ଜାକର୍ତା: ପ୍ରମୁଖ ଭାରତୀୟ ତାରକାଙ୍କ ମଧ୍ୟରେ ପିଭି ସିନ୍ଧୁ ଓ କିଦାମ୍ବି ଶ୍ରୀକାନ୍ତ ଇଣ୍ଡୋନେସିଆ ମାଷ୍ଟର୍ସ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର କ୍ବାର୍ଟର ଫାଇନାଲ୍ରୁ ବିଦାୟ ନେଇଥିଲା ବେଳେ ସାଇନା ନେହୱାଲ୍ କିନ୍ତୁ ବିଜୟ ଧାରା ଜାରି ରଖି ସେମିଫାଇନାଲ୍ ସ୍ଥାନ ପକ୍କା କରିଛନ୍ତି। ଶୁକ୍ରବାର ମହିଳା ଏକକ କ୍ବାର୍ଟର ଫାଇନାଲ୍ରେ ତୃତୀୟ ମାନ୍ୟତା ସିନ୍ଧୁ ସିଧାସଳଖ ଗେମ୍ ୧୧-୨୧ ଓ ୧୨-୨୧ରେ ତୃତୀୟ ମାନ୍ୟତା ସ୍ପେନ୍ର କାରୋଲିନା ମାରିନ୍ଙ୍କ ନିକଟରୁ ହାରିଯାଇଥିଲେ। ପରସ୍ପର ୧୩ ଥର ମୁହାଁମୁହିଁ ହୋଇଥିଲା ବେଳେ ସିନ୍ଧୁଙ୍କର ଏହା ସପ୍ତମ ପରାଜୟ ଥିଲା। ଅନ୍ୟପକ୍ଷରେ ପୁରୁଷ ଏକକ କ୍ବାର୍ଟର ଫାଇନାଲ୍ରେ ଲଢ଼େଇ କରିବା ସତ୍ତ୍ବେ ଶ୍ରୀକାନ୍ତ ସିଧାସଳଖ ୧୮-୨୧ ଓ ୧୯-୨୧ରେ ଇଣ୍ଡୋନେସିଆର ଏସୀୟ କ୍ରୀଡ଼ା ବିଜେତା ଜୋନାଥନ୍ କ୍ରିଷ୍ଟିଙ୍କ ନିକଟରୁ ହାରିଗଲେ। ହେଲେ ମହିଳା ଏକକରେ ସାଇନା ଦମ୍ଦାର ବିଜୟ ହାସଲ କଲେ। ଅଷ୍ଟମ ମାନ୍ୟତା ସାଇନା କ୍ବାର୍ଟର ଫାଇନାଲ୍ରେ ଥାଇଲାଣ୍ଡ୍ର ପୋର୍ନପାୱି ଚୋଚୁୱଙ୍ଗ୍ଙ୍କୁ ସିଧାସଳଖ ୨୧-୭ ଓ ୨୧-୧୮ରେ ପରାସ୍ତ କରି ଚଳିତ ଋତୁରେ କ୍ରମାଗତ ଦ୍ବିତୀୟ ସେମିଫାଇନାଲ୍ ପ୍ରବେଶ କରିଛନ୍ତି। ଦୁଇ ଥର ରାଜ୍ୟଗୋଷ୍ଠୀ କ୍ରୀଡ଼ା ବିଜୟିନୀ ସାଇନା ସେମିଫାଇନାଲ୍ରେ ଚୀନ୍ର ହି ବିଙ୍ଗ୍ଜିଆଓ କିମ୍ବା ଚେନ୍ ଜିଆଓଜିନ୍ଙ୍କୁ ଭେଟିବେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp