ଭାରତର ୱେଷ୍ଟଇଣ୍ଡିଜ୍ ଗସ୍ତ ଜୁଲାଇ ୧୮ରୁ

ମୁମ୍ବାଇ : ଭାରତୀୟ କ୍ରିକେଟ୍ ଦଳ ଜୁଲାଇ ୧୮ ତାରିଖରୁ ୱେଷ୍ଟଇଣ୍ଡିଜ ଗସ୍ତ କରି ୮ ମ୍ୟାଚ୍‌ ବିଶିଷ୍ଟ ଦୁଇଟି ଧଳାବଲ୍ ଶୃଙ୍ଖଳା ଖେଳିବ। ଏହ‌ା ମଧ୍ୟରେ ୩ଟି ଦିନିକିଆ ଏବଂ ୫ଟି ଟ୍ବେଣ୍ଟି-୨୦ ସାମିଲ ରହିଛି। ଜୁଲାଇ ୨୨, ୨୪ ଓ ୨୭ ତାରିଖରେ ତ୍ରିନିଦାଦର କୁଇନ୍ସ ପାର୍କ ଓଭାଲରେ ଦିନିକିଆ ମ୍ୟାଚ୍‌ସବୁ ଖେଳାଯିବ। ଜୁଲାଇ ୨୯ ତାରିଖରେ ନବ ନିର୍ମିତ ବ୍ରାଏନ୍ ଚାର୍ଲସ ଲାରା ଷ୍ଟାଡିୟମରେ ପ୍ରଥମ ଟ୍ବେଣ୍ଟି-୨୦ ଖେଳାଯିବା ପରେ ପରବର୍ତୀ ୨ ଟ୍ବେଣ୍ଟି-୨୦ ସେଣ୍ଟ କିଟ୍ସ ‌ଓ ନେଭିସ୍‌ର ୱାର୍ଣ୍ଣର ପାର୍କରେ ଅଗଷ୍ଟ ୧ ଓ ୨ ତାରିଖରେ ଖେଳାଯିବ। ଏହା ପରେ ଉଭୟ ଦଳ ଆମେରିକାର ଫ୍ଲୋରିଡ଼ା ଗସ୍ତ କରି ଫୋର୍ଟ ଲୌଡରଡେଲ୍‌ରେ ଅଗଷ୍ଟ ୬ ଓ ୭ ତାରିଖରେ ଶେଷ ଦୁଇ ଟ୍ବେଣ୍ଟି-୨୦ ‌ଖେଳିବେ। ତେବେ ଆମେରିକା ଚରଣ ଲାଗି ସେଠାକାର ସରକାର ଏବେ ମଧ୍ୟ ଅନୁମତି ପ୍ରଦାନ କରିନଥିବାରୁ ଚୂଡାନ୍ତ ଖେଳସୂଚୀ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇନାହିଁ। ଏହି ଗସ୍ତ ପୂର୍ବରୁ ଭାରତୀୟ ଦଳ ଆୟର୍ଲାଣ୍ଡ୍‌ ଓ ଇଂଲଣ୍ଡ ଗସ୍ତ କରିବ। ଜୁନ୍ ୨୬ ଓ ୨୮ରେ ଆୟର୍ଲାଣ୍ଡ ବିପକ୍ଷରେ ୨ ଦିନିକିଆ ଖେଳିବା ପରେ ଇଂଲଣ୍ଡ ବିପକ୍ଷରେ ଗୋଟିଏ ଟେଷ୍ଟ୍ (ଗତବର୍ଷର ଅସମ୍ପୂର୍ଣ୍ଣ ଶୃଙ୍ଖଳାର) ସହିତ ୩ ଲେଖାଏଁ ଟ୍ବେଣ୍ଟି-୨୦ ଓ ଦିନିକିଆ ଖେଳିବ।

ସମ୍ବନ୍ଧିତ ଖବର