ଅନ୍ତଃକ୍ଲବ୍ ଭାରୋତ୍ତୋଳନ: ଏଚ୍‌ପିସି ବିଜେତା

ଭୁବନେଶ୍ବର: କ୍ରୀଡ଼ା ଓ ଯୁବସେବା ବିଭାଗ, ଓଡ଼ିଶା ଭାରୋତ୍ତୋଳନ ସଂଘ ଏବଂ ଓଡିଶା ଭାରୋ‌ତ୍ତୋଳନ ଏଚ୍‌ପିସିର ମିଳିତ ଆନୁକୂଲ୍ୟରେ କଳିଙ୍ଗ ଷ୍ଟାଡିୟମ ବିଜୁ ପଟ୍ଟନାୟକ ଭାରୋତ୍ତୋଳନ ହଲ୍‌ରେ ଆୟୋଜିତ ନିଖିଳ ଓଡ଼ିଶା ଅନ୍ତଃକ୍ଲବ୍‌ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ‌ହୋଇଯାଇଛି। ଏଥିରେ ଭୁବନେଶ୍ବର ଏଚ୍‌ପିସି (୧୫୭ ପଏଣ୍ଟ୍‌) ବିଜେତା ହୋଇଥିଲା ବେଳେ ବ୍ରହ୍ମପୁରର ବୀର ହନୁମାନ କ୍ଲବ୍ (୫୯ ପଏଣ୍ଟ୍‌) ଉପବିଜେତା ଏବଂ ଭୁବନେଶ୍ବର କ୍ରୀଡ଼ା ଛାତ୍ରାବାସ (୩୯ ପଏଣ୍ଟ୍‌) ତୃତୀୟ ସ୍ଥାନ ଅଧିକାର କରିଥିଲା। ଏଚ୍‌ପିସି ୪୦ (୨୧ ସ୍ବର୍ଣ୍ଣ, ୧୪ ରୌପ୍ୟ ଓ ୫ କାଂସ୍ୟ), ବୀର ହନୁମାନ କ୍ଲବ୍ ୧୭ (୬ ସ୍ବର୍ଣ୍ଣ, ୭ ରୌପ୍ୟ ଓ ୪ କାଂସ୍ୟ) ଏବଂ କ୍ରୀଡ଼ା ଛାତ୍ରାବାସ ୧୩ (୪ ସ୍ବର୍ଣ୍ଣ, ୧ ରୌପ୍ୟ, ୮ କାଂସ୍ୟ) ପଦକ ପାଇଥିଲେ।

ଏଚ୍‌ପିସିର ଜ୍ୟୋତ୍ସ୍ନା ସବର (ଯୁବା ବାଳିକା), ସଦାନନ୍ଦ ବାରିକ (ଯୁବ ଓ କନିଷ୍ଠ ବାଳକ), ରିମା ଭୋଇ (କନିଷ୍ଠ ଓ ବରିଷ୍ଠ ବାଳିକା) ଏବଂ କାହ୍ନୁ ଚରଣ ସାହୁ (ପୁରୁଷ)ଶ୍ରେଷ୍ଠ ଭାରୋତ୍ତୋଳକ ହେବାର ଗୌରବ ପାଇଥିଲେ। ୪୦ କେଜି ବର୍ଗରେ ଜ୍ୟୋତ୍ସ୍ନା ୫୧ କେଜି ସ୍ନାଚ୍‌ ଏବଂ ୬୭ କେଜି କ୍ଲିନ୍‌ ଓ ଜର୍କ ସହ ମୋଟ ୧୧୮ କେଜି, ୬୧ କେଜି ବର୍ଗରେ ସଦାନନ୍ଦ ୧୦୦ କେଜି ସ୍ନାଚ୍‌ ଏବଂ ୧୨୦ କେଜି କ୍ଲିନ୍‌ ଓ ଜର୍କ ସହ ମୋଟ ୨୨୦ କେଜି, ୫୯ କେଜି ବର୍ଗରେ ରିମା ୭୯ କେଜି ସ୍ନାଚ୍‌ ଏବଂ ୧୦୨ କେଜି କ୍ଲିନ୍‌ ଓ ଜର୍କ ସହ ମୋଟ ୧୮୧ କେଜି ଏବଂ ୮୧ କେଜି ବର୍ଗରେ କାହ୍ନୁ ୧୩୦ କେଜି ସ୍ନାଚ୍‌ ଏବଂ ୧୬୪ କେଜି କ୍ଲିନ୍‌ ଓ ଜର୍କ ସହ ମୋଟ ୨୯୪ କେଜି ଭାର ଉଠାଇଥିଲେ। କ୍ରୀଡ଼ା ଓ ଯୁବ ସେବା ବିଭାଗ ଯୁଗ୍ମସଚିବ ଶୈଳେନ୍ଦ୍ର କୁମାର ଜେନା, ଅଲିମ୍ପିଆନ୍‌ ଭା‌େରାତ୍ତୋଳକ କେ ରବିକୁମାର, ଏଚ୍‌ପିସି ଅପରେସନ୍‌ ମୁଖ୍ୟ ପ୍ରବୀଣ କୁମାର, ମହାପ୍ରବନ୍ଧକ କର୍ଣ୍ଣେଲ ରାଜେଶ ଶର୍ମା, ଓଡ଼ିଶା ଭାରୋତ୍ତୋଳନ ସଂଘ ସଭାପତି ଇଂ ଚିତ୍ତରଞ୍ଜନ ସ୍ବାଇଁ, ସାଧାରଣ ସଂପାଦକ ନାରାୟଣ ସାହୁ, ପ୍ରଶିକ୍ଷକ ପଦ୍ମିନୀ ବରାଳ ଉଦ୍‌ଯାପନୀ ଉତ୍ସବରେ ଉପସ୍ଥିତ ଥିଳେ।

ସମ୍ବନ୍ଧିତ ଖବର