ଢାକା : ବାଂଲାଦେଶ ବିପକ୍ଷ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ଶୃଙ୍ଖଳାକୁ ମୂଳପୋଛ କରିନେଇଛି ଭ୍ରମଣକାରୀ ୱେଷ୍ଟଇଣ୍ଡିଜ୍ ଦଳ। ପ୍ରଥମ ଟେଷ୍ଟ୍କୁ ୩ ୱିକେଟ୍ରେ ଜିତିଥିବା ୱେଷ୍ଟ୍ଇଣ୍ଡିଜ୍ ରବିବାର ଏଠାରେ ଦ୍ବିତୀୟ ଟେଷ୍ଟ୍କୁ ବି ଗୋଟିଏ ଦିନ ପୂର୍ବରୁ ଜିତି ନେଇଛି। ଦ୍ବିତୀୟ ଟେଷ୍ଟ୍କୁ ୧୭ ରନ୍ରେ ଜିତିବା ପରେ ଇଣ୍ଡିଜ୍ ଦଳ ୨-୦ରେ ଶୃଙ୍ଖଳା ହାତେଇ ନେଇଛି। ମୋଟ ୯ (୫+୪) ୱିକେଟ୍ ଦଖଲ କରିଥିବା ରାଖିମ କର୍ଣ୍ଣୱାଲ ମ୍ୟାଚ୍ର ଏବଂ ଏନ୍କ୍ରୁମା ବୋନେର ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି।
ଦ୍ବିତୀୟ ଟେଷ୍ଟ୍ର ପ୍ରଥମ ପାଳିରେ ୪୦୯ ରନ୍ କରିଥିବା ଇଣ୍ଡିଜ୍ ଘରୋଇ ବାଂଲାଦେଶ ପ୍ରଥମ ପାଳିକୁ ୨୯୬ରେ ରୋକି ଦେଇଥିଲା। ଏହାପରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଇଣ୍ଡିଜ୍ ଦ୍ବିତୀୟ ପାଳି ୧୧୭ ରନ୍ରେ ସଫା ହୋଇଯାଇଥିଲା। ଫଳରେ ବାଂଲାଦେଶ ସମ୍ମୁଖରେ ୨୩୦ ରନ୍ର ବିଜୟ ଲକ୍ଷ୍ୟ ରହିଥିଲା। ଜବାବରେ ଚତୁର୍ଥ ଦିବସରେ ଘରୋଇ ଦଳ ଖୁବ୍ ଲଢ଼ିଥିଲେ ମଧ୍ୟ ୨୧୩ ରନ୍ରେ ସମସ୍ତ ୱିକେଟ୍ ହରାଇଥିଲା। ତମିମ୍ ଇକ୍ବାଲ (୫୦) ଏକମାତ୍ର ଅର୍ଦ୍ଧଶତକ ଜମାଇଥିଲେ ମଧ୍ୟ କର୍ଣ୍ଣୱାଲ (୪/୧୦୫), ଜୋମେଲ ୱାରିକାନ୍ (୩/୪୭) ଓ ଅଧିନାୟକ କ୍ରେଗ୍ ବ୍ରାଥ୍ୱେଟ୍ (୩/୨୫)ଙ୍କ ଚମତ୍କାର ବୋଲିଂ ଇଣ୍ଡିଜ୍କୁ ବିଜୟ ଭେଟି ଦେଇଥିଲା।
ସଂକ୍ଷିପ୍ତ ସ୍କୋର୍: ୱେଷ୍ଟଇଣ୍ଡିଜ୍ ପ୍ରଥମ ପାଳି ୪୦୯। ବାଂଲାଦେଶ ପ୍ରଥମ ପାଳି ୨୯୬। ୱେଷ୍ଟଇଣ୍ଡିଜ୍ ଦ୍ବିତୀୟ ପାଳି: ୫୨.୫ ଓଭରରେ ୧୧୭। ବାଂଲାଦେଶ ଦ୍ବିତୀୟ ପାଳି ୬୧.୩ ଓଭରରେ ୨୧୩ (ତମିମ ଇକ୍ବାଲ-୫୦, ମେହେଦି ହାସନ ମିରାଜ-୩୧, ମୋମିନୁଲ ହକ୍-୨୬, ଲିଟନ ଦାସ-୨୨, ନୟିମ୍ ହାସନ୍-୧୪, ମୁସ୍ଫିକର ରହିମ୍-୧୪, ସୌମ୍ୟ ସର୍କାର-୧୩, ରଖିମ କର୍ଣ୍ଣୱାଲ-୪/୧୦୫, ସାନନ୍ ଗାବ୍ରିଏଲ୍-୩/୭୦, ଜୋମେଲ ୱାରିକାନ୍-୩/୪୭, କ୍ରେଗ୍ ବ୍ରାଥ୍ୱେଟ୍-୨/୨୫)।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/wi.jpg)