ଶେଷ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍ ଖେଳିବାର ଦୀର୍ଘ ୧୨ ବର୍ଷ ପରେ ମୋଙ୍ଗିଆଙ୍କ ଅବସର

ମୁମ୍ବାଇ : ଶେଷ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍ ଖେଳିବାର ଦୀର୍ଘ ୧୨ ବର୍ଷ ପରେ ବିବାଦୀୟ ଭାରତୀୟ ବ୍ୟାଟ୍ସମ୍ୟାନ୍ ଦୀନେଶ ମୋଙ୍ଗିଆ ବୁଧବାର ସମସ୍ତ ପ୍ରକାର କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ୪୨ ବର୍ଷୀୟ ମୋଙ୍ଗିଆ ୨୦୦୩ ଦକ୍ଷିଣ ଆଫ୍ରିକା ବିଶ୍ବକପ୍‌ରେ ଉପବିଜେତା ହୋଇଥିବା ଭାରତୀୟ ଦଳର ସଦସ୍ୟ ଥିଲେ। ଶେଷ ଥର ପାଇଁ ସେ ୨୦୦୭ ମସିହାରେ ଢାକାଠାରେ ବାଂଲାଦେଶ ବିପକ୍ଷରେ ଭାରତର ପ୍ରତିନିଧିତ୍ବ କରିଥିଲେ। ଏହା ପରେ ବିଦ୍ରୋହୀ ଟ୍ବେଣ୍ଟି-୨୦ ଲିଗ୍ ଆଇସିଏଲ୍‌ରେ ଯୋଗ ଦେଇ ବିସିସିଆଇ ଦ୍ବାରା ବାସନ୍ଦ ହୋଇଥିଲେ। ବିସିସିଆଇ ପରେ ମୋଙ୍ଗିଆଙ୍କୁ ଛାଡ଼ି ଏହି ଲିଗ୍ ଖେଳିଥିବା ସମସ୍ତ ଖେଳାଳିଙ୍କ ଉପରୁ ବାସନ୍ଦାଦେଶ ଉଠାଇ ନେଇଥିଲା। ମୋଙ୍ଗିଆଙ୍କ ବିରୋଧରେ ମ୍ୟାଚ୍ ଫିକ୍ସିଂ ଅଭିଯୋଗ ଆସିଥିବାରୁ ବିସିସିଆଇ ତାଙ୍କ ଉପରୁ ବାସନ୍ଦାଦେଶ ଉଠାଇ ନଥିଲା। ଆଇସିଏଲରେ ମୋଙ୍ଗିଆ ମ୍ୟାଚ୍ ଫିକ୍ସିଂ କରିଥିଲେ ବୋଲି ନ୍ୟୁଜିଲାଣ୍ଡର ଦୁଇ ପୂର୍ବତନ କ୍ରିକେଟର କ୍ରିସ କେନ୍ସ ଓ ଲୁଇ ଭିନସେଣ୍ଟ ୨୦୧୫ରେ ଅଭିଯୋଗ କରିଥିଲେ। ହେଲେ ସେ ଏହି ଅଭିଯୋଗକୁ ଖଣ୍ଡନ କରି ଆସୁଥିଲେ। ମୋଙ୍ଗିଆ ୨୦୦୧ରେ ଅଷ୍ଟ୍ରେଲିଆ ବିପକ୍ଷରେ ଅନ୍ତର୍ଜାତୀୟ ଖେଳ ଜୀବନ ଆରମ୍ଭ କରିଥିଲେ। ବାମହାତୀ ଶୀର୍ଷକ୍ରମ ବ୍ୟାଟିଂ ସହ ଉପଯୋଗୀ ସ୍ପିନର ଥିବା ମୋଙ୍ଗିଆ ୫୧ ଦିନିକିଆ ଖେଳି ୨୭.୯୫ ହାରରେ ୧୨୩୦ ରନ୍ କରିଥିଲେ। ସେ ମଧ୍ୟ ୧୨ ୱିକେଟ୍ ଅକ୍ତିଆର କରିଛନ୍ତି।

ସମ୍ବନ୍ଧିତ ଖବର