ଇଣ୍ଡୋନେସିଆ ମାଷ୍ଟର୍ସ ବ୍ୟା‌ଡ୍‌ମିଣ୍ଟନ : ସିନ୍ଧୁ ଆଗକୁ ବଢ଼ିଲେ; ସାଇନା, ପ୍ରଣୀତ, ଶ୍ରୀକାନ୍ତ ଆରମ୍ଭରୁ ବିଦା

ଜାକର୍ତା : ଭାରତୀୟ ବ୍ୟା‌ଡ୍‌ମିଣ୍ଟନ ତାରକା ପିଭି ସିନ୍ଧୁ ଏକମାତ୍ର ଭାରତୀୟ ଭାବେ ଏଠାରେ ଆରମ୍ଭ ହୋଇଥିବା ଇଣ୍ଡୋନେସିଆ ମାଷ୍ଟର୍ସ ପ୍ରତିଯୋଗିତାରେ ବୁଧବାର ଆଗକୁ ବଢ଼ିଛନ୍ତି। ମହିଳା ଏକକ ପ୍ରଥମ ରାଉଣ୍ଡ୍‌ରେ ପଞ୍ଚମ ମାନ୍ୟତାପ୍ରାପ୍ତ ସିନ୍ଧୁ ଜାପାନର ଆୟା ଓହରିଙ୍କୁ ୧୪-୨୧, ୨୧-୧୫ ଓ ୨୧-୧୧ରେ ପରାସ୍ତ କରି ଦ୍ବିତୀୟ ରାଉଣ୍ଡ୍‌ରେ ସ୍ଥାନ ସୁରକ୍ଷିତ କରିଛନ୍ତି। ଏଥି ସହିତ ବିଶ୍ବ ବିଜୟିନୀ ସିନ୍ଧୁ ମଧ୍ୟ ଗତ ୧୦ ମୁକାବିଲା‌ରେ ବିଶ୍ବ ମାନ୍ୟତାର ୨୦ ଆୟା ଓହରିଙ୍କ ବିପକ୍ଷରେ ଅପରାଜେୟ ରହିଛନ୍ତି। ଗତ ସପ୍ତାହରେ ମାଲେସିଆ ମାଷ୍ଟର୍ସ ଦ୍ବିତୀୟ ରାଉଣ୍ଡରେ ମଧ୍ୟ ଆୟାଙ୍କୁ ସିନ୍ଧୁ ପରାସ୍ତ କରିଥିଲେ। ଏଠାରେ ଦ୍ବିତୀୟ ରାଉଣ୍ଡରେ ତାଙ୍କର ମୁକାବିଲା ଅନ୍ୟତମ ଜାପାନୀ ପ୍ରତିଦ୍ବନ୍ଦ୍ବୀ ସାୟାକା ଟାକାହାସିଙ୍କ ସହ ହେବ।

ସିନ୍ଧୁ ଏକା ବୁଧବାର ବିଜୟ ହାସଲ କରିଥିଲା ବେଳେ ଅନ୍ୟତମ ଭାରତୀୟ ସାଇନା ନେହ୍ବାଲ, ବି ସାଇ ପ୍ରଣୀତ, କିଦାମ୍ବି ଶ୍ରୀକାନ୍ତ ଓ ସୌରଭ ବର୍ମା ଆରମ୍ଭରୁ ବିଦାୟ ନେଇଛନ୍ତି। ଗତବର୍ଷର ବିଜୟିନୀ ସାଇନା ମହିଳା ଏକକର ପ୍ରଥମ ରାଉଣ୍ଡ୍‌ରେ ଜାପାନ ପ୍ରତିଦ୍ବନ୍ଦ୍ବୀ ସାୟାକା ଟାକାହାସିଙ୍କ ନିକଟରୁ ୨୧-୧୯, ୧୩-୨୧ ଓ ୫-୨୧ରେ ହାରିଯାଇଛନ୍ତି। ଗତ ସପ୍ତାହରେ ସାଇନା ମାଲେସିଆ ମାଷ୍ଟର୍ସ କ୍ବାର୍ଟର ଫାଇନାଲ୍‌ରେ ପହଞ୍ଚିଥିଲେ ମଧ୍ୟ ଏଠାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି।

ଅନ୍ୟପକ୍ଷରେ ପୁରୁଷ ଏକକରେ ବିଶ୍ବ ପ୍ରତିଯୋଗିତାର କାଂସ୍ୟ ପଦକ ବିଜେତା ପ୍ରଣୀତ ଓ ଶ୍ରୀକାନ୍ତଙ୍କ ପାଇଁ ନୂଆ ବର୍ଷ ଭଲ ଚାଲିନାହିଁ। ଉଭୟେ ୨୦୨୦ରେ ଲାଗଲାଗ ଦୁଇଟି ପ୍ରତିଯୋଗିତାରେ ପ୍ରଥମ ରାଉଣ୍ଡ୍‌ରୁ ହିଁ ବିଦାୟ ନେଇଛନ୍ତି। ଗତ ସପ୍ତାହରେ ମାଲେସିଆ ମାଷ୍ଟର୍ସ ପ୍ରଥମ ରାଉଣ୍ଡ୍‌ରୁ ଦୁହେଁ ବିଦାୟ ନେଇଥିଲେ। ଏହାପରେ ଶ୍ରୀକାନ୍ତ ଇଣ୍ଡୋନେସିଆ ମାଷ୍ଟର୍ସ ପ୍ରଥମ ରାଉଣ୍ଡ୍‌ ମଧ୍ୟ ହାରିଯାଇଛନ୍ତି। ବିଶ୍ବ ମାନ୍ୟତାର ଦ୍ବାଦଶ ଶ୍ରୀକାନ୍ତ ଏହି ରାଉଣ୍ଡ୍‌ରେ ଇଣ୍ଡୋନେସିଆର ସେସାର ହିରେନ୍‌ ରୁସ୍ତଭିଟୋଙ୍କ ନିକଟରୁ ମାତ୍ର ୧ ଘଣ୍ଟା ୩ ମିନିଟ୍‌ ମୁକାବିଲାରେ ୨୧-୧୮, ୧୨-୨୧ ଓ ୧୪-୨୧ରେ ପରାଜୟ ବରଣ କରିଛନ୍ତି। ସେହିପରି ପ୍ରଣୀତ ଏଠାରେ ପ୍ରଥମ ରାଉଣ୍ଡ୍‌ରେ ଅଷ୍ଟମ ମାନ୍ୟତାପ୍ରାପ୍ତ ଚୀନ୍‌ ପ୍ରତିଦ୍ବନ୍ଦ୍ବୀ ସି ୟୁ କ୍ବି’ଙ୍କ ନିକଟରୁ ୨୧-୧୬, ୧୮-୨୧ ଓ ୧୦-୨୧ରେ ହାରିଯାଇଛନ୍ତି। ସୌରଭ ମଧ୍ୟ ଅନ୍ୟତମ ଚୀନ୍‌ ପ୍ରତିଦ୍ବନ୍ଦ୍ବୀ ଲୁ ଗୁଆଙ୍ଗ୍‌ ଜୁ’ଙ୍କଠାରୁ ୨୧-୧୭, ୧୫-୨୧ ଓ ୧୦-୨୧ରେ ପ୍ରଥମ ରାଉଣ୍ଡ୍‌ ହାରି ବିଦାୟ ନେଇଛନ୍ତି। ଅନ୍ୟପକ୍ଷରେ ମିଶ୍ରିତ ଯୁଗଳରେ ମଧ୍ୟ ଭାରତକୁ ଏଠାରେ ପ୍ରାରମ୍ଭିକ ଝଟ୍‌କା ଲାଗିଛି। ପ୍ରଣବ ଜେରି ଚୋପ୍ରା ଓ ସିକ୍କି ରେଡ୍ଡୀ ଯୋଡ଼ି ପ୍ରଥମ ରାଉଣ୍ଡ୍‌ରେ ଦକ୍ଷିଣ କୋରିଆ ଯୋଡ଼ି କୋ ସୁଙ୍ଗ୍‌ ହ୍ୟୁନ୍‌ ଓ ଇଓମ୍‌ ହେ ଓନ୍‌ଙ୍କ ନିକଟରୁ ୮-୨୧, ୧୪-୨୧ ସିଧାସଳଖ ଗେମ୍‌ରେ ହାରି ଯାଇଛନ୍ତି।

ସମ୍ବନ୍ଧିତ ଖବର