର ଫାଇନାଲ୍‌ ଖେଳିବା ଲାଗି ଶୃଙ୍ଖଳାର ବଳକା ୩ ମ୍ୟାଚ୍‌ରୁ ଭାରତକୁ ଅନ୍ୟୁନ ଦୁଇଟି ବିଜୟ ଏବଂ ଗୋଟିଏ ଡ୍ର’ର ଆବଶ୍ୟକତା ରହିଛି।

ସମ୍ବନ୍ଧିତ ଖବର