ଆହତ ରଂଜିତ ବାଦ୍‌; ଶୁଭମ୍‌ଙ୍କୁ ସୁଯୋଗ

ରଣଜୀ ଟ୍ରଫି

କଟକ: ଆସନ୍ତା ୨୪ ତାରିଖରୁ ଆରମ୍ଭ ହେଉଥିବା ରଣଜୀ ଟ୍ରଫିର ତୃତୀୟ ପର୍ଯ୍ୟାୟରେ ଓଡ଼ିଶା ନିଜର ଦ୍ୱିତୀୟ ମ୍ୟାଚ୍‌ ଖେଳିବାକୁ ଯାଉଛି। ବିଜୟନଗରମ୍‌ଠାରେ ହେବାକୁଥିବା ଆନ୍ଧ୍ରପ୍ରଦେଶ ବିପକ୍ଷ ଏହି ମ୍ୟାଚ୍‌ ପାଇଁ ଏଥର ଓଡ଼ିଶା ଦଳରେ ଗୋଟିଏ ପରିବର୍ତ୍ତନ କରାଯାଇଛି। ଆହତ ଯୋଗୁଁ ରଂଜିତ ସିଂହଙ୍କୁ ବାଦ୍‌ ଦିଆଯାଇଥିଲା ବେଳେ ତାଙ୍କ ସ୍ଥାନରେ ସ୍ପିନ୍‌ ବୋଲର ଶୁଭମ୍‌ ନାୟକଙ୍କୁ ସାମିଲ କରାଯାଇଛି। ଭୁବନେଶ୍ୱରର ବିକାଶ ପଡ଼ିଆରେ ଓଡ଼ିଶା ଖେଳିଥିବା ପ୍ରଥମ ମ୍ୟାଚ୍‌ ବେଳେ ଓଦା ପଡ଼ିଆ ଯୋଗୁଁ ରଂଜିତ ଆହତ ହୋଇଥିଲେ। ତାଙ୍କର ଡାହାଣ ଗୋଡ଼ ଗୋଇଠି ମୋଡ଼ି ହୋଇଯାଇଥିଲା। ଫିଜିଓ ତାଙ୍କୁ ବିଶ୍ରାମ ଦେଇଥିଲା ବେଳେ ବର୍ତ୍ତମାନ ସେ ଚିକତ୍ସାଧୀନ ଅଛନ୍ତି।

୧୦ ଦିନ ପରେ ତାଙ୍କର ପୁଣି ପରୀକ୍ଷା କରାଯିବ। ଯଦି ସେ ସଂପୂର୍ଣ୍ଣ ସୁସ୍ଥ ହୋଇଯାଇଥିବେ ତାହେଲେ ଦଳକୁ ଫେରିପାରନ୍ତି ବୋଲି ସୂଚନା ମିଳିଛି। ଅନ୍ୟପକ୍ଷରେ ଚୟନ ସମିତି ଅଧ୍ୟକ୍ଷ ବିଷ୍ଣୁଦେବ ମହାନ୍ତି କହିଛନ୍ତି, ଓଡ଼ିଶା ଦଳରେ ବର୍ତ୍ତମାନ ୯ ଜଣ ବ୍ୟାଟ୍ସମ୍ୟାନ ଅଛନ୍ତି। ସେମାନଙ୍କ ଭିତରୁ ରଂଜିତଙ୍କୁ ବିଶ୍ରାମ ଦିଆଯିବା ପରେ ଆହୁରି ୮ ଜଣ ରହୁଛନ୍ତି। ରାଜ୍ୟ ବାହାରେ ପିଚ୍‌ କେମିତି ରହିବ ତାହା ଏବେଠୁ କହିହେବ ନାହିଁ। ତେଣୁ ଦଳରେ ଧୀରାଜ ସିଂହ ଜଣେ ମାତ୍ର ସ୍ପିନର ଥିବାରୁ ଅତିରିକ୍ତ ସ୍ପିନରଙ୍କ ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ନିକଟରେ ସିକେ ନାୟୁଡ଼ୁ ଟ୍ରଫିରେ ଶୁଭମ୍‌ ଗୋଟିଏ ପାଳିରେ ୫ ଓ୍ଵିକେଟ ନେଇ ଚୟନକର୍ତାଙ୍କୁ ପ୍ରଭାବିତ କରିଛନ୍ତି। ତେଣୁ ତାଙ୍କୁ ରଣଜୀ ଦଳରେ ସୁଯୋଗ ମିଳିବା ସମ୍ଭାବନା ସୃଷ୍ଟି ହୋଇଥିଲା।
ଓଡ଼ିଶା ଦଳ: ଗୋବିନ୍ଦ ପୋଦ୍ଦାର (ଅଧିନାୟକ), ସନ୍ଦୀପ ପଟ୍ଟନାୟକ, ନଟରାଜ ବେହେରା, ଶାନ୍ତନୁ ମିଶ୍ର, ଅବିନାଶ ଶାହା, ଶୁଭ୍ରାଂଶୁ ସେନାପତି, ବିପ୍ଳବ ସାମନ୍ତରାୟ, ସୌରଭ ରାଓ୍ଵତ, ଧୀରାଜ ସିଂହ, ବସନ୍ତ ମହାନ୍ତି, ସୂର୍ଯ୍ୟକାନ୍ତ ପ୍ରଧାନ, ଆଲୋକ ସାହୁ, ଆଲୋକ ମଙ୍ଗରାଜ, ଦୀପକ ବେହେରା, ଶୁଭମ୍‌ ନାୟକ।

ସମ୍ବନ୍ଧିତ ଖବର