ଭାରତର ବିଶ୍ବକପ୍‌ ଅଧିନାୟକ

ଭୁବନେଶ୍ବର: ବିଶ୍ବକପ୍ ଭଳି ବୃହତ୍ ପ୍ରତିଯୋଗିତାରେ ଦେଶର ନେତୃତ୍ବ ନେବା ଏକ ବଡ଼ ସମ୍ମାନ ଭଳି। ଏହା କ୍ବଚିତ୍‌ ଖେଳାଳିଙ୍କ ଭାଗ୍ୟରେ ଜୁଟିଥାଏ। ଇଂଲଣ୍ଡ ବିଶ୍ବକପ୍‌ ପୂର୍ବରୁ ଅନୁଷ୍ଠିତ ୧୧ଟି ସଂସ୍କରଣରେ ୬ ଜଣ ଭାରତୀୟ ଜାତୀୟ ଦଳର ନେତୃତ୍ବ ନେଇଛନ୍ତି। ମହମ୍ମଦ ଆଝାରୁଦ୍ଦିନ୍‌ ସର୍ବାଧିକ ୩ଟି ବିଶ୍ବକପ୍‌ରେ ନେତୃତ୍ବ ନେବାର ବିରଳ କୀର୍ତିମାନ ରଖିଛନ୍ତି। ତାଙ୍କ ପଛକୁ ରହିଛନ୍ତି ଏସ୍‌ ଭେଙ୍କଟରାଘବନ୍ ଯିଏ ଦେଶକୁ ପ୍ରଥମ ଦୁଇ ବିଶ୍ବକପ୍‌ରେ ନେତୃତ୍ବ ଦେଇଥିଲେ। କପିଳ ଦେବ ଏବଂ ମହେନ୍ଦ୍ର ସିଂହ ଧୋନି ମଧ୍ୟ ଦୁଇ ଥର ଲେଖ‌ାଏଁ ବିଶ୍ବକପ୍‌ ଦଳର ଅଧିନାୟକ ଦାୟିତ୍ବ ସମ୍ଭାଳିଥିଲେ। ଆସନ୍ତୁ ସେହି ଅଧିନାୟକମାନଙ୍କ ସମ୍ପର୍କରେ ସମ୍ୟକ ଆଲୋଚନା କରିନେବା।

-ଏସ୍‌ ଭେଙ୍କଟରାଘବନ (୧୯୭୫ ଓ ୧୯୭୯)
ଜଣେ ଧୂର୍ତ ତଥା ଚତୁର ‌ଖେଳାଳି ଭାବେ ଅଫସ୍ପିନର୍ ଏସ୍‌ ଭେଙ୍କଟରାଘବନ ଦେଶର ପ୍ରଥମ ଦୁଇ ବିଶ୍ବକପ୍‌ (୧୯୭୫ ଏବଂ ୧୯୭୯)ରେ ଭାରତୀୟ ଦଳର ନେତୃତ୍ବ ନେଇଥିଲେ। ଅତ୍ୟନ୍ତ ଦୁର୍ବଳ ଦଳ ଭାବେ ପରିଚିତ ଭାରତ ଏହି ଦୁଇଟି ସଂସ୍କରଣରେ ୬ ମ୍ୟାଚ୍‌ ଖେଳି ମାତ୍ର ଗୋଟିଏ ଜିତିପାରିଥିଲା। ଭେଙ୍କଟରାଘବନ ବ୍ୟକ୍ତିଗତ ଭାବେ ମଧ୍ୟ ବିଶେଷ ପ୍ରଭାବ ପକାଇ ପାରିନଥିଲେ। ୬ ମ୍ୟାଚ୍‌ରୁ ମାତ୍ର ଗୋଟିଏ ୱିକେଟ୍ ନେଇଥିଲେ। ବିଶ୍ବକପ୍‌ ବ୍ୟତୀତ ୧୯୭୯ ମସିହାରେ ମଧ୍ୟ ଭାରତୀୟ ଦଳର ଇଂଲଣ୍ଡ ଗସ୍ତରେ ନେତୃତ୍ବ ନେଇଥିଲେ।

-କପିଳ ଦେବ (୧୯୮୩ ଏବଂ ୧୯୮୭)
ଭାରତୀୟ କ୍ରିକେଟ୍ ଇତିହାସରେ ନିଖଞ୍ଜ କପିଳ ଦେବଙ୍କ ନାମ ସବୁବେଳେ ଗୌରବମୟ ଅଧ୍ୟାୟରେ ଲିପିବଦ୍ଧ ରହିଥିବ। ତାଙ୍କୁ ସର୍ବକାଳୀନ ଶ୍ରେଷ୍ଠ ଅଲରାଉଣ୍ଡର୍‌ ଭାବେ ବିବେଚନା କରାଯାଉଥିବା ବେଳେ ୧୯୮୩ ମସିହା ବିଶ୍ବକପ୍‌ରେ ନିର୍ଣ୍ଣାୟକ ଅବଦାନ ଦେଇଥିଲେ। ତାଙ୍କ ନେତୃତ୍ବରେ ଭାରତ ମଧ୍ୟ ପ୍ରଥମ ଥର ବିଶ୍ବକପ୍‌ ଜିତି ଦେଶର କ୍ରୀଡ଼ା ଇତିହାସରେ ନୂଆ ଫର୍ଦ ଯୋଡ଼ି‌ଥିଲା। ବିଶ୍ବକପ୍‌ର ତୃତୀୟ ସଂସ୍କରଣ ଇଂଲଣ୍ଡରେ ଆରମ୍ଭ ହେବା ବେଳକୁ କେହି ବି ଭାରତକୁ ଦାବିଦାର ତାଲିକାରେ ରଖିନଥିଲେ। କପିଳ ଡେଭିଲ୍‌ (ନର ପିଶାଚ) କିନ୍ତୁ ଭାରତକୁ ବିଶ୍ବ ବିଜୟୀ କରାଇଥିଲେ। ଏହି ବିଜୟର ହିଁ ମୂଳ ନିର୍ମାତା ଥିଲେ କପିଳ ଦେବ। ଜିମ୍ବାୱେ ବିପକ୍ଷରେ ୧୭୫* ରନ୍ ପାଳି ପରଠାରୁ ଭାରତୀୟ ଦଳ ନୂଆ ଉତ୍ସାହରେ ଭରିଯାଇଥିଲା। ଫାଇନାଲରେ କପିଳ ଦେବ ସମସ୍ତଙ୍କୁ ଚମକାଇ ଦେବା ଭଳି ନେଇଥିବା ଭିଭିଆନ୍ ରିଚାର୍ଡସଙ୍କ କ୍ୟାଚ୍‌ ଏବେ ବି ଅଭୂଲା ମୁହୂର୍ତ ହୋଇ ରହିଛି। ୧୯୮୭ ମସିହାରେ କପିଳ ଦେବଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ସେମିଫାଇନାଲରୁ ବିଦାୟ ନେଇଥିଲା।

-ମହମ୍ମଦ ଆଝାରୁଦ୍ଦିନ୍‌ (୧୯୮୭, ୧୯୯୨, ୧୯୯୬)
ଲଗାତାର ୩ଟି ବିଶ୍ବକପ୍‌ ଏବଂ ସର୍ବାଧିକ ସଂସ୍କରଣରେ ଭାରତୀୟ ଦଳର ଅଧିନାୟକତ୍ବ କରି ମହମ୍ମଦ ଆଝାରୁଦ୍ଦିନ ନିଜ ନାମରେ ବିରଳ କୀର୍ତିମାନ ରଖିଛନ୍ତି। ୧୯୯୨ ମସିହାରେ ଆଝାରୁଦ୍ଦିନ୍‌ ଭାରତୀୟ ଖେଳାଳିଙ୍କୁ ପ୍ରବର୍ତ୍ତାଇବାରେ ବିଫଳ ହେବାରୁ ଦଳ ମାତ୍ର ୮ ମ୍ୟାଚ୍‌ରୁ ମାତ୍ର ୨ ଜିତିପାରିଥିଲା। ୪ ବର୍ଷ ପରେ କିନ୍ତୁ ସଚିନ ତେନ୍ଦୁଲକର ଏକା ଏକା ଭାରତକୁ ସେମିଫାଇନାଲ୍ ପହଞ୍ଚାଇ ଦେଇଥିଲେ। ଯାହାକି ଆଝାରୁଦ୍ଦିନଙ୍କ ନେତୃତ୍ବକୁ ସହଜ କରି ଦେଇଥିଲା। କିନ୍ତୁ ଇଡେନ୍ ଗାର୍ଡେନ୍ସରେ ଶ୍ରୀଲଙ୍କାଠାରୁ ଭାରତର ଶୋଚନୀୟ ପରାଜୟ ଦର୍ଶକ ବିଶୃଙ୍ଖଳା ଭିତରେ ଶେଷ ହୋଇଥିଲା। ୧୯୯୯ ବିଶ୍ବକପ୍‌ରେ ମଧ୍ୟ ଭାରତୀୟ ଦଳ ଅସ୍ଥିର ପ୍ରଦର୍ଶନ କରିଥିଲା। ସୁପର ସିକ୍ସ ପର୍ଯ୍ୟାୟକୁ ଅତିକ୍ରମ କରିପାରିନଥିଲା। ଏହା ପରେ ଆଝାରୁଦ୍ଦିନଙ୍କୁ ନେତୃତ୍ବ ପଦରୁ ହଟାଇ ଦିଆଯାଇଥିଲା।

-ସୌରଭ ଗାଙ୍ଗୁଲି (୨୦୦୩)
କପିଳ ଦେବଙ୍କ ଗୌରବମୟ ସଫଳତାର ପୁନରାବୃତ୍ତି କରିବାଠାରୁ ମାତ୍ର ଗୋଟିଏ ବିଜୟ ଦୂରରେ ରହିଯାଇଥିଲା ସୌରଭ ଗାଙ୍ଗୁଲିଙ୍କ ଦଳ। ଜୋହ‌ାନ୍ସବର୍ଗ ଫାଇନାଲରେ ଅଷ୍ଟ୍ରେଲିଆଠାରୁ ହାରି ଉପ ବିଜେତା ହୋଇଥିଲା। ଭାରତ ପ୍ରଥମରୁ ଉତ୍‌ଥାନ ଓ ପତନ ଦେଇ ଗତି କରିଥିଲେ ମଧ୍ୟ ତୁରନ୍ତ ଏକାଠି ଲଢ଼ି ଅଗ୍ରସର ହୋଇଥିଲା। ସଚିନ ତେନ୍ଦୁଲକର, ବୀରେନ୍ଦ୍ର ସେବହାଗଙ୍କ ବ୍ୟକ୍ତିଗତ ପ୍ରଦର୍ଶନ ଏବଂ ଗାଙ୍ଗୁଲିଙ୍କ ନେତୃତ୍ବ ଦକ୍ଷତା ଚମତ୍କାର ରହିଥିଲା। ସଚିନ ତେନ୍ଦୁଲକରଙ୍କ ତଳକୁ ଦ୍ବିତୀୟ ଅଗ୍ରଣୀ ରନ୍‌ ସଂଗ୍ରହକାରୀ ରହିଥିଲେ ଗାଙ୍ଗୁଲି। ତିନିଟି ଶତକ ହାସଲ କରିଥିଲେ ଏହି ବାମହାତୀ ବେଙ୍ଗଲ ଟାଇଗର।

-ରାହୁଲ ଦ୍ରାବିଡ଼ (୨୦୦୭)
୪ ବର୍ଷ ତଳେ ଦକ୍ଷିଣ ଆଫ୍ରିକାରେ ଫାଇନାଲ୍ ଖେଳିଥିବା ଭାରତ କିନ୍ତୁ କାରବୀୟ କଷ୍ଟ ସହିତ ଏଥର ପ୍ରଥମ ରାଉଣ୍ଡରୁ ଅଶ୍ରୁଳ ବିଦାୟ ନେଇଥିଲା। ରାହୁଲ ଦ୍ରାବିଡ଼ଙ୍କ ଦଳରେ ସଚିନ ତେନ୍ଦୁଲକର, ଯୁବରାଜ ସିଂହ,‌ ସୌରଭ ଗାଙ୍ଗୁଲି, ବୀରେନ୍ଦ୍ର ସେବହାଗଙ୍କ ଭଳି ତାରକା ଖେଳାଳି ଥିଲେ। କିନ୍ତୁ ଏମାନେ ଏକାଠି ‌ଭଲ ଖେଳି ପାରିନଥିଲେ। ପ୍ରଶିକ୍ଷକ ଗ୍ରେଗ୍ ଚାପେଲଙ୍କ ନିଷ୍ପତ୍ତିକୁ ରାହୁଲ ଦ୍ରାବିଡ଼ଙ୍କ ଦଳ କାର୍ଯ୍ୟକାରୀ କରିବାରେ ଯେଭଳି ସମ୍ପୂର୍ଣ୍ଣ ବିଫଳ ହୋଇଥିଲା। ବାଂଲାଦେଶ ନିକଟରୁ ପରାଜୟ ବରଣ କରିବା ପରେ ଆଉ ଆଗକୁ ବଢ଼ି ପାରିନଥିଲା।

-ମହେନ୍ଦ୍ର ସିଂହ ଧୋନି (୨୦୧୧ ଏବଂ ୨୦୧୫)
୨୦୧୧ ମସିହାର ଫାଇନାଲ୍ ପର୍ଯ୍ୟନ୍ତ ମହେନ୍ଦ୍ର ସିଂହ ‌ଧୋନି ଭାରତରେ ଅନୁଷ୍ଠିତ ଏହି ସଂସ୍କରଣରେ ନିରବ ସାଧକ ଥିଲେ। ଶ୍ରୀଲଙ୍କା ବିପକ୍ଷ ଗୁରୁତ୍ବପୂର୍ଣ୍ଣ ଫାଇନାଲରେ କିନ୍ତୁ ଧୋନି ୯୧* ରନ୍‌ର ବହୁମୂଲ୍ୟ ପାଳି ଖେଳିଥିଲେ। ଭାରତକୁ ଦୀର୍ଘ ୨୮ ବର୍ଷ ପରେ ପୁଣି ବିଶ୍ବ ମୁକୁଟ ଦେବାରେ ଅଧିନାୟକ ଧୋନିଙ୍କ ଭୂମିକା ଅତୁଳନୀୟ ଥିଲା। ଏହି ଦାୟିତ୍ବପୂର୍ଣ୍ଣ ପାଳି ଏବଂ ବିଶ୍ବକପ୍‌ ବିଜୟ ହିଁ ଧୋନିଙ୍କୁ ସୀମିତ ଓଭର କ୍ରିକେଟ୍‌ରେ ସର୍ବକାଳୀନ ମହାନଙ୍କ ମଧ୍ୟରେ ସାମିଲ କରି ଦେଇଥିଲା। ବିଶ୍ବକପ୍‌ ସମୟରେ ଧୋନିଙ୍କ ମ୍ୟାଚ୍‌ ସଚେତନତା ଏବଂ ଚାପ ପରିସ୍ଥିତିରେ ଶାନ୍ତ ସ୍ବଭାବ ହିଁ ତାଙ୍କୁ ବିଶ୍ବ ବିଜେତା କରାଇଥିଲା। କିନ୍ତୁ ୪ ବର୍ଷ ପରେ ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ୍‌ ମାଟିରେ ଅନୁଷ୍ଠିତ ୨୦୧୫ ସଂସ୍କରଣରେ ଭାରତ ଦୁଇ ପାଦ ପଛରେ ରହିଯାଇଥିଲା। ଧୋନିଙ୍କ ଦଳ ସେମିଫାଇନାଲରେ ଘରୋଇ କଙ୍ଗାରୁ ଦଳଠାରୁ ହାରି ବିଦାୟ ନେଇଥିଲା।

ସମ୍ବନ୍ଧିତ ଖବର