ମୁମ୍ବାଇ: ଶୁକ୍ରବାରଠୁ ସ୍ଥାନୀୟ ମୁମ୍ବାଇ ଫୁଟ୍‌ବଲ୍‌ ଏରେନାରେ ଆରମ୍ଭ ହୋଇଥିବା ଅନ୍ତଃମହାଦେଶୀୟ କପ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ଭାରତୀୟ ଦଳ ତା’ର ଦମ୍‌ ଦେଖାଇଛି। ପ୍ରଥମ ମ୍ୟାଚ୍‌ରେ ଚାଇନିଜ୍‌ ତାଇପେକୁ ୫-୦ ଗୋଲ୍‌ରେ ପରାସ୍ତ କରି ଭାରତ ମଧ୍ୟ ଚମତ୍କାର ଢଙ୍ଗରେ ଅଭିଯାନ ଆରମ୍ଭ କରିଛି। ଆଉ ଅଧିନାୟକ ସୁନୀଲ ଛେତ୍ରୀ ହ୍ୟାଟ୍ରିକ୍‌ (ଲଗାତାର ୩) ଗୋଲ୍‌ କରି ଭାରତ ବିଜୟକୁ ଅତି ସହଜ କରି ଦେଇଥିଲେ। ଛେତ୍ରୀ ମ୍ୟାଚ୍‌ର ପ୍ରଥମାର୍ଧରେ ୨ (୧୪ ଓ ୩୪ ମିନିଟ୍‌) ଏବଂ ଦ୍ୱିତୀୟାର୍ଧ (୬୨ ମିନିଟ୍‌)ରେ ଗୋଟିଏ ଗୋଲ୍‌ କରି ନିଜ ଖେଳ ଜୀବନର ତୃତୀୟ ହ୍ୟାଟ୍ରିକ୍‌ ଅର୍ଜନ କରିନେଇଥିଲେ। ଏଥି ସହିତ ନିଜର ୯୯ତମ ଆନ୍ତର୍ଜାତିକ ମ୍ୟାଚ୍‌କୁ ମଧ୍ୟ ସ୍ମରଣୀୟ କରିଥିଲେ। ଏହା ପୂର୍ବରୁ ଛେତ୍ରୀ ୨୦୦୮ରେ ତାଜିକସ୍ତାନ ଏବଂ ୨୦୧୦ରେ ଭିଏତ୍‌ନାମ ବିପକ୍ଷରେ ହ୍ୟାଟ୍ରିକ୍‌ ଅର୍ଜନ କରିଥିଲେ। ଛେତ୍ରୀଙ୍କ ବ୍ୟତୀତ ଉଦାନ୍ତ ସିଂହ (୪୮ ମିନିଟ୍‌) ଏବଂ ପ୍ରଣୟ ହାଲ୍‌ଦର (୭୮ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ କରି ବ୍ୟବଧାନ ୫-୦ କରିଦେଇଥିଲେ। ଏବେ ଭାରତ ସୋମବାର ପ୍ରତିଯୋଗିତାର ଦ୍ୱିତୀୟ ମ୍ୟାଚ୍‌ କେନିଆ ସହ ଖେଳିବ। ଆଉ ସେହି ମ୍ୟାଚ୍‌ ହିଁ ଛେତ୍ରୀଙ୍କ ପାଇଁ ମାଇଲଖୁଣ୍ଟ ହେବ। ଏହି ମ୍ୟାଚ୍‌ ଖେଳି ଛେତ୍ରୀ ଜୀବନର ୧୦୦ତମ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିବାର ଗୌରବ ଅର୍ଜନ କରିବେ।