ନୂଆଦିଲ୍ଲୀ: ଭାରତର ରନ୍ ପାହାଡ଼ (୫୧୮/୫, ଘୋଷଣା) ବୋଝରେ ଚାପିହୋଇ ୨୪୮ ରନ୍ରେ ଅଲ୍ଆଉଟ୍ ହୋଇଥିବା ୱେଷ୍ଟଇଣ୍ଡିଜ୍ ଦ୍ବିତୀୟ ପାଳିରେ ଅପେକ୍ଷାକୃତ ଭଲ ବ୍ୟାଟିଂ କରିଛି। ଫଲୋଅନ୍ ପରେ ୨ ୱିକେଟ୍ ହରାଇ ୧୭୩ ରନ୍ କରିନେବା ସହ ଉଭୟ ପାଳିକୁ ମିଶାଇ ଭାରତଠାରୁ ଏବେ ମାତ୍ର ୯୭ ରନ୍ ପଛରେ ରହିଛି। ଦୁଇ ଶୀର୍ଷକ୍ରମ ବ୍ୟାଟର୍ ତେଜନାରାୟଣ ଚନ୍ଦରପଲ୍ (୧୦) ଓ ଆଲିକ୍ ଅଥାଞ୍ଜେ (୭) ପୁଣି ଥରେ ବିଫଳ ହେବା ପରେ ଅହମଦାବାଦ ଭଳି ନୂଆଦିଲ୍ଲୀରେ ବି ଭାରତ ପାଇଁ ପାଳି ବିଜୟର ସମ୍ଭାବନା ସୃଷ୍ଟି ହୋଇଥିଲା। ତେବେ ୱେଷ୍ଟଇଣ୍ଡିଜ୍ର ଦୁଇ ଅଭିଜ୍ଞ ଖେଳାଳି ଓପନର ଜନ୍ କ୍ୟାମ୍ପବେଲ୍ (୮୭*) ଏବଂ ଅଭିଜ୍ଞ ସାଇ ହୋପ୍ (୬୬) ଏହା କରାଇ ଦେଇ ନଥିଲେ। ଉଭୟ ଶୃଙ୍ଖଳାରେ ପ୍ରଥମ ଥର ଆତ୍ମବିଶ୍ବାସର ସହ ଖେଳି ଅବିଭାଜିତ ତୃତୀୟ ୱିକେଟ୍ରେ ୧୩୮ ରନ୍ର ଭାଗୀଦରି କରି ଭାରତ ପାଇଁ ଅଡ଼ୁଆ ସୃଷ୍ଟି କରିଛନ୍ତି। ଏହା ମଧ୍ୟ ଇଣ୍ଡିଜ୍ର ଚଳିତବର୍ଷ ପାଇଁ ଦଳଗତ ଭାବେ ସର୍ବୋଚ୍ଚ ଭାଗୀଦାରି ହୋଇଛି। ସେହିଭଳି ଚଳିତବର୍ଷ ପ୍ରଥମ ଥର ପାଇଁ ପ୍ରତିପକ୍ଷ ଦଳକୁ ଇଣ୍ଡିଜ୍ ଦ୍ବିତୀୟ ନୂଆ ବଲ୍ ନେବାକୁ ବାଧ୍ୟ କରିଛି। ଭାରତୀୟ ବୋଲରମାନେ ରବିବାର ଶତଚେଷ୍ଟା କରି ମଧ୍ୟ ଏମାନଙ୍କ ରକ୍ଷା କବଚକୁ ଭେଦ କରିପାରି ନାହାନ୍ତି। କ୍ୟାମ୍ପବେଲ୍ ଓ ହୋପ୍ ଅର୍ଦ୍ଧଶତକ ପୂରଣ କରିବା ପରେ ଏକାଗ୍ରତା ନ ହରାଇ ଅପରାଜିତ ରହିବା ମଧ୍ୟ ଇଣ୍ଡିଜ୍ ପାଇଁ ଆଉ ଏକ ଭଲ ଖବର ହୋଇଛି। ସେପଟେ କଚଟି ସ୍ପିନର କୁଲଦୀପ ଯାଦବଙ୍କ କମାଲ ପରେ ପ୍ରଥମ ପାଳିରେ ଇଣ୍ଡିଜ୍କୁ ଅଢ଼େଇ ଶହ ରନ୍ ତଳେ ଅଟକାଇ ଦେଇଥିବା ଭାରତୀୟ ଦଳ ଚତୁର୍ଥ ଦିନ ସକାଳେ ଏହି ଯୋଡ଼ିକୁ ଭାଙ୍ଗିବା ଲକ୍ଷ୍ୟରେ ରହିଛି। ତୃତୀୟ ଦିନ ଷ୍ଟମ୍ପ୍ସ ବେଳକୁ କ୍ୟାମ୍ପବେଲ୍ ଲଢ଼ୁଆ ଶତକଠାରୁ ୧୩ ରନ୍ ପଛରେ ରହିଛନ୍ତି। ହୋପ୍ ୬୬* ରନ୍ କରି ତାଙ୍କ ପଛରେ ଅଛନ୍ତି।
ଇଣ୍ଡିଜ୍ ଆଜି ୧୪୦/୪ରୁ ଖେଳ ଆରମ୍ଭ କରିଥିଲା। କୁଲଦୀପ ୨୩ ରନ୍ ଭିତରେ ୨ ୱିକେଟ୍ ନେଇ ଇଣ୍ଡିଜ୍ର ସବୁ ରଣନୀତି ବିଗାଡ଼ି ଦେଇଥିଲେ। ହେଲେ ଇଣ୍ଡିଜ୍ ନିମ୍ନକ୍ରମ ବ୍ୟାଟର୍ କିଛିଟା ଲଢ଼େଇ କରିଥିଲେ। ନବମ ୱିକେଟ୍ରେ ଖାରୀ ପିଏରେ ଓ ଆଣ୍ଡରସନ୍ ଫିଲିପ୍ ୧୬.୫ ଓଭର ପର୍ଯ୍ୟନ୍ତ ଘରୋଇ ବୋଲରଙ୍କୁ ଘଣେଇ ଥିଲେ। ଶେଷ ୪ ବ୍ୟାଟର୍ ମିଶି ୮୧.୫ ଓଭର ପର୍ଯ୍ୟନ୍ତ ନିଜ ଦଳର ପାଳି ଭିଡ଼ି ନେଇଥିଲେ। ଇଣ୍ଡିଜ୍ ଶେଷରେ ୨୪୮ ରନ୍ରେ ଅଲଆଉଟ୍ ହୋଇଯାଇଥିଲା। ୩୧ବର୍ଷୀୟ କୁଲଦୀପ ନିଜ କ୍ୟାରିୟରର ପଞ୍ଚମ ପାଞ୍ଚ ୱିକେଟ୍ ସଫଳତା ଲାଭ କରିଥିଲେ। ଇଣ୍ଡିଜ୍ ପ୍ରଥମ ପାଳି ଭିତ୍ତିରେ ୨୭୦ ରନ୍ ପଛରେ ରହିବା ପରେ ଭାରତୀୟ ଅଧିନାୟକ ଶୁବମନ୍ ଗିଲ୍ ତାକୁ ଫଲୋଅନ୍ ଡାକିଥିଲେ। ମହମ୍ମଦ ସିରାଜ ଓ ୱାସିଂଟନ୍ ସୁନ୍ଦର ପ୍ରଥମ ୧୫ ଓଭର ଭିତରେ ଗୋଟିଏ ଲେଖାଏଁ ୱିକେଟ୍ ବାଣ୍ଟି ନେଇଥିଲେ। ଯଶପ୍ରୀତ୍ ବୁମ୍ରା, କୁଲଦୀପ ଓ ଜାଡ଼େଜା ୱିକେଟ୍ ଶୂନ୍ୟ ରହିବା ଭାରତକୁ ଟିକିଏ ଚିନ୍ତାରେ ପକାଇଥିଲା। ତଥାପି ପୂରା ଦୁଇ ଦିନର ଖେଳ ବାକି ଥିବାରୁ ଭାରତ ହାତରେ ଏବେବି ଏହି ମ୍ୟାଚ୍ ରହିଛି ବୋଲି କୁହାଯାଇପାରେ।
ସଂକ୍ଷିପ୍ତ ସ୍କୋର୍: ଭାରତ ପ୍ରଥମ ପାଳି-୫୧୮/୫ (ଘୋଷଣା)। ୱେଷ୍ଟଇଣ୍ଡିଜ୍ ପ୍ରଥମ ପାଳି- ୮୧.୫ ଓଭରରେ ୨୪୮ (ଆଲିକ ଅଥାଞ୍ଜେ-୪୧, ସାଇ ହୋପ୍-୩୬, ତେଜନାରାୟଣ ଚନ୍ଦରପଲ୍-୩୧, ଆଣ୍ଡରସନ୍ ଫିଲିପ-୨୪*, କୁଲଦୀପ ଯାଦବ-୫/୮୨, ରବୀନ୍ଦ୍ର ଜାଡ଼େଜା-୩/୪୬)। ୱେଷ୍ଟଇଣ୍ଡିଜ୍ ଦ୍ବିତୀୟ ପାଳି ୪୯ ଓଭରରେ ୧୭୩/୨ (ଜନ୍ କ୍ୟାମ୍ପବେଲ୍-୮୭*, ସାଇ ହୋପ୍-୬୬*, ମହମ୍ମଦ ସିରାଜ-୧/୧୦, ୱାସିଂଟନ୍ ସୁନ୍ଦର-୧/୪୪)।
ସିଲ୍ସଙ୍କ ୨୫% ମ୍ୟାଚ୍ ଫି କଟିଲା
ଆଇସିସି ଆଚରଣ ସଂହିତା ଉଲ୍ଲଂଘନ ଅଭିଯୋଗରେ ୱେଷ୍ଟଇଣ୍ଡିଜ୍ ଦ୍ରୁତ ବୋଲର ଜେଡେନ୍ ସିଲ୍ସ ନିଜ ମ୍ୟାଚ୍ ପାଉଣାର ୨୫ ପ୍ରତିଶତ ହରାଇଛନ୍ତି। ତା’ ସହିତ ଗୋଟିଏ ଡି’ ମେରିଟ୍ ପଏଣ୍ଟ୍ ମଧ୍ୟ ପାଇଛନ୍ତି। ନୂଆଦିଲ୍ଲୀ ଟେଷ୍ଟ୍ର ପ୍ରଥମ ଦିନରେ ସିଲ୍ସ ନିଜ ଫଲୋ ଥ୍ରୁରେ ଫିଲ୍ଡିଂ କରି ଭାରତୀୟ ବୋଲର ଯଶସ୍ବୀ ଜୟସ୍ବାଲଙ୍କ ଆଡ଼କୁ ବଲ୍ ଖୁବ୍ ଜୋର୍ରେ ଫିଙ୍ଗିଥିଲେ। ବଲ୍ ସିଧା ଯାଇ ଜୟସ୍ବାଲଙ୍କ ପ୍ୟାଡ୍ରେ ବାଜିଥିଲା। ଏଭଳି କରିବା ଆଇସିସି ଆଚରଣ ସଂହିତାର ଲେବଲ-୧କୁ ଉଲ୍ଲଂଘନ କରୁଥିବାରୁ ମ୍ୟାଚ୍ ରେଫରି ତାଙ୍କୁ ଦଣ୍ଡିତ କରିଥିଲେ। ସିଲ୍ସ କିନ୍ତୁ ଏହି ଦଣ୍ଡ ବିରୋଧରେ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି।