ମୁମ୍ବାଇ: ବର୍ଡର-ଗାଭାସ୍କର ଶୃଙ୍ଖଳାକୁ ୧-୩ରେ ହାରିବା ପରେ ଭାରତର ବ୍ୟାଟିଂ ସହ ବୋଲିଂରେ ଥିବା ବିବିଧତା ଓ ଗଭୀରତାର ଅଭାବ ମଧ୍ୟ ପଦାରେ ପଡ଼ିଛି। ବିଶେଷ କରି ଯଶପ୍ରୀତ୍ ବୁମ୍ରାଙ୍କ ଉପରେ ପୂରା ବୋଲିଂ ବାହିନୀ ନିର୍ଭରଶୀଳ ରହିବା ଦଳ ପାଇଁ ନୂଆ ସମସ୍ୟା ଭାବେ ଉଭା ହୋଇଛି। ସିଡ୍ନି ଟେଷ୍ଟ୍ର ଦ୍ବିତୀୟ ପାଳିରେ ବୁମ୍ରାଙ୍କ ଅନୁପସ୍ଥିତି ପାଇଁ ଟିମ୍ ଇଣ୍ଡିଆ ଯେଭଳି ଅସହାୟ ହୋଇଗଲା, ତାହା ଦଳର ବୋଲିଂ ଦକ୍ଷତା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନ୍ୟମାନଙ୍କଠାରୁ ଆଶାଜନକ ସହାୟତା ଓ ସହଯୋଗ ମିଳୁ ନଥିବାରୁ ବୁମ୍ରା ମାତ୍ରାଧିକ ଚାପରେ ଚାପି ହୋଇଯାଇଥିବା ମଧ୍ୟ ଏହି ଶୃଙ୍ଖଳାରୁ ସ୍ପଷ୍ଟ ହୋଇଯାଇଛି। ୩୬ ଟେଷ୍ଟ୍ ପରେ ବି ମହମ୍ମଦ ସିରାଜଙ୍କ ଉପରେ ଦଳ ପୂରା ଭରସା କରି ପାରୁନି। ପ୍ରସିଦ୍ଧ କ୍ରିଷ୍ଣା ଭଲ ବୋଲିଂ କରିଥିଲେ ମଧ୍ୟ ମାତ୍ରାଧିକ ସହଜ ଓ ହାଲ୍କା ବଲ୍ ପକାଉଛନ୍ତି। ଆକାଶ ଦୀପ ଓ ମୁକେଶ କୁମାରଙ୍କ ପାଖରେ ପ୍ରତିଭା ଥିଲେ ମଧ୍ୟ ସର୍ବୋଚ୍ଚ ସ୍ତରରେ ଉଭୟଙ୍କୁ ନିୟମିତ ସୁଯୋଗ ମିଳୁନି। ଜଣେ ଦକ୍ଷ ବାମହାତୀ ବୋଲରଙ୍କ ଅଭାବ ଭାରତ ଢେର କିଛି ବର୍ଷ ହେବ ଅନୁଭବ କରି ଆସୁଛି।
ଅର୍ଶଦୀପ ସିଂହ ଟେଷ୍ଟ୍ କ୍ରିକେଟର୍ ଭାବେ ସେମିତି କିଛି କରି ନାହାନ୍ତି, ୟଶ୍ ଦୟାଲଙ୍କ ସ୍ଥିରତା ନେଇ ମଧ୍ୟ ସନ୍ଦେହ ରହିଛି। ଏଣୁ ବୋଲିଂରେ ଗଭୀରତା ଓ ବିକଳ୍ପର ଅଭାବ ଚୟନକର୍ତ୍ତାଙ୍କୁ ଦ୍ବନ୍ଦ୍ବରେ ପକାଉଛି। ବ୍ୟାଟିଂ କଥା ବିଚାରକୁ ନେଲେ ଦୁଇ କିଂବଦନ୍ତି ତାରକା ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଲଗାତାର ବିଫଳତା ସତ୍ତ୍ବେ ଅଜିତ ଅଗରକରଙ୍କ ନେତୃତ୍ବାଧୀନ ଚୟନ ସମିତି ସେମାନଙ୍କ ବଦଳ ଖେଳାଳି ଖୋଜି ପାଉ ନାହାନ୍ତି। ତାମିଲନାଡ଼ୁର ସାଇ ସୁଦର୍ଶନଙ୍କ ଉପରେ ସମିତିର ନଜର ଥିଲେ ମଧ୍ୟ ଅସ୍ତ୍ରୋପଚାର ପରେ ସେ ସଂପୂର୍ଣ୍ଣ ସୁସ୍ଥ ହୋଇ ନାହାନ୍ତି। ଆଉ ଜଣେ ବାମହାତୀ ବ୍ୟାଟର୍ ଦେବଦତ୍ତ ପଡ଼ିକଲ୍ଙ୍କୁ କିଛି ସୁଯୋଗ ମିଳିଛି, ହେଲେ ସେ ଏହାର ଫାଇଦା ଆପାତତଃ ଉଠାଇ ପାରି ନାହାନ୍ତି। ଅଭିମନ୍ୟୁ ଈଶ୍ବରନ୍ ଗତ ତିନି ଚାରିବର୍ଷ ଧରି ସକ୍ରିୟ ଥିଲେ ମଧ୍ୟ ‘ସେନା’ ଦେଶ (ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ) ପାଇଁ ତାଙ୍କ ବ୍ୟାଟିଂ କଳା ସେତେଟା ଉପଯୋଗୀ ନୁହେଁ ବୋଲି ଅନେକ ସମୟରେ ଚର୍ଚ୍ଚା ହୁଏ। ଏଭଳି ସ୍ଥିତିରେ ଶ୍ରେୟସ୍ ଆୟର କିମ୍ବା ରଜତ ପଟିଦାରଙ୍କୁ ଦଳକୁ ଆଣିବା କଥା ଚୟନକର୍ତ୍ତା ବିଚାରକୁ ନେଇ ପାରନ୍ତି।
ରୋହିତ, କୋହଲିଙ୍କୁ ନେଇ ଦ୍ବନ୍ଦ୍ବରେ ବିସିସିଆଇ
ବର୍ଡର-ଗାଭାସ୍କର ଟ୍ରଫିରେ ଦୁଇ ମହାନ ତାରକା ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଅତ୍ୟନ୍ତ ଖରାପ ପ୍ରଦର୍ଶନ ସତ୍ତ୍ବେ ବିସିସିଆଇ ଉଭୟଙ୍କୁ କିଛି କହି ପାରୁନି। ପୁଣି ଅବସର କଥାକୁ ରୋହିତ ସଂପୂର୍ଣ୍ଣ ଏଡ଼ାଇଯିବା ବୋର୍ଡକୁ ଦୋଛକିରେ ପକାଇଛି। ଉଭୟଙ୍କୁ ଟେଷ୍ଟ୍ କ୍ରିକେଟ୍ରୁ ଅବସର ନେବା କଥା କହିବା ମଧ୍ୟ ବିସିସିଆଇ ପାଇଁ ସହଜ ହେବାକୁ ଯାଉନି। ତେବେ ଜାତୀୟ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚା ଅନୁସାରେ ଉଭୟ କୋହଲି ଓ ରୋହିତଙ୍କ ପ୍ରଦର୍ଶନ ନେଇ ବିସିସିଆଇର ବରିଷ୍ଠ କର୍ମକର୍ତ୍ତାମାନେ ଅସନ୍ତୁଷ୍ଟ ଅଛନ୍ତି। ତେବେ ଦଳର ଭବିଷ୍ୟତ ଦୃଷ୍ଟିରୁ କିଛି କଠୋର ନିଷ୍ପତ୍ତି ନେବାକୁ ଚୟନକର୍ତ୍ତାଙ୍କୁ ପରୋକ୍ଷରେ ସଙ୍କେତ ଦିଆଯାଇ ସାରିଥିବା ଜଣାପଡ଼ିଛି। ବିସିସିଆଇର ପରବର୍ତ୍ତୀ ସଂପାଦକ ଭାବେ ଆସାମର ଦେବଜିତ ସାଇକିଆ ଖୁବ୍ଶୀଘ୍ର ଦାୟିତ୍ବ ଗ୍ରହଣ କରିବାକୁ ଯାଉଥିଲା ବେଳେ ଦଳକୁ ବିଜୟ ଧାରାକୁ ଫେରାଇ ଆଣିବା ଲାଗି ଏଭଳି ନିଷ୍ପତ୍ତିରେ ସମ୍ମତି ଜଣାଇବା ତାଙ୍କ ପାଇଁ ମଧ୍ୟ ସହଜ ହେବନି ବୋଲି କୁହାଯାଉଛି।
ଦ୍ରାବିଡ଼ଙ୍କୁ ମନେ ପକାଇଲେ ଭଜି
ବର୍ଡର-ଗାଭାସ୍କର ଟ୍ରଫିରେ ଭାରତୀୟ ଦଳର ପରାଜୟ ପରେ ପୂର୍ବତନ ଅଫ୍ସ୍ପିନର ହରଭଜନ ସିଂହ ପୂର୍ବତନ ପ୍ରଶିକ୍ଷକ ଓ ଅଧିନାୟକ ରାହୁଲ ଦ୍ରାବିଡ଼ଙ୍କ କାର୍ଯ୍ୟକାଳକୁ ମନେ ପକାଇଛନ୍ତି। ଅନ୍ୟ ପକ୍ଷରେ ଏବେକାର ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ପ୍ରଶିକ୍ଷଣ ଦକ୍ଷତା ଉପରେ ପରୋକ୍ଷରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି। ଭଜି କହିଛନ୍ତି, ଦ୍ରାବିଡ଼ ଥିଲା ବେଳେ ସବୁ କିଛି ଠିକ୍ଠାକ୍ ଥିଲା। ଭାରତ ବିଶ୍ବକପ୍ ଜିତିଲା। ହଠାତ୍ କିନ୍ତୁ ଯେମିତି ସବୁକିଛି ବଦଳିଗଲା। ଗତ ୬ମାସ ଭିତରେ ଆମେ ଶ୍ରୀଲଙ୍କାଠାରୁ ହାରିଛେ, ନ୍ୟୁଜିଲାଣ୍ଡ ବିପକ୍ଷରେ ଘରୋଇ ପରିବେଶରେ ମୂଳପୋଛ ହୋଇଛେ, ଅଷ୍ଟ୍ରେଲିଆଠାରୁ ୧-୩ରେ ହାରିଛେ। ଏତେ କମ୍ ଦିନ ଭିତରେ ଭାରତୀୟ ଦଳର ଏମିତି ଦୟନୀୟ ପରିସ୍ଥିତିକୁ ବିଶ୍ବାସ କରି ହେଉନି। ଭଜି ମଧ୍ୟ ଭାରତୀୟ ଦଳରେ ଥିବା ସୁପରଷ୍ଟାର୍ ସଂସ୍କୃତିକୁ ବନ୍ଦ କରି ପ୍ରଦର୍ଶନ ଆଧାରରେ ଖେଳାଳି ବାଛିବାକୁ ଚୟନକର୍ତ୍ତାଙ୍କୁ ପରାମର୍ଶ ଦେଇଛନ୍ତି। ରଣଜୀ ତାରକା ଅଭିମନ୍ୟୁ ଈଶ୍ବରନ୍ ଓ ସର୍ଫରାଜ ଖାନ୍ଙ୍କ ଭଳି ଖେଳାଳିଙ୍କୁ ଅଣଦେଖା କରାଯିବା ନେଇ ମଧ୍ୟ କ୍ଷୋଭ ପ୍ରକାଶ କରିଛନ୍ତି ସେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/01/07/U7RsyfvDZzfmQhqU3cI2.jpg)