ଇଣ୍ଡିଜ୍‌ ୩୮୧ ରନ୍‌ରେ ଜିତିଲା:ଚେଜ୍‌ଙ୍କୁ ୮ ୱିକେଟ୍‌

ବ୍ରିଜ୍‌ଟାଉନ୍‌: ଇଂଲଣ୍ଡ ବିପକ୍ଷ ପ୍ରଥମ‌ ଟେଷ୍ଟ୍‌କୁ ୱେଷ୍ଟଇଣ୍ଡିଜ୍ ୩୮୧ ରନ୍‌ରେ ଜିତିଛି। ଏଥି ସହିତ ନିଜ ଟେଷ୍ଟ୍ କ୍ରିକେଟ୍ ଇତିହାସରେ ବି ରନ୍ ବ୍ୟବଧାନରେ ସବୁଠୁ ବଡ଼ ବିଜୟ ହାସଲ କରିନେଇଛି। ୩ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ବି ଘରୋଇ ଦଳ ୧-୦ରେ ଆଗୁଆ ହୋଇଯାଇଛି। ଏହି ଟେଷ୍ଟ୍‌ର ତୃତୀୟ ଦିବସ ୱିକେଟଶୂନ୍ୟ ରହିବା ପରେ ଚତୁର୍ଥ ଦିବସରେ ଅଫସ୍ପିନର୍ ରସ୍ତନ୍ ଚେଜ୍‌ ଇଂଲଣ୍ଡର ୮ ୱିକେଟ୍ ଦଖଲ କରି ୪ ଅଧିବେସନ୍ ପୂର୍ବରୁ ମ୍ୟାଚ୍ ଶେଷ କରିଥିଲେ। ନିଜର ତୃତୀୟ ଟେଷ୍ଟ୍‌ ଶତକକୁ ଦ୍ବିଶତକରେ ପରିଣତ କରିଥିବା ଅଧିନାୟକ ଜାସନ୍ ହୋଲ୍‌ଡର ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି।
ଏହି ଟେଷ୍ଟ୍‌ରେ ଗୁରୁବାର ଥିଲା ୱିକେଟଶୂନ୍ୟ ଦିବସ। ପୂର୍ବ ଦିନରୁ ଖେଳରୁ ଆରମ୍ଭ କରି ୱିକେଟରକ୍ଷକ ସନ୍ ଡାଓରିଚ୍‌ (୧୧୧*, ୨୨୪ ବଲ୍, ୧୧ ଚୌକା, ୧ ଛକା) ଏବଂ ଜାସନ୍ ହୋଲ୍‌ଡର (୨୦୨*, ୨୨୯ ବଲ୍, ୨୩ ଚୌକା, ୮ ଛକା) ଅତୁଟ ସପ୍ତମ ୱିକେଟ୍‌ରେ ୨୯୫ ରନ୍ ଯୋଡ଼ିଥିଲେ। ନିଜ ଦ୍ବିଶତକ ହାସଲ କରିବା ମାତ୍ରେ ୪୧୫/୬ରେ ପାଳି ଘୋଷଣା କରିଥିଲେ ହୋଲ୍‌ଡର। ଭ୍ରମଣକାରୀ ଜୋ ରୁଟ୍‌ଙ୍କ ଦଳ ସମ୍ମୁଖରେ ଅସମ୍ଭବ ୬୨୮ ରନ୍ ବିଜୟ ଲକ୍ଷ୍ୟ ରହିଥିଲା। ଇଂଲଣ୍ଡ ତୃତୀୟ ଦିନ ଖେଳ ବନ୍ଦ ବେଳକୁ ବିନା କ୍ଷତିରେ ୫୬ ରନ୍ ସଂଗ୍ରହ କରି ନେଇଥିଲା। ଚତୁର୍ଥ ଦିବସରେ କିନ୍ତୁ ରସ୍ତନ୍ ଚେଜ୍‌ (୨୧.୪-୨-୬୦-୮)ଙ୍କ ଶ୍ରେଷ୍ଠ ବୋଲିଂକୁ ସମ୍ମୁଖୀନ ହୋଇନପାରି ଇଂଲିସ୍ ବ୍ୟାଟସମ୍ୟାନ୍‌ମାନେ ୨୪୬ ରନ୍‌ରେ ପ୍ୟାଭିଲିୟନ୍‌ ଫେରି ଯାଇଥିଲେ। ବିଜୟ ପରେ ବାର୍ବାଡୋସ୍ ପ୍ରଧାନମନ୍ତ୍ରୀ ମିଆ ମ‌ୋଟଲେ ଅଧିନାୟକ ହୋଲଡରଙ୍କୁ ଆଲିଙ୍ଗନ କରି ଅଭିନନ୍ଦନ ଜଣାଇଥିଲେ। ହୋଲ୍‌ଡରଙ୍କୁ ମଧ୍ୟ ଜଣେ କିମ୍ବଦନ୍ତୀ ଖେଳାଳି ଆଖ୍ୟା ଦେଇଥିଲେ ରସ୍ତନ୍ ଚେଜ୍‌।
ସଂକ୍ଷିପ୍ତ ସ୍କୋର: ୱେଷ୍ଟଇଣ୍ଡିଜ୍ ୨୮୯ (ହେଟମେୟର-୮୧, ଜେମ୍ସ ଆଣ୍ଡରସନ୍‌-୫/୪୬) ଏବଂ ୪୧୫/୬, ଘୋଷଣା (ଜାସନ୍ ହୋଲଡର-୨୦୨*, ସନ୍ ଡାଓରିଚ୍‌-୧୧୬*, ମୋଇନ୍ ଅଲୀ-୩/୭୮)। ଇଂଲଣ୍ଡ୍ : ୭୭ (କିଟନ୍ ଜେନିଙ୍ଗ୍‌ସ-୧୭, କେମାର ରୋଚ୍‌-୫/୧୭, ଜାସନ୍ ହୋଲ୍‌ଡର-୨/୧୫) ଏବଂ ୨୪୬ (ରୋରି ବର୍ନସ୍‌-୮୪, ରସ୍ତନ୍ ଚେଜ୍‌-୮/୬୦)।

ସମ୍ବନ୍ଧିତ ଖବର