ଚିଆଙ୍ଗମାଇ (ଥାଇଲାଣ୍ଡ): ଭ‌ାରତୀୟ ମହିଳା ଫୁଟ୍‌ବଲ୍‌ ଦଳ ଚଳିତ ଏଏଫ୍‌ସି ମହିଳା ଏସୀୟ କପ୍‌ ଯୋଗ୍ୟତା ପର୍ଯ୍ୟାୟରେ ବିଜୟ ଧାରା ଜାରି ରଖିଛି। ମଙ୍ଗୋଲିଆକୁ ୧୩-୦ରେ ହରାଇ ଅଭିଯାନ ଆରମ୍ଭ କରିଥିବା ଭାରତ ରବିବାର ନିଜର ଦ୍ବିତୀୟ ମ୍ୟାଚ୍‌ରେ ଟିମର ‌ଲିଷ୍ଟେକୁ ୪-୦ ଗୋଲ୍‌ରେ ମାତ୍‌ ଦେଇଛି। ଚିଆଙ୍ଗମାଇ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ମନୀଷା କଲ୍ୟାଣ ଦୁଇଟି ଏବଂ ଅଞ୍ଜୁ ତମାଙ୍ଗ ଓ ଲିଣ୍ଡା କମ୍‌ ଗୋଟିଏ ଲେଖାଏଁ ଗୋଲ୍‌ ଦେଇ ବିଜୟରେ ପ୍ରମୁଖ ଭୂମିକା ତୁଲାଇ ଥିଲେ। ମନୀଷା (୧୨ ମିନିଟ୍‌)ଙ୍କ ଗୋଲ୍‌ରେ ଭାରତ ପ୍ରଥମାର୍ଦ୍ଧକୁ ନିଜ ନିୟନ୍ତ୍ରଣରେ ରଖିଥିଲା। ଦ୍ବିତୀୟାର୍ଦ୍ଧରେ ଅଞ୍ଜୁ (୫୮ ମିନିଟ୍‌), ମନୀଷା (୮୦ ମିନିଟ୍‌) ଓ ଲିଣ୍ଡା (୮୫ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ କରିଥିଲେ। ଏହି ବିଜୟ ସହ ୫ଦଳୀୟ ଗ୍ରୁପ୍‌-‘ବି’ରେ ଭାରତ ୨ରୁ ୨ ଜିତି ପଏଣ୍ଟ ଟେବୁଲର ଶୀର୍ଷ‌ ସ୍ଥାନ ଦଖଲ କରିଛି। ଭାରତ ପରବର୍ତ୍ତୀ ମ୍ୟାଚ୍‌ ଜୁଲାଇ ୨ରେ ଇରାକ ଏବଂ ୫ରେ ଥାଇଲାଣ୍ଡକୁ ଭେଟିବ। ଗ୍ରୁପ୍‌ ଶୀର୍ଷ ଦଳ ଆସନ୍ତା ବର୍ଷ ଅଷ୍ଟ୍ରେଲିଆରେ ହେବାକୁ ଥିବା ଏଏଫ୍‌ସି ମହିଳା ଏସୀୟ କପ୍‌ ଖେଳିବାକୁ ଯୋଗ୍ୟତା ଅର୍ଜନ  କରିବ।