ରାଜଗିର୍ (ବିହାର): ଚଳିତ ଏସିଆ କପ୍ ହକି ପ୍ରତିଯୋଗିତାରେ ଭାରତର ଅପରାଜେୟ ଧାରା ଜାରି ରହିଛି। ଗୁରୁବାର ଏକ ସୁପର୍-୪ ମୁକାବିଲାରେ ଭାରତ ଚମତ୍କାର ପ୍ରତ୍ୟାବର୍ତ୍ତନ ସହ ୪-୧ ଗୋଲ୍ରେ ଫର୍ମରେ ଥିବା ମାଲେସିଆକୁ ପରାସ୍ତ କରିଛି। ବୁଧବାର ସଂଧ୍ୟାରେ ଦକ୍ଷିଣ କୋରିଆ ସହ ୨-୨ ଗୋଲ୍ରେ ପଏଣ୍ଟ ଭାଗ କରିଥିବା ହର୍ମନପ୍ରୀତ୍ ସିଂହଙ୍କ ଦଳ ଗୁରୁବାର ମାଲେସିଆ ନିକଟରୁ ପ୍ରଥମେ ଗୋଲ୍ ବରଣ କରିଥିଲେ ମଧ୍ୟ ଆଉ କୌଣସି ସୁଯୋଗ ନ ଦେଇ ସୁପର୍-୪ ପଏଣ୍ଟ୍ ଟେବୁଲ୍ରେ ଶୀର୍ଷ ସ୍ଥାନରେ ପହଞ୍ଚିଯାଇଛି। ସୁପର୍-୪ରେ ଭାରତ ମଧ୍ୟ ଏକମାତ୍ର ଦଳ ଭାବେ ଅପରାଜିତ ରହିଛି। ପୂର୍ବରୁ ପୁଲ୍-‘ଏ’ରେ ଭାରତ ହ୍ୟାଟ୍ରିକ୍ ବିଜୟ ହାସଲ କରି ସୁପର୍-୪କୁ ଆସିଥିଲା।
ଗୁରୁବାର ମ୍ୟାଚ୍ ଆରମ୍ଭରୁ ମାଲେସିଆ ପାଇଁ ସଫିକ୍ ହାସନ୍ ଏକ ଫିଲ୍ଡ ଗୋଲ୍ ଦେଇ ଗତବର୍ଷର ଉପବିଜେତା ଦଳକୁ ୧-୦ରେ ଆଗୁଆ କରି ଦେଇଥିଲେ। ପ୍ରଥମ କ୍ବାର୍ଟରକୁ ମଧ୍ୟ ମାଲେସିଆ ଏହି ସ୍କୋର୍ ଲାଇନ୍ରେ ଶେଷ କରିଥିଲା। ଦ୍ବିତୀୟ କ୍ବାର୍ଟର ଦ୍ବିତୀୟ ମିନିଟ୍ (୧୭)ରେ ଭାରତୀୟ ଅଧିନାୟକ ହର୍ମନପ୍ରୀତ୍ ସିଂହ ପେନାଲ୍ଟି କର୍ଣ୍ଣରକୁ କନ୍ଭର୍ଟ କରି ମ୍ୟାଚ୍କୁ ବରାବର ସ୍ତରକୁ ନେଇ ଆସିଥିଲେ। ଏହାର ଦୁଇ ମିନିଟ୍ ପରେ ସୁଖଜିତ୍ ସିଂହ (୧୯ ମିନିଟ୍)ଙ୍କ ଫିଲ୍ଡ ଗୋଲ୍ ଭାରତକୁ ପ୍ରଥମ ଥର ଆଗୁଆ କରିଦେଇଥିଲା। ଦ୍ବିତୀୟ କ୍ବାର୍ଟର ଶେଷ ହେବା ପୂର୍ବରୁ ଓଡ଼ିଆ ପୁଅ ଶିଳାନନ୍ଦ ଲାକ୍ରା (୨୪ ମିନିଟ୍)ଙ୍କ ଫିଲ୍ଡ ଗୋଲ୍ ଭାରତକୁ ପ୍ରଥମାର୍ଦ୍ଧ ସୁଦ୍ଧା ୩-୧ରେ ବିରାମ ଦେଇଥିଲା। ଦୃଢ଼ ରକ୍ଷଣଭାଗ କାରଣରୁ ମାଲେସିଆ ଖେଳାଳିଙ୍କ ସମସ୍ତ ପ୍ରୟାସକୁ ପଣ୍ଡ କରୁଥିବା ଭାରତୀୟ ଦଳ ଆଉ ଚାପରେ ପଡ଼ି ନଥିଲା। ବରଂ ପାର୍ଶ୍ବ ପରିବର୍ତ୍ତନ ପରେ ବିବେକ ସାଗର ପ୍ରସାଦ (୩୮ ମିନିଟ୍)ଙ୍କ ଫିଲ୍ଡ ଗୋଲ୍ ଭାରତକୁ ୪-୧ରେ ପହଞ୍ଚାଇ ଦେଇଥିଲା। ଚତୁର୍ଥ କ୍ବାର୍ଟର ଗୋଲ୍ଶୂନ୍ୟ ବିତିବାରୁ ହର୍ମନପ୍ରୀତ୍ଙ୍କ ଦଳ ୫ ମ୍ୟାଚ୍ରୁ ଚତୁର୍ଥ ବିଜୟ ହାସଲ କରି ଅପ୍ରତିଦ୍ବଦ୍ବୀ ସାବ୍ୟସ୍ତ ହୋଇଥିଲା। ଶୁକ୍ରବାର ବିଶ୍ରାମ ଦିବସ ଥିବାବେଳେ ଶନିବାର ଭାରତ ଶେଷ ସୁପର୍-୪ ମ୍ୟାଚ୍ରେ ଚୀନ୍କୁ ଭେଟିବ। ଚୀନକୁ ହରାଇ ଭାରତ ଏସିଆ କପ୍ ଅଭିଯାନ ଆରମ୍ଭ କରିଥିଲା। ସୁପର୍-୪ର ଦୁଇ ରାଉଣ୍ଡ୍ ଶେଷ ହୋଇଛି। ଶ୍ରେଷ୍ଠ ଦୁଇ ଦଳ ଫାଇନାଲ୍ ଖେଳିବେ। ଏବେ ଭାରତ ଶୀର୍ଷରେ ଥିବାବେଳେ ଚୀନ ଓ ମାଲେସିଆ ପ୍ରତ୍ୟେକ ୩ ଲେଖାଏଁ ପଏଣ୍ଟ ସହ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ଗୁରୁବାର ଚୀନ୍ ୩-୦ରେ ଦକ୍ଷିଣ କୋରିଆକୁ ପରାସ୍ତ କରି ବିପର୍ଯ୍ୟୟ ସୃଷ୍ଟି କରିଛି।
୨୫୦ ମ୍ୟାଚ୍ କ୍ଲବ୍ରେ ହର୍ମନପ୍ରୀତ୍
ଭାରତୀୟ ହକି ଦଳର ତାରକା ଡ୍ରାଗ୍ ଫ୍ଲିକର ତଥା ଅଧିନାୟକ ହର୍ମନପ୍ରୀତ୍ ସିଂହ ଗୁରୁବାର ନିଜ ଖେଳ ଜୀବନର ୨୫୦ତମ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ଚଳିତ ଏସିଆ କପ୍ର ମାଲେସିଆ ବିପକ୍ଷ ମ୍ୟାଚ୍ ଖେଳି ଏହି ମାଇଲ୍ଖୁଣ୍ଟ ଛୁଇଁଛନ୍ତି। ମୁଖ୍ୟ ପ୍ରଶିକ୍ଷକ କ୍ରେଗ୍ ଫୁଲଟନ୍ ମ୍ୟାଚ୍ ପୂର୍ବରୁ ହର୍ମନପ୍ରୀତ୍ଙ୍କୁ ତାଙ୍କ ୨୫୦ତମ ମ୍ୟାଚ୍ ଜର୍ସି ପ୍ରଦାନ କରିଥିଲେ। ଏହା ମୋ ପାଇଁ ଅତ୍ୟନ୍ତ ଭାବବିହ୍ବଳ ଓ ସ୍ମରଣୀୟ ମୁହୂର୍ତ୍ତ ବୋଲି କହିଥିଲେ ସେ। ଏଥିଲାଗି ତାଙ୍କୁ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କି ଓ ସଂପାଦକ ଭୋଳାନାଥ ସିଂହ ଅଭିନନ୍ଦନ ଜଣାଇଛନ୍ତି। ୨୦୧୫ ମସିହାରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିବା ହର୍ମନପ୍ରୀତ୍ ଭାରତୀୟ ରକ୍ଷଣଭାଗର ଅଭିନ୍ନ ଅଙ୍ଗ ହୋଇ ରହିଆସିଛନ୍ତି। କନିଷ୍ଠ ଏସିଆ କପ୍ ଓ ବିଶ୍ବକପ୍ ଜିତିଥିବା ଭାରତୀୟ ଦଳର ସେ ସଦସ୍ୟ ଥିଲେ। ଏହା ପରେ ଭାରତୀୟ ବରିଷ୍ଠ ଦଳର ସଦସ୍ୟ ହୋଇ ସେ ବହୁ ପ୍ରତିଯୋଗିତାରେ ପଦକ ଜିତିବାର ଗୌରବ ଅର୍ଜନ କରିଛନ୍ତି। ୨୦୧୬ ରିଓ ଅଲିମ୍ପିକ୍ସରେ ଅଷ୍ଟମ ସ୍ଥାନରେ ଥିବା ଭାରତୀୟ ଦଳର ସଦସ୍ୟ ଥିଲେ। ତେବେ ୨୦୨୦ ଟୋକିଓରେ କଂସ୍ୟ ପଦକ ଜିତିବା ପରେ ୨୦୨୪ ପ୍ୟାରିସ ଅଲିମ୍ପିକ୍ସରେ ହର୍ମନପ୍ରୀତଙ୍କ ନେତୃତ୍ବରେ ଭାରତ ଏହି ସଫଳତା ଦୋହରାଇ ଇତିହାସ ରଚିଥିଲା।