ବେଙ୍ଗାଲୁରୁ: ଇଣ୍ଟରକଣ୍ଟିନେଣ୍ଟାଲ କପ୍ ଜିତିବା ପରେ ଭାରତ ଦକ୍ଷିଣ ଏସିଆ ଫୁଟ୍ବଲ୍ ମହାସଂଘ (ସାଫ୍) ଚାମ୍ପିଅନ୍ସିପ୍ରେ ବିଜୟରୁ ଅଭିଯାନ ଆରମ୍ଭ କରିଛି। ସ୍ଥାନୀୟ କାନ୍ତୀରଭା ଷ୍ଟାଡିୟମରେ ବୁଧବାର ଖେଳାଯାଇଥିବା ଉଦ୍ଘାଟନୀ ଦିବସର ଦ୍ବିତୀୟ ମ୍ୟାଚ୍ରେ ଆୟୋଜକ ଭାରତ ୪-୦ ଗୋଲ୍ରେ ଚିରପ୍ରତିନ୍ଦ୍ବନ୍ଦ୍ବୀ ପାକିସ୍ତାନକୁ ପରାସ୍ତ କରିଛି। ଗ୍ରୁପ୍-ଏ’ର ଏହି ମୁକାବିଲାରେ ଭାରତ ଦଶମ ମିନିଟ୍ରେ ଅଧିନାୟକ ସୁନିଲ ଛେତ୍ରୀଙ୍କ ଗୋଲ୍ରେ ହିଁ ଅଗ୍ରଣୀ ନେଇଯାଇଥିଲା। ୧୫ତମ ମିନିଟ୍ରେ ବକ୍ସ ଭିତରେ ହ୍ୟାଣ୍ଡବଲ୍ ହେବାରୁ ଭାରତକୁ ପେନାଲ୍ଟି ମିଳିଥିଲା।
ଏହି ସୁଯୋଗକୁ ଛେତ୍ରୀ ହାତଛଡ଼ା ନକରି ପାକିସ୍ତାନ ଗୋଲିକୁ ଚକ୍ମା ଦେଇ ବଲ୍ ଗୋଲ୍ ପୋଷ୍ଟକୁ ପଠାଇ ଦେଇଥିଲେ। ଏଥିସହ ଭାରତ ପ୍ରଥମାର୍ଦ୍ଧକୁ ୨-୦ରେ ଶେଷ କରିଥିଲା। ୭୪ତମ ମିନିଟ୍ରେ ଦଳକୁ ମିଳିଥିବା ଆଉ ଏକ ପେନାଲ୍ଟିକୁ ଛେତ୍ରୀ ଗୋଲ୍ରେ ପରିଣତ କରି ହ୍ୟାଟ୍ରିକ ଅର୍ଜନ କରିବା ସହ ଭାରତକୁ ୩-୦ରେ ଆଗୁଆ କରିଥିଲେ। ୮୧ତମ ମିନିଟ୍ରେ ଅନୱାର ଅଲୀଙ୍କ ପାସ୍କୁ ଉଡ଼ାନ୍ତ ସିଂହ ଗୋଲ୍ ଦେଇ ସ୍ଥିତି ୪-୦ କରିଥିଲେ। ଏହା ପରେ ଆଉ ଗୋଲ୍ ନହେବାରୁ ଭାରତ ଏକତରଫା ବିଜୟୀ ହୋଇଥିଲା। ଉଦ୍ଘାଟନୀ ଦିବସରେ ଗ୍ରୁ୍ପ୍-ଏ’ର ପ୍ରଥମ ମ୍ୟାଚ୍ରେ କୁଏତ ୩-୧ ଗୋଲ୍ରେ ନେପାଳକୁ ପରାସ୍ତ କରିଥିଲା।