ଅନ୍ତଃଜିଲ୍ଲା କନିଷ୍ଠ ପ୍ରତିଯୋଗିତା ବନ୍ଦ ହେବାର ପଡ଼ୁଛି ପ୍ରଭାବ

ଓଡ଼ିଶାରେ ସଂପ୍ରତି ଫାଓ ଫୁଟବଲ୍‌ ଲିଗ୍‌, ଫାଓ ଦ୍ୱିତୀୟ ଡିଭିଜନ୍‌ ଫୁଟବଲ୍‌ ଲିଗ୍‌, ସାହାଣି କପ୍‌, କଳିଙ୍ଗ କପ୍‌ ଭଳି କେତେକ ଫୁଟବଲ୍‌ ପ୍ରତିଯୋଗିତା ଆୟୋଜିତ ହେଉଛି। ହେଲେ ତୃଣମୂଳ ସ୍ତରରୁ ପ୍ରତିଭା ଚିହ୍ନଟର ମୂଳଦୁଆ ଭାବେ ପରିଚିତ ଅନ୍ତଃ ଜିଲ୍ଲା କନିଷ୍ଠ ଏବଂ ଉପ କନିଷ୍ଠ ଫୁଟବଲ୍‌ ପ୍ରତିଯୋଗିତା ପ୍ରାୟ ଦୁଇ ଦଶନ୍ଧି ହେବ ବନ୍ଦ ହୋଇ ଗଲାଣି। ଫଳରେ ଦୂର ଦୂରାନ୍ତରେ ରହୁଥିବା ଫୁଟବଲ୍‌ ପ୍ରତିଭାଙ୍କର ଚିହ୍ନଟ ହୋଇ ପାରୁ ନାହିଁ। ୧୯୮୩ରୁ ୮୬ ପର୍ଯ୍ୟନ୍ତ ସନ୍ତୋଷ ଟ୍ରଫି ଜାତୀୟ ପ୍ରତିଯୋଗିତାରେ ଓଡ଼ିଶାର ପ୍ରତିନିଧିତ୍ୱ କରିଥିବା ପୂର୍ବତନ ଖେଳାଳି ପ୍ରଫୁଲ୍ଲ ମିଶ୍ର ଏହି ବିଷୟରେ ନିଜ ମତ ରଖି କହିଛନ୍ତି ଯେ ଆମ ପିଲାଙ୍କୁ ଯେମିତି ଏକ୍ସପୋଜର ବା ବାହାରେ ଯାଇ ଖେଳିବାର ସୁଯୋଗ ମିଳିବା କଥା ସେତିକି ମିଳୁନି।

ବିଭିନ୍ନ ଲିଗ୍‌ ଓ ପ୍ରତିଯୋଗିତା ପାଇଁ ଆମେ ରାଜ୍ୟର ୬ଟି କ୍ରୀଡ଼ାଛାତ୍ରାବାସ ଉପରେ ନିର୍ଭର କରୁଛେ। ସେଥିପାଇଁ ଅସଲ ପ୍ରତିଭା ଅଢ଼ୁଆଳରେ ରହି ଯାଉଛନ୍ତି। ସେହିଭଳି ଆଇଲିଗ୍‌/ଆଇଏସଏଲ୍‌ ଭଳି ପ୍ରତିଯୋଗିତାରେ ପ୍ରଭାବ ମଧ୍ୟ ପଡ଼ୁଛି। ଏଥିଲାଗି ଅନେକ ଭଲ ଖେଳାଳି ସନ୍ତୋଷ ଟ୍ରଫି ଅନ୍ତଃରାଜ୍ୟ ପ୍ରତିଯୋଗିତା ଖେଳୁ ନାହାନ୍ତି। ଓଡ଼ିଶା ଯଦି ସନ୍ତୋଷ ଟ୍ରଫିରେ ଭଲ କରନ୍ତା ତାହାଲେ କିଛି ଖେଳାଳି ଚୟନକର୍ତାଙ୍କ ଧ୍ୟାନ ଆକର୍ଷଣ କରି ପାରନ୍ତେ। ହେଲେ ତାହା ବି ହେଉନି। ଓଡ଼ିଶା କ୍ୱାର୍ଟର ଫାଇନାଲ୍‌ କିମ୍ବା ସେମିଫାଇନାଲ୍‌ ପର୍ଯ୍ୟନ୍ତ ଯାଇ ପାରୁ ନାହିଁ। ସେଥିପାଇଁ ରାଜ୍ୟରୁ ଅଧିକ ଅନ୍ତର୍ଜାତୀୟ ଖେଳାଳି ସୃଷ୍ଟି ହୋଇ ପାରୁ ନାହାନ୍ତି। ପୁରୁଷ ଫୁଟବଲରେ ଭଲ କରିବାକୁ ହେଲେ ଆମକୁ ପ୍ରଚଳିତ ଢାଞ୍ଚାରେ କିଛିଟା ପରିବର୍ତନ ଆଣିବାକୁ ପଡ଼ିବ। ପୁନର୍ବାର ଅନ୍ତଃଜିଲ୍ଲା କନିଷ୍ଠ ଏବଂ ଉପକନିଷ୍ଠ ଫୁଟ୍‌ବଲ୍‌ ପ୍ରତିଯୋଗିତା ଆରମ୍ଭ କରିବାକୁ ସେ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର