ଜାକର୍ତା: ପ୍ରମୁଖ ଭାରତୀୟ ତାରକା ପିଭି ସିନ୍ଧୁ ଓ କିଦାମ୍ବି ଶ୍ରୀକାନ୍ତ ଇଣ୍ଡୋନେସିଆ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ବୁଧବାରଠୁ ଏଠାରେ ଆରମ୍ଭ ହୋଇଥିବା ବିଡବ୍ଲୁଏଫ୍ ବିଶ୍ବ ଟୁର୍ ସୁପର ୧୦୦୦ ପ୍ରତିଯୋଗିତାର ମହିଳା ଏକକ ପ୍ରଥମ ରାଉଣ୍ଡରେ ପଞ୍ଚମ ମାନ୍ୟତାପ୍ରାପ୍ତ ସିନ୍ଧୁ ୧୧-୨୧, ୨୧-୧୫ ଓ ୨୧-୧୫ରେ ଜାପାନ ପ୍ରତିଦ୍ବନ୍ଦ୍ବୀ ଆୟା ଓହରିଙ୍କୁ ଏବଂ ପୁରୁଷ ଏକକ ପ୍ରଥମ ରାଉଣ୍ଡ୍ରେ ଅଷ୍ଟମ ମାନ୍ୟତାପ୍ରାପ୍ତ ଶ୍ରୀକାନ୍ତ ୨୧-୧୪ ଓ ୨୧-୧୩ ସିଧାସଳଖ ଗେମ୍ରେ ଅନ୍ୟତମ ଜାପାନୀ ପ୍ରତିଦ୍ବନ୍ଦ୍ବୀ କେଣ୍ଟା ନିଶିମାଟୋଙ୍କୁ ପରାସ୍ତ କରି ଦ୍ବିତୀୟ ରାଉଣ୍ଡ ସ୍ଥାନ ପକ୍କା କରିଛନ୍ତି। ତେବେ ଚଳିତ ବର୍ଷ ସ୍ବିସ୍ ଓପନ୍ ଫାଇନାଲ୍ ପ୍ରବେଶ କରିଥିବା ବି ସାଇ ପ୍ରଣୀତ ଏବଂ ଏଚ୍ଏସ୍ ପ୍ରଣୟ ପୁରୁଷ ଏକକରେ ଆରମ୍ଭରୁ ପରାଜୟର ସାମ୍ନା କରିଛନ୍ତ। ପ୍ରଥମ ରାଉଣ୍ଡରେ ପ୍ରଣୀତ ହଂକଂ ପ୍ରତିଦ୍ବନ୍ଦ୍ବୀ ୱଙ୍ଗ୍ ୱିଙ୍ଗ୍ କି ଭିନ୍ସେଣ୍ଟ୍ଙ୍କ ନିକଟରୁ ୧୫-୨୧, ୨୧-୧୩ ଓ ୧୦-୨୧ରେ ଏବଂ ପ୍ରଣୟ ଚୀନ୍ର ଦ୍ବିତୀୟ ମାନ୍ୟତାପ୍ରାପ୍ତ ସି ୟୁ କ୍ବି’ଙ୍କ ନିକଟରୁ ୨୧-୧୯, ୧୮-୨୧ ଓ ୨୦-୨୨ରେ ହାରି ଯାଇଛନ୍ତି। ଅନ୍ୟପକ୍ଷରେ ମିଶ୍ରିତ ଯୁଗଳରେ ମଧ୍ୟ ଭାରତକୁ ନିରାଶ ହେବାକୁ ପଡ଼ିଛି। ସାତ୍ତ୍ବିକ୍ ସାଇରାଜ ରାଙ୍କିରେଡ୍ଡୀ ଓ ଅଶ୍ବିନୀ ପୋନାପ୍ପା ଯୋଡ଼ି ସିଧାସଳଖ ୧୩-୨୧ ଓ ୧୧-୨୧ ଗେମ୍ରେ ଇଣ୍ଡୋନେସିଆ ଯୋଡ଼ି ଟଣ୍ଟୋଇ ଅହମ୍ମଦ ଓ ୱିନି ଓକ୍ତାଭିନା କାଣ୍ଡୋଙ୍କ ନିକଟରୁ ପରାସ୍ତ ହୋଇଛନ୍ତି।
Advertisment

Sambad is now on WhatsApp
Join and get latest news updates delivered to you via WhatsApp