ଆଉ ଏକ ବିପର୍ଯ୍ୟୟ ପାଇଁ ଇଣ୍ଡିଜ୍ ସକ୍ଷମ

-ହର୍ଷ ଭୋଗଲେ-

ପାକିସ୍ତାନ ବିପକ୍ଷରେ ୱେଷ୍ଟଇଣ୍ଡିଜ୍ ଜମାଣିଆ ଏବଂ ପ୍ରଶଂସନୀୟ ପ୍ରଦର୍ଶନ କରିଥିଲା। ଅଷ୍ଟ୍ରେଲିଆ କିନ୍ତୁ ଇଣ୍ଡିଜ୍‌କୁ ଧରାଶାୟୀ କରିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛି। ସେଥିପାଇଁ ଗୁରୁବାର ଏକ ଭଲ ମ୍ୟାଚ୍ ଦେଖିବାକୁ ମିଳିବ ବୋଲି ମୁଁ ଭାବୁଛି। ସତ କହିବାକୁ ଗଲେ, ବିଶ୍ବକପ୍ ପୂର୍ବରୁ ୱେଷ୍ଟଇଣ୍ଡିଜ୍‌କୁ ନେଇ କେହି ବି ଆଶାବାଦୀ ନଥିଲେ। ସେମାନେ ଚାମ୍ପିଅନ୍ସ ଟ୍ରଫି ପାଇଁ ଯୋଗ୍ୟତା ଅର୍ଜନ କରି ପାରି ନଥିଲେ। କଷ୍ଟେମଷ୍ଟେ ବିଶ୍ବକପ୍ ଟିକେଟ ପାଇଥିଲେ। ସକାରାତ୍ମକ ଅପେକ୍ଷା ନକାରାତ୍ମକ କାରଣ ପାଇଁ ସେମାନେ ଅଧିକ ଚର୍ଚାରେ ଥିଲେ। କାରବୀୟ ଅଞ୍ଚଳରେ ସମ୍ଭବତଃ ଏବେ ଶୀତଳ ଏବଂ ସତେଜ ପବନ ବହୁଛି। ‌ଖେଳାଳିମାନେ ନିରାଶାବାଦୀ ନହୋଇ ଆଶାବାଦୀ ଅଛନ୍ତି। ଏବେ ସେମାନଙ୍କୁ ଏହାକୁ ସ୍ଥିର ପ୍ରଦର୍ଶନରେ ରୂପାନ୍ତର କରିବାକୁ ପଡ଼ିବ। କାରଣ ଏହା ହିଁ ସବୁଠାରୁ ବେଶି ଗୁରୁତ୍ବପୂର୍ଣ୍ଣ। ଆମେ ସମସ୍ତେ ଜାଣିଛେ, ୱେଷ୍ଟଇଣ୍ଡିଜ୍ ପାଖରେ ସେଇ ଶକ୍ତି ଓ ଦକ୍ଷତା ଅଛି। ସେମାନେ ବିଜୟ ହାସଲ କରିପାରିବେ ବୋଲି ସମସ୍ତେ ଜାଣିଛନ୍ତି। ହେଲେ ସେମାନେ କ’ଣ ସ୍ଥିର ପ୍ରଦର୍ଶନ ଦେଇ ପାରିବେ? ମୁଁ କହି ପାରିବି ଯେ ସ୍ଥିରତା ହିଁ କୌଣସି ପ୍ରତିଯୋଗିତା ଜିତିବାର ମୂଳମନ୍ତ୍ର। ସେପଟେ ବଡ଼ ପ୍ରତିଯୋଗିତାକୁ କେମିତି ଜିତିବାକୁ ହୁଏ, ଅଷ୍ଟ୍ରେଲିଆ ଭଲ ଭାବରେ ଜାଣିଛି। ୨୦୧୮ରେ ଦୟନୀୟ ପ୍ରଦର୍ଶନ କରିବା ପରେ ସେମାନଙ୍କୁ କିଛି ଭଲ ଖବର ମଧ୍ୟ ମିଳିଛି। ଡେଭିଡ୍ ୱାର୍ନର ଫେରିଛନ୍ତି। ସେ ଚଳିତ ବିଶ୍ବକପ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କଲେ ମୁଁ ଆଦୌ ବିସ୍ମିତ ହେବିନି। ଷ୍ଟିଭ୍ ସ୍ମିଥଙ୍କୁ ତାଙ୍କ ବ୍ୟାଟ୍‌ରେ ଲାଗି ଯାଇଥିବା କଳଙ୍କ ହଟାଇବାକୁ ହେବ। ମୁଁ ଭାବୁଛି ମ୍ୟାକ୍ସୱେଲ୍ ‘ଗେମ୍ ଚେଞ୍ଜର’ ହେବେ। ଶୀର୍ଷ ୪ ଭଲ ମୁଳଦୁଆ ପକାଇ ପାରିଲେ ସେ ଏହାର ପୂରା ଫାଇଦା ଉଠାଇବେ। ବ୍ୟାଟରଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ହୋଇଥିଲେ ବି ମୋ ମତରେ ବୋଲର ପ୍ରତିଯୋଗିତା ଜିତାନ୍ତି। ସେଥିପାଇଁ ମିଚେଲ ଷ୍ଟାର୍କ ତାଙ୍କ ପୁରୁଣା ଲୟ ଫେରିବା ପାଇବା ଅତି ମହତ୍ବପୂର୍ଣ୍ଣ। ଆଘାତ ଜନିତ ସମସ୍ୟା ପାଇଁ ଶାରୀରିକ ବାଧା ସୃଷ୍ଟି ହେବା ପୂର୍ବରୁ ଧଳା ବଲ୍ କ୍ରିକେଟର ସେ ଜଣେ ଶ୍ରେଷ୍ଠ ବୋଲର ଥିଲେ। ସବୁ କିଛି ସଜାଡ଼ି ନେବା ଲାଗି ବିଶ୍ବକପ୍‌ରେ ଅବଶ୍ୟ ତାଙ୍କୁ ପର୍ଯ୍ୟାପ୍ତ ମ୍ୟାଚ୍ ମିଳିବ। ୱେଷ୍ଟଇଣ୍ଡିଜ୍ ଯଦି ଗୁରୁବାର ଅଷ୍ଟ୍ରେଲିଆକୁ ହରାଇବ ଏହାକୁ ଆଉ ଏକ ବଡ଼ ବିପର୍ଯ୍ୟୟ କୁହାଯାଇ ପାରିବ।

ସମ୍ବନ୍ଧିତ ଖବର