ଅନ୍ତଃସହର ଗୋଲ୍ଡକପ୍‌ ହକି: ଭୁବନେଶ୍ୱର, ପାନପୋଷ, ରାଉରକେଲା ବିଜୟୀ

ରାଉରକେଲା: ପାନପୋଷ ହକି ଷ୍ଟାଡିୟମ୍‌ରେ ଚାଲିଥିବା ଅନ୍ତଃସହର ଗୋଲ୍ଡକପ୍‌ ହକି ପ୍ରତିଯୋଗିତାର ତୃତୀୟ ଦିବସରେ ପେସାଦାର ବର୍ଗରେ ଭୁବନେଶ୍ୱର କ୍ରୀଡ଼ା ଛାତ୍ରାବାସ, ପାନପୋଷ ରେଡ୍‌ ଓ ରାଉରକେଲା ଏକାଦଶ ବିଜୟ ହାସଲ କରିଛନ୍ତି। ଭୁବନେଶ୍ୱର କ୍ରୀଡ଼ା ଛାତ୍ରାବାସ ୬-୪ ଗୋଲ୍‌ରେ ପାନପୋଷ କ୍ରୀଡ଼ା ଛାତ୍ରାବାସ ଗ୍ରୀନ୍‌କୁ ପରାସ୍ତ କରିଥିଲା। ବିଜୟୀ ଦଳ ପକ୍ଷରୁ ସୁମନ କୁଜୁର୍‌ ୨, ପ୍ରସନ୍ନ ତିର୍କି, ସୁଦୀପ କେର୍କେଟା, ସୁଧୀର କୁଜୁର ଓ ଟିକେଇ କୁଜୁର୍‌ ଗୋଟିଏ ଲେଖାଏଁ ଗୋଲ୍‌ କରିଥିଲା ବେଳେ ପାନପୋଷ ଦଳର ପୌଲସ୍‌ ଲାକ୍ରା ୨, ପରଓ୍ଵିନ୍‌ ଇନ୍ଦୁଆର ଓ ସୁନୀଲ ଜୋଜୋ ଗୋଟିଏ ଲେଖାଏଁ ଗୋଲ୍‌ କରିଥିଲେ। ଅନ୍ୟ ମ୍ୟାଚ୍‌ରେ ପାନପୋଷ କ୍ରୀଡ଼ା ଛାତ୍ରାବାସ ରେଡ୍‌ ୬-୩ ଗୋଲ୍‌ ବ୍ୟବଧାନରେ ଓଡ଼ିଶା ଡାକ ମଣ୍ଡଳକୁ ହରାଇଥିଲା। ରେଡ୍‌ ଦଳର ଅମରଦୀପ ଲାକ୍ରା, କ୍ରୀଷ୍ଣା ତିର୍କି, ଅଜିତ ଏକ୍କା, ନାହାସ ବାର୍‌ଓ୍ଵା, ଅଭିଜିତ ସ୍ୱାଇଁ ଓ ଦିବେଶ ଜୋଜୋ ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲା ବେଳେ ଓଡ଼ିଶା ଡାକ ମଣ୍ଡଳର ଦିଲୀପ ଟପ୍ପୋ ୨ ଓ ବି ଲାକ୍ରା ଗୋଟିଏ ଗୋଲ୍‌ କରିଥିଲେ। ଶେଷ ମ୍ୟାଚ୍‌ରେ ରାଉରକେଲା ଏକାଦଶ ୭-୧ ଗୋଲ୍‌ରେ ଓଡ଼ିଶା ପୁଲିସକୁ ପରାସ୍ତ କରିଥିଲା। ରାଉରକେଲା ଏକାଦଶର ଅମରଜିତ୍‌ ଏକ୍କା ୪, ରୋଶନ ତିର୍କି, ଅତନୁ ଶାହା ଓ ସୁନିଲ ଏକ୍କା ଗୋଟିଏ ଲେଖାଏଁ ଏବଂ ପୁଲିସ ଦଳର ସୁଶୀଳ କୁଜୁର୍‌ ଏକମାତ୍ର ଗୋଲ୍‌ କରିଥିଲେ।

ସମ୍ବନ୍ଧିତ ଖବର