ଗୁଆହାଟୀ: ମହିଳା କ୍ରିକେଟ୍ ବିଶ୍ବକପ୍ରେ ଆୟୋଜକ ଭାରତ ବିଜୟରୁ ଅଭିଯାନ ଆରମ୍ଭ କରିଛି। ସ୍ଥାନୀୟ ବର୍ଷାପଡ଼ା କ୍ରିକେଟ୍ ଷ୍ଟାଡିୟମ୍ରେ ଖେଳାଯାଇଥିବା ବର୍ଷା ବାଧାପ୍ରାପ୍ତ ମ୍ୟାଚ୍ରେ ଭାରତ ୫୯ (ଡିଏଲ୍ଏସ୍) ରନ୍ରେ ଅନ୍ୟତମ ଆୟୋଜକ ଶ୍ରୀଲଙ୍କାକୁ ମାତ୍ ଦେଇଛି। ଆରମ୍ଭରୁ ମ୍ୟାଚ୍ ୪୮ ଓଭରିଆ ଖେଳାଯାଇଥିବା ମ୍ୟାଚ୍ରେ ପୁଣି ବର୍ଷା ହେବାରୁ ପରବର୍ତ୍ତୀ ସମୟରେ ୪୭ ଓଭରକୁ ଖସିଥିଲା। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୪୭ ଓଭରରେ ୨୬୯ ରନ୍ କରିଥିଲା ବେଳେ ଶ୍ରୀଲଙ୍କା ସମ୍ମୁଖରେ ୨୭୧ ରନ୍ର ବିଜୟ ଲକ୍ଷ୍ୟ ରହିଥିଲା। ଏହାକୁ ପିଛା କରି ଭ୍ରମଣକାରୀ ଶ୍ରୀଲଙ୍କା ୪୫.୪ ଓଭରରେ ୨୧୧ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା। ଚାମିରା ଆଟାପଟୁ ୪୩ ଓ ନୀଳାକ୍ଷୀ ଡି’ ସିଲ୍ଭା ୩୫ ରନ୍ କରିଥିଲେ। ଦୀପ୍ତି ୩, ସ୍ନେହ ରାଣା ଓ ଶ୍ରୀ ଚାରଣୀ ୨ ୱିକେଟ୍ ଲେଖାଏଁ ନେଇଥିଲେ। ଅଲ୍ରାଉଣ୍ଡ ପ୍ରଦର୍ଶନ ପାଇଁ ଦୀପ୍ତି ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।
ପୂର୍ବରୁ ଟସ୍ ହାରି ବ୍ୟାଟିଂ କରିଥିବା ଭାରତ ଚତୁର୍ଥ ଓଭରରେ ବିସ୍ଫୋରକ ବ୍ୟାଟର୍ ସ୍ମୃତି ମନ୍ଧାନା (୮)ଙ୍କୁ ହରାଇ ସଙ୍କଟରେ ପଡ଼ିଥିଲା। ଏହା ପରେ ପ୍ରତୀକା ରାୱଲ ଓ ହର୍ଲିନ ଦେଓଲ ଦ୍ବିତୀୟ ୱିକେଟ୍ରେ ୭୧ ରନ୍ ଯୋଡ଼ି ସ୍ଥିତି ସମ୍ଭାଳି ନେଇଥିଲେ। ୨୦ତମ ଓଭରରେ ଦଳୀୟ ସ୍କୋର୍ ୮୧ ରନ୍ ଥିଲାବେଳେ ପ୍ରତୀକା (୩୭) ପ୍ୟାଭିଲିୟନ୍ ଫେରିଥିଲେ। ହର୍ମନପ୍ରୀତ କୌରଙ୍କ ସହ ହର୍ଲିନ ତୃତୀୟ ୱିକେଟ୍ ଭାଗୀଦାରିରେ ୩୯ ରନ୍ ଯୋଡ଼ିଥିଲେ। ହର୍ଲିନ (୪୮)ଙ୍କ ଆଉଟ୍ ପରେ ଭାରତ ମାତ୍ର ୪ ରନ୍ ମଧ୍ୟରେ ଜେମିମା ରଡ୍ରିଗୁଏଜ (୦), ହର୍ମନପ୍ରୀତ (୨୧) ଓ ରିଚା ଘୋଷ (୨)ଙ୍କୁ ହରାଇ ବଡ଼ ସଙ୍କଟରେ ପଡ଼ିଥିଲା। ଏହି ତିନି ଜଣଙ୍କୁ ଗୋଟିଏ ଓଭରରେ ଆଉଟ୍ କରିଥିଲେ ଇନୋକା ରଣବୀରା (୪/୪୬)। ଅମନଜୋତ କୌର (୫୭, ୫୬ ବଲ୍, ୫ ଚୌକା, ୧ ଛକା) ଓ ଦୀପ୍ତି ଶର୍ମା (୫୩, ୫୩ ବଲ୍, ୩ ଚୌକା) ନିଜ ନିଜ ଅର୍ଦ୍ଧଶତକ ପୂରଣ କରିବା ସହ ସପ୍ତମ ୱିକେଟ୍ରେ ୯୯ ବଲ୍ରୁ ୧୦୩ ରନ୍ର ଭାଗୀଦାରି ଗଢ଼ି ଦଳୀୟ ସ୍କୋର୍ ୨୦୦ ପାର୍ କରିଥିଲେ। ଶେଷକୁ ସ୍ନେହ ରାଣା (୨୮*, ୧୫ ବଲ୍, ୨ ଚୌକା, ୨ ଛକା)ଙ୍କ ବିସ୍ଫୋରକ ବ୍ୟାଟିଂରେ ଭାରତ ୨୬୯ ରନ୍ ପହଞ୍ଚିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/01/fsfhfhsxvb-2025-10-01-06-15-50.jpg)