ଇନ୍ଦୋର : ମାତ୍ର ଅଢେଇ ଦିନରେ ଖେଳ ଶେଷ ହୋଇଯିବା ସହ ପିଚ୍ରେ ଅସ୍ବାଭାବିକ ବ୍ୟବହାର ଉଭୟ ଭାରତ ଓ ଅଷ୍ଟ୍ରେଲିଆ ଖେଳାଳିଙ୍କୁ ସମସ୍ୟାରେ ପକାଇଥିଲା। ପରେ ମ୍ୟାଚ୍ ପରିଚାଳନା ଦାୟିତ୍ବରେ ଥିବା ସମସ୍ତ ଅମ୍ପାୟାର, ଉଭୟ ଅଧିନାୟକଙ୍କ ସହ ଆଲୋଚନା କରିବା ପରେ ମ୍ୟାଚ୍ ରେଫରି କ୍ରିସ୍ ବ୍ରଡ୍ ଇନ୍ଦୋର ପିଚ୍କୁ ଖରାପ ମାନ୍ୟତା ଦେଇଛନ୍ତି। ଏଥିସହ ହୋଲ୍କର ଷ୍ଟାଡିୟମ୍କୁ ତିନିଟି ନକାରାତ୍ମକ ପଏଣ୍ଟ ଦିଆଯାଇଥିଲା ବେଳେ ଆସନ୍ତା ୫ ବର୍ଷ ପର୍ଯ୍ୟନ୍ତ ଏହି ମାନ୍ୟତା ବଳବତ୍ତର ରହିବ। ବ୍ରଡ୍ ଆଇସିସିକୁ ଦେଇଥିବା ତାଙ୍କ ରିପୋର୍ଟରେ କହିଛନ୍ତି ଯେ, ପିଚ୍ ଅତ୍ୟନ୍ତ ଶୁଖିଲା ରହିଥିଲା। ଯେଉଁଥିପାଇଁ ବ୍ୟାଟ୍ ଓ ବଲ୍ ମଧ୍ୟରେ ସନ୍ତୁଳନ ରକ୍ଷା କରିପାରୁନଥିଲା ଓ ଆରମ୍ଭରୁ ସ୍ପିନରଙ୍କୁ ସୁହାଇଆସୁଥିଲା। ମ୍ୟାଚ୍ର ପଞ୍ଚମ ବଲ୍ରୁ ପିଚ୍ରୁ ଧୂଳି ଉଠି ଯାଇଥିଲା ଓ ସମୟ ସମୟରେ ପିଚ୍ ଖଣ୍ଡିଆ ହୋଇଯାଇଥିଲା। ଯାହାଫଳରେ ପିଚ୍ରୁ ସେଭଳି କୌଣସି ସିମ୍ରୁ ଗତି ମିଳୁନଥିଲା ବେଳେ ମ୍ୟାଚ୍ ସାରା ଅସନ୍ତୁଳିତ ବାଉନ୍ସ ଦେଖିବାକୁ ମିଳିଥିଲା। ପିଚ୍ ଅତ୍ୟଧିକ ଶୁଖିଲା ହୋଇଯାଇଥିବାରୁ କେଉଁଭଳି ବଲ୍ ଆସିବ ତାହା ଆକଳନ କରିବା ଅସମ୍ଭବ ହୋଇପଡୁଥିଲା ବୋଲି ରିପୋର୍ଟରେ ଦର୍ଶାଯାଇଛି। ତେବେ ଏହି ରିପୋର୍ଟ ବିରୋଧରେ ଅପିଲ୍ କରିବା ପାଇଁ ବିସିସିଆଇକୁ ୧୪ ଦିନ ସମୟ ଦିଆଯାଇଛି। ଯଦି ଗୋଟିଏ ପିଚ୍ ୫ ବର୍ଷିୟା ଅବଧି ମଧ୍ୟରେ ୫ କିମ୍ବା ତାହାଠୁ ଅଧିକ ନକାରାତ୍ମକ ପଏଣ୍ଟ ପାଏ ତାହେଲେ ଉକ୍ତ ଷ୍ଟାଡିୟମ୍କୁ ୧୨ ମାସ ପାଇଁ ବାସନ୍ଦ କରାଯାଏ।
ଇନ୍ଦୋରରେ ଟେଷ୍ଟ ମ୍ୟାଚ୍ କରାଯିବା ପାଇଁ ନିଷ୍ପତ୍ତି ବହୁ ବିଳମ୍ବରେ ନିଆଯାଇଥିବାରୁ ପିଚ୍କୁ ପ୍ରସ୍ତୁତ କରାଯାଇପାରିନଥିବା ଜଣାପଡ଼ିଛି। ବାସ୍ତବରେ ଏହି ମ୍ୟାଚ୍ ଧର୍ମଶାଳାରେ ଆୟୋଜିତ ହେବାର ଥିଲା। କିନ୍ତୁ ଆଉଟଫିଲ୍ଡ ଠିକ୍ ନଥିବାରୁ ମ୍ୟାଚ୍କୁ ଫେବ୍ରୁଆରି ୧୩ ତାରିଖରେ ଇନ୍ଦୋରରେ ଖେଳାଯିବାକୁ ନିଷ୍ପତ୍ତି ହୋଇଥିଲା। ମାତ୍ର ଦୁଇ ସପ୍ତାହ ପୂର୍ବରୁ ଟେଷ୍ଟ ମ୍ୟାଚ୍ କରାଯିବ ବୋଲି ସୂଚନା ଆସିବାରୁ ପିଚ୍କୁ ଯେଉଁଭଳି ପ୍ରସ୍ତୁତ କରାଯିବା କଥା ତାହା ହୋଇପାରିନଥିଲା। ତଥାପି ଭାରତ ପ୍ରଥମେ ବ୍ୟାଟିଂ କରି ଆରମ୍ଭରୁ ୭ ୱିକେଟ୍ ହରାଇବା ପରେ ମଧ୍ୟାହ୍ନବିରତି ସମୟରେ ରାହୁଲ ଦ୍ରାବିଡ୍ ଓ କ୍ୟୁରେଟର ପିଚ୍ ନୀରିକ୍ଷଣ କରିଥିବା ଦେଖାଯାଇଥିଲା। ରୋହିତ ମଧ୍ୟ ଏଭଳି ପିଚ୍ରେ ଖେଳିବାକୁ ଚାହୁଁଥିବା ସାମ୍ବାଦିକ ସମ୍ମିଳନୀରେ କହିଥିଲା ବେଳେ ଷ୍ଟିଭ୍ ସ୍ମିଥ୍ ଏଭଳି ପିଚ୍କୁ ଉପଭୋଗ କରିଥିବା ମତ ରଖିଥିଲେ। କିନ୍ତୁ ପିଚ୍ର ବ୍ୟବହାରକୁ ନେଇ ଉଭୟ ଅଧିନାୟକ ଚିନ୍ତା ପ୍ରକଟ କରିଥିଲେ।
ସୂଚନାଯୋଗ୍ୟ, ପୂର୍ବରୁ ୨୦୧୭ରେ ପୁନେ ଟେଷ୍ଟରେ ଅଷ୍ଟ୍ରେଲିଆ ସମାନ ଟର୍ଣ୍ଣିଂ ପିଚ୍ରେ ଭାରତକୁ ହରାଇଥିଲା ବେଳେ ବ୍ରଡ୍ ମ୍ୟାଚ୍ ରେଫରି ଥିଲେ ଓ ପିଚ୍କୁ ଖରାପ ମାନ୍ୟତା ଦେଇଥିଲେ। ତେବେ ଚଳିତ ବର୍ଡର-ଗାଭାସ୍କର ଟ୍ରଫିରେ ନାଗପୁର ଓ ଦିଲ୍ଲୀକୁ ହାରାହାରି ମାନ୍ୟତା ମିଳିଥିଲା।