ଭାରତ ବିପକ୍ଷ ପାକିସ୍ତାନ ମାମଲା ଖାରଜ : କ୍ଷତି ପୂରଣ ପାଇଁ ଆଇସିସି ଯିବ ବିସିସିଆଇ

କରାଚି: ପାକିସ୍ତାନ ସହ ଦ୍ବିପାକ୍ଷିକ ଶୃଙ୍ଖଳା ଖେଳିବାକୁ ମନା କରିଦେବାରୁ କ୍ଷତି ଭରଣା ନିମନ୍ତେ ଭାରତୀୟ କ୍ରିକେଟ୍‌ ‌ବୋର୍ଡ (ବିସିସିଆଇ) ବିରୋଧରେ ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି) କରିଥିବା ମାମଲା ଆନ୍ତର୍ଜାତିକ କ୍ରିକେଟ୍‌ ପରିଷଦ (ଆଇସିସି) ଖାରଜ କରିଦେଇଛି। ଆଇସିସିର ବିବାଦ ସମାଧାନ ସମିତି ଏହି ମାମଲାକୁ ମଙ୍ଗଳବାର ଖାରଜ କରିଥିଲା ବେଳେ ଏହି ରାୟ ଚୂଡାନ୍ତ ଏବଂ ଏହା ଉପରେ ପୁନଃଅପିଲ କରାଯାଇପାରିବ ନାହିଁ। ବରଂ ଉଭୟ ପକ୍ଷ ରାୟକୁ ମାନିନେବାକୁ ବାଧ୍ୟ ବୋଲି ଆଇସିସି ସ୍ପଷ୍ଟ ନିର୍ଦେଶ ଦେଇଛି। ଅନ୍ୟପକ୍ଷରେ ମାମଲାକୁ ନେଇ ବିବାଦ ପ୍ୟାନେଲ୍‌ର ନିଷ୍ପତ୍ତିକୁ ଦୁଃଖଦାୟକ ଓ ନିରାଶ ବୋଲି ପିସିବି କହିଛି। ଏବେ ହିତାଧିକାରୀଙ୍କ ସହ ପରାମର୍ଶ ଏବଂ ରାୟର ପୂର୍ଣ୍ଣାଙ୍ଗ ବିବରଣୀ ଦେଖିବା ପରେ ପରବର୍ତୀ କାର୍ଯ୍ୟାନୁଷ୍ଠାନ ସଂପର୍କରେ ଚିନ୍ତା କରିବୁ ବୋଲି ପିସିବି କହିଛି। ସେହିପରି ଏହି ମାମଲା ଲଢ଼ିବା ପାଇଁ ଅଦାଲତି ଖର୍ଚ୍ଚ ଭରଣା ପାଇଁ ପିସିବି ବିପକ୍ଷରେ ବିସିସିଆଇ ପାଲଟା ମାମଲା କରିବ ବୋଲି ସିଓଏ ମୁଖ୍ୟ ବିନୋଦ ରାୟ କହିଛନ୍ତି।
ଏଠାରେ ସୂଚନାଯୋଗ୍ୟ, ୨୦୧୫ରୁ ୨୦୨୩ ମସିହା ମଧ୍ୟରେ ଉଭୟ ବୋର୍ଡ ୬ ଶୃଙ୍ଖଳା ଖେଳିବେ ବୋଲି ୨୦୧୪ରେ ପିସିବି ଓ ବିସିସିଆଇ ଏକ ବୁଝାମଣା ସ୍ବୀକାର କରିଥିଲେ। ହେଲେ ଉଭୟ ଦେଶ ମଧ୍ୟରେ କୁଟନୈତିକ ସଂପର୍କ ଖରାପ ଯୋଗୁଁ ପାକିସ୍ତାନ ସହ ଭାରତ ନଖେଳିବାକୁ ନିଷ୍ପତ୍ତି ନେଇଛି। ପାକିସ୍ତାନ ସହ ଖେଳିବାବୁ ଭାରତୀୟ ଦଳକୁ ମଧ୍ୟ ସରକାର ଅନୁମତି ଦେଉନାହାନ୍ତି। ତେଣୁ ଏହାକୁ ନେଇ ପିସିବି ଓ ବିସିସିଆଇ ମଧ୍ୟରେ ବିବାଦର ସୂତ୍ରପାତ ହୋଇଛି। ପାକିସ୍ତାନ ସହ ଭାରତ ନଖେଳିବାରୁ ପିସିବି ଯଥେଷ୍ଟ କ୍ଷତି ସହିଲାଣି। ଏହାକୁ ନେଇ କ୍ଷତିଭରଣା ନିମନ୍ତେ ପିସିବି ବାରମ୍ବାର ବିସିସିଆଇକୁ ଚେତାବନୀ ଦେଇ ଆସୁଥିଲା। ଏପରିକି କ୍ଷତି ବାବଦରେ ବିସିସିଆଇଠାରୁ ପିସିବି ୪୪୭ କୋଟି ଟଙ୍କା ଦାବି କରିଥିଲା। ହେଲେ ବିସିସିଆଇ ଏଥିପ୍ରତି କର୍ଣ୍ଣପାତ କରୁନଥିଲା। ଶେଷରେ ଆଇସିସିର ହସ୍ତକ୍ଷେପ ଲୋଡ଼ି ପିସିବି ମାମଲା ଦାୟର କରିଥିଲା। ହେଲେ ଆଇସିସି ବିବାଦ ସମାଧାନ ସମିତି ଏହାକୁ ଗ୍ରହଣ ନକରି ମାମଲା ଖାରଜ କରିଦେଇଛି।

ସମ୍ବନ୍ଧିତ ଖବର