ଜାକର୍ତ୍ତା: ଏଠାରେ ଆରମ୍ଭ ହୋଇଥିବା ଇଣ୍ଡୋନେସିଆ ଓପନ୍ରେ ଭାରତୀୟ ବ୍ୟାଡମିଣ୍ଟନ ତାରକା ଏଚ୍ଏସ୍ ପ୍ରଣୟ ଦ୍ବିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍ରେ ପ୍ରଣୟ ୨୧-୧୬, ୨୧-୧୪ରେ ୮ନମ୍ବର ମାନ୍ୟତାପ୍ରାପ୍ତ ଜାପାନ୍ର କେଣ୍ଟା ନିଶିମୋଟୋଙ୍କୁ ପରାସ୍ତ କରିଥିଲେ। ବୁଧବାର ଦ୍ବିତୀୟ ରାଉଣ୍ଡରେ ପ୍ରଣୟଙ୍କ ମୁକାବିଲା ହଂକଂର ଏନ୍ଜି କା ଲଙ୍ଗ ଅଙ୍ଗସ୍ଙ୍କ ସହିତ ହେବ। ପିଭି ସିନ୍ଧୁ ମଧ୍ୟ ବିଜୟ ଧାରାକୁ ଫେରିଥିବା ବେଳେ ଇଣ୍ଡୋନେସିଆର ଗ୍ରେଗୋରିଆ ତୁନଜଙ୍ଗଙ୍କୁ ୨୧-୧୯, ୨୧-୧୫ରେ ହରାଇଥିଲେ। ଚଳିତ ବର୍ଷ ଗ୍ରେଗୋରିଆ ଦୁଇଥର ସିନ୍ଧୁଙ୍କୁ ପରାଜିତ କରିଥିବାରୁ ଇଣ୍ଡୋନେସିଆ ଓପନ୍ରେ ଏହି ଭାରତୀୟ ଖେଳାଳି ପ୍ରତିଶୋଧ ନେବାରେ ସଫଳ ହୋଇଛନ୍ତି। ପରବର୍ତ୍ତୀ ପର୍ଯ୍ୟାୟରେ ସିନ୍ଧୁଙ୍କ ପାଇଁ ଆଉ ଏକ ବଡ଼ ପରୀକ୍ଷା ରହିଛି। ଗତଥରର ବିଜେତା ଚାଇନିଜ୍ ତାଇପେର ତାଇ ଜୁ ୟିଙ୍ଗ୍ଙ୍କ ବିପକ୍ଷରେ ସିନ୍ଧୁ ଆଗାମୀ ମ୍ୟାଚ୍ ଖେଳିବେ।
ସେହିପରି ବିଶ୍ବ ଚାମ୍ପିଅନ୍ସିପ୍ କାଂସ୍ୟ ପଦକ ବିଜେତା ଭାରତୀୟ ପୁରୁଷ ଯୁଗଳ ଯୋଡ଼ି ସାତ୍ତ୍ବିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ମଙ୍ଗଳବାର ଫ୍ରାନ୍ସର ଖ୍ରୀଷ୍ଟୋ ପେପୋଭ ଓ ତୋମା ଜୁନିଅର ପୋପୋଭଙ୍କୁ ୨୧-୧୨, ୧୧-୭ରେ ହରାଇ ଦ୍ବିତୀୟ ରାଉଣ୍ଡରେ ପହଞ୍ଚିଛନ୍ତି। ହେଲେ ମହିଳା ଯୁଗଳ ଯୋଡ଼ି ତ୍ରିଶା ଜଲି ଓ ଗାୟତ୍ରୀ ଗୋପୀଚାନ୍ଦ ପ୍ରଥମ ରାଉଣ୍ଡରୁ ବିଦା ହୋଇଛନ୍ତି। ଜାପାନ୍ର ରିନ୍ ଇୱାନ୍ଗା ଓ କାଇ ନାକାନିଶିଙ୍କଠୁ ଏହି ଯୋଡ଼ି ୨୨-୨୦, ୧୨-୨୧, ୧୬-୨୧ରେ ହାରିଯାଇଥିଲେ। ଚଳିତ ବର୍ଷ ଏହି ଯୋଡ଼ି ସିଧାସଳଖ ପ୍ରଥମ ରାଉଣ୍ଡରୁ ବିଦା ହେବାରେ ଏହା ଚତୁର୍ଥ ଘଟଣା। ଏହାବାଦ୍ ଅନ୍ୟତମ ପୁରୁଷ ଯୋଡ଼ି ଏମ୍ଆର୍ ଅର୍ଜୁନ-ଧ୍ରୁବ କପିଳ ୨୧-୧୨, ୬-୨୧, ୨୦-୨୨ ରେ ମାଲେସିଆର ଓଙ୍ଗ ୟୁ ସିନ୍ ଓ ତିଓ ଇ ୟିଙ୍କଠୁ ହାରିଯାଇ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି।