ଲଣ୍ଡନ/ଅନ୍ତ୍ବର୍ପ: ଏଫ୍ଆଇଏଚ୍ ପ୍ରୋ ଲିଗ୍ରେ ଭାରତୀୟ ମହିଳା ଓ ପୁରୁଷ ହକି ଦଳର ଦୁର୍ବଳ ପ୍ରଦର୍ଶନ ଜାରି ରହିଛି। ଉଭୟ ସମାନ ୨-୩ ଗୋଲ୍ରେ ଅଷ୍ଟ୍ରେଲିଆଠାରୁ ହାରି ଲଜ୍ଜିତ ହୋଇଛନ୍ତି। ବେଲଜିୟମ୍ର ଅନ୍ତ୍ବର୍ପଠାରେ ଖେଳାଯାଇଥିବା ପୁରୁଷ ବର୍ଗ ମ୍ୟାଚ୍ରେ ଭାରତ ତୃତୀୟ କ୍ବାର୍ଟର ସୁଦ୍ଧା ୨-୦ରେ ଆଗୁଆ ରହିଥିଲା। ତେବେ ଶେଷ କ୍ବାର୍ଟରରେ ତିନିଟି ଗୋଲ୍ ବରଣ କରି ହାରିଥିଲା।
ଶେଷ ମିନିଟ୍ ବେଳକୁ ସ୍ଥିତି ୨-୨ ଥିଲା ବେଳେ ଖେଳ ଶେଷ ହେବାର ମାତ୍ର କେଇ ସେକେଣ୍ଡ ଭିତରେ ଗୋଲ୍ ଦେଇ ଅଷ୍ଟ୍ରେଲିଆ ରୋମାଞ୍ଚକ ବିଜୟ ହାସଲ କରିଥିଲା। ଭାରତର ଏହା କ୍ରମାଗତ ପଞ୍ଚମ ପରାଜୟ ଥିଲା। ଏହା ପୂର୍ବରୁ ବେଲଜିୟମ ଓ ଆର୍ଜେଣ୍ଟିନା ବିପକ୍ଷ ଦୁଇଟି ଲେଖାଏଁ ମ୍ୟାଚ୍କୁ ଭାରତ ହାରିଥିଲା। ସେହିଭଳି ଲଣ୍ଡନରେ ଖେଳାଯାଇଥିବା ମହିଳା ମ୍ୟାଚ୍ରେ ଅଷ୍ଟ୍ରେଲିଆ ତିନିଟି ଫିଲ୍ଡ ଗୋଲ୍ ଦେଇ ୩-୦ରେ ଆଗୁଆ ହୋଇଯାଇଥିଲା। ଦ୍ବିତୀୟାର୍ଦ୍ଧରେ ଦୀପିକା ଓ ନେହା ଦୁଇଟି ପେନାଲ୍ଟି କର୍ଣ୍ଣରକୁ ଗୋଲ୍ରେ ରୂପାନ୍ତର କରି ଆଶା ସୃଷ୍ଟି କରିଥିଲେ। ହେଲେ ସଜାଗ ଅଷ୍ଟ୍ରେଲୀୟ ରକ୍ଷଣଭାଗ ଭାରତକୁ ଆଉ ଗୋଲ୍ ଦେବାର ସୁଯୋଗ ନଦେଇ ଗୋଟିଏ ଗୋଲ୍ ବ୍ୟବଧାନରେ ମ୍ୟାଚ୍ ଜିତି ନେଇଥିଲେ।