ସମଲିଙ୍ଗୀ ଓ କିନ୍ନର ସମ୍ପ୍ରଦାୟଙ୍କ ସମର୍ଥନରେ ଇନ୍‌ଫାଣ୍ଟିନୋ: ‘ଦିନକୁ ତିନିଘଣ୍ଟା ବିୟର ନପିଇଲେ ବି ପ୍ରଶଂସକମାନେ ବଞ୍ଚିପାରିବେ’

ଦୋହା: ସମଲିଙ୍ଗୀ ଓ କିନ୍ନର ସମ୍ପ୍ରଦାୟଙ୍କ ସମର୍ଥନରେ ବାହାରିଛନ୍ତି ଫିଫା ସଭାପତି ଜିଆନି ଇନ୍‌ଫାଣ୍ଟିନୋ। ଫିଫା ବିଶ୍ବକପ୍‌ ଆରମ୍ଭ ହେବାର ଗୋଟିଏ ଦିନ ଆଗରୁ ସମାଲୋଚକକୁ କଡ଼ା ଜବାବ ଦେଇଛନ୍ତି। ଶନିବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ନିଜକୁ କାତାରୀ, ଆରବୀୟ, ଆଫ୍ରିକୀୟ, ଗେ’ ଶ୍ରେଣୀଭୁକ୍ତ, ଭିନ୍ନକ୍ଷମ ଓ ପ୍ରବାସୀ ଶ୍ରମିକଙ୍କ ସହ ତୁଳନା କରି ସମଗ୍ର ମାନବଜାତି ପାଇଁ ଚିନ୍ତା ପ୍ରକଟ କରିଛନ୍ତି ଇନ୍‌ଫାଣ୍ଟିନୋ। ଗତ କିଛି ବର୍ଷ ଧରି ଜାତିଭେଦ ଓ ଦ୍ବୈତ ନୀତି ପାଇଁ କାତାରକୁ ଟାର୍ଗେଟ୍‌ କରାଯାଉଛି। ତେବେ ଏହି ଚିନ୍ତାଧାରାରେ ପରିବର୍ତ୍ତନ ଆଣିବା ଓ ଲୋକମାନଙ୍କ ସ୍ବାଧୀନତାକୁ ସୁରକ୍ଷା ଦେବା ପ୍ରାଥମିକତା ରହିବା ଦରକାର ବୋଲି ସେ କହିଛନ୍ତି। ଫିଫିା ବିଶ୍ବକପ୍‌ ସମଗ୍ର ବିଶ୍ବକୁ ଏକାଠି କରିପାରିବ ବୋଲି ମଧ୍ୟ ସେ ଦାବି କରିଛନ୍ତି।
କାତାରର ନୂଆ ନିୟମ ଅନୁଯାୟୀ ଷ୍ଟାଡିୟମ୍‌ ବାହାରେ ବିୟର ବିକ୍ରି ଉପରେ ପ୍ରତିବନ୍ଧକ ଲଗାଯାଇଛି।

ଏହା ଉପରେ ଇନ୍‌ଫାଣ୍ଟିନୋ କହିଛନ୍ତି ଯେ ବିଶ୍ବକପ୍‌ରେ ପ୍ରଶଂସକମାନେ ବିୟର ବିନା ବି ଦିନକୁ ତିନିଘଣ୍ଟା ବଞ୍ଚିପାରିବେ। ଇସ୍‌ଲାମିକ୍‌ ଦେଶଗୁଡ଼ିକରେ ଆଲ୍‌କହଲ୍‌କୁ କଡ଼ାକଡ଼ି ଭାବେ ବାରଣ କରାଯାଇଛି। କିନ୍ତୁ ବିଶ୍ବକପ୍‌ ସମୟରେ ପ୍ରବଳ ଚାହିଦାକୁ ଦୃଷ୍ଟିରେ ରଖି ଏହି କଟକଣା ଉପରେ କୋହଳ କରାଯାଇଥିଲା। ପ୍ରଶଂସକମାନଙ୍କୁ ବିୟର କିଣିବାକୁ ଷ୍ଟାଡିୟମ ବାହାରେ ବିକ୍ରି କାଉଣ୍ଟର ଖୋଲାଯିବାକୁ କୁହାଯାଇଥିଲା। ହେଲେ ଏବେ ପୁଣି ଥରେ ନିୟମରେ ପରିବର୍ତ୍ତନ କରାଯିବାରୁ ବିଶ୍ବକପ୍‌ ପୂର୍ବରୁ ଏହା ୟୁ ଟର୍ଣ୍ଣ ନେଇଥିବା ଇନ୍‌ଫାଣ୍ଟିନୋ କହିଛନ୍ତି। ଆୟୋଜକଙ୍କ ସହିତ ଆଲୋଚନା କରାଯିବା ପରେ ବିଶ୍ବକପ୍‌ର ୮ ଷ୍ଟାଡିୟମର ବାହାରେ ବିୟର ବିକ୍ରି କରାଯାଇପାରିବନି ବୋଲି ନିଷ୍ପତ୍ତି ହୋଇଛି। ପୂର୍ବରୁ ଫ୍ୟାନ୍‌ ଜୋନ୍‌ ଓ ଧାର୍ଯ୍ୟ ସ୍ଥାନମାନଙ୍କରେ ବିୟର ମିଳିବା ନେଇ କୁହାଯାଇଥିଲା। କିନ୍ତୁ ଷ୍ଟାଡିୟମ ବାହାରୁ ବିୟର ବିକ୍ରି କାଉଣ୍ଟର ହଟାଯିବାକୁ ନିଷ୍ପତ୍ତି ନିଆଯିବା ପରେ ଏହା ଭିନ୍ନ ମୋଡ଼ ନେଇଛି। ‌ସୂଚନା ଅନୁଯାୟୀ, କାତାର ପ୍ରଶାସନର ସର୍ବୋଚ୍ଚ ପରିବାରର ହସ୍ତକ୍ଷେପ ପରେ ନିଷ୍ପତ୍ତିରେ ପରିବର୍ତ୍ତନ କରାଯାଇଛି। ଫଳରେ ବିଶ୍ବକପ୍‌ର ଅନ୍ୟତମ ପ୍ରାୟୋଜକ ବଡ୍‌ୱିଜରକୁ ସାମାନ୍ୟ ଧକ୍କା ଲାଗିଛି। ବିୟର ବିକ୍ରି ପାଇଁ ଷ୍ଟାଡିୟମ ବାହାରେ ଟେଣ୍ଟ ପକାଇ କାଉଣ୍ଟର ଖୋଲାଯିବାକୁ ସେଟ୍‌ଅପ୍‌ ହୋଇସରିଥିଲା। ତେବେ ଏହି ‌କାଉଣ୍ଟରଗୁଡ଼ିକରେ ଅଣ ଆଲ୍‌କହଲିକ୍‌ ପାନୀୟ ବଡ୍‌ ଜିରୋ ବିକ୍ରି କରାଯାଇପାରିବ ବୋଲି ଫିଫା ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର