କଟକ : ଏଠାରେ ଚାଲିଥିବା ୧୯ ବର୍ଷରୁ କମ୍‌ ଅନ୍ତଃଜିଲ୍ଲା କ୍ରିକେଟ୍‌ ପ୍ରତିଯୋଗିତାରେ ଶୁକ୍ରବାର ରାଉରକେଲା, ଝାରସୁଗୁଡ଼ା, କିଟ୍‌, ଖୋର୍ଦ୍ଧା, କେନ୍ଦୁଝର, ସୁନ୍ଦରଗଡ଼ ବିଜୟୀ ହୋଇଛନ୍ତି।

Advertisment

ନିମପୁରରେ ରାଉରକେଲା ୧୫୧ ରନ୍‌ରେ ଗଞ୍ଜାମକୁ ପରାସ୍ତ କରିଛି। ଆଶୀର୍ବାଦ ସ୍ବାଇଁ (୧୧୩ ରନ୍‌, ୧୧୬ ବଲ୍‌, ୮ ଚୌକା, ୫ ଛକା)ଙ୍କ ଶତକୀୟ ପାଳି ବଳରେ ରାଉରକେଲା ସମସ୍ତ ଵିକେଟ୍‌ ବିନିମୟରେ ୨୩୫ ରନ୍‌ କରିଥିଲା। ଜବାବରେ ଗଞ୍ଜାମ ୮୪ ରନ୍‌ରେ ସମସ୍ତ ଵିକେଟ୍‌ ହରାଇଥିଲା। ବିଜୟୀ ଦଳର ସରଣଦୀପ ବରିହା ୩ ଵିକେଟ୍‌ ପାଇଥିଲେ।

ରେଭେନ୍ସା ୨ନମ୍ବର ପଡ଼ିଆରେ ଝାରସୁଗୁଡ଼ା ୧୭୭ ରନ୍‌ରେ ବୌଦ୍ଧକୁ ହରାଇଛି। ଧନଞ୍ଜୟ ଯାଦବ (୧୬୩ ରନ୍‌, ୧୫୫ ବଲ୍‌, ୧୪ ଚୌକା, ୯ ଛକା)ଙ୍କ ଶତକ ବଳରେ ଝାରସୁଗୁଡ଼ା ୫ ଵିକେଟ୍‌ ହରାଇ ୨୬୩ ରନ୍‌ କରିଥିଲା। ଜବାବରେ ବୌଦ୍ଧ ମାତ୍ର ୮୬ ରନ୍‌ରେ ସମସ୍ତ ଵିକେଟ୍‌ ହରାଇଥିଲା। ଭିକି ରାଏ ୩, ଓମ୍‌ କୁମାର, ସୁଜିତ ଠାକୁର, ଶୁଭମ୍‌ ସି˚ହ ଦୁଇଟି ଲେଖାଏଁ ଵିକେଟ୍‌ ନେଇଥିଲେ।

ବିଡ଼ାନାସୀ ପଡ଼ିଆରେ ଖୋର୍ଦ୍ଧା ୧୨୧ ରନ୍‌ରେ ରାୟଗଡ଼ାକୁ ହରାଇଛି। ଖୋର୍ଦ୍ଧା ୩୮.୧ ଓଭରରେ ୨୧୨ ରନ୍‌ କରିଥିଲା। ପ୍ରିୟବ୍ରତ ଦାସ ସର୍ବାଧିକ ୮୦ ରନ୍‌ କରିଥିଲା ବେଳେ ରାୟଗଡ଼ାର ଦୀପଙ୍କର ପରିଚ୍ଛା ୪ ଵିକେଟ୍‌ ପାଇଥିଲେ। ଜବାବରେ ରାୟଗଡ଼ା ମାତ୍ର ୯୧ ରନ୍‌ରେ ସମସ୍ତ ଵିକେଟ୍‌ ହରାଇଥିଲା। ଆଦିତ୍ୟ ଜୟସି˚ହ ୧୮ ରନ୍‌ରେ ୬ ଵିକେଟ୍‌ ନେଇଥିଲେ।

ରେଭେନ୍ସା ପଡ଼ିଆରେ କିଟ୍‌ ୩୯ ରନ୍‌ରେ ମାଲକାନଗିରିକୁ ହରାଇଛି। କିଟ୍‌ ୯ ଵିକେଟ୍‌ ବିନିମୟରେ ୨୦୯ ରନ୍‌ କରିଥିଲା। ମଣିତେଜ ମହାନ୍ତି ୪୭, ଶଙ୍କର ମଡ଼କାମି ୩୭* ରନ୍‌ କରିଥିଲା ବେଳେ ମାଲକାନଗିରିର ଦଶୁ ସନ୍ଧି, ମନୋଜ ମାଝି ଦୁଇଟି ଲେଖାଏଁ ଵିକେଟ୍‌ ପାଇଥିଲେ। ଜବାବରେ ମାଲକାନଗିରି ୬ ଵିକେଟ୍‌ ବିନିମୟରେ ୧୭୦ ରନ୍‌ କରିପାରିଥିଲା। ବିଜୟୀ ଦଳର ଶଙ୍କର ମଡ଼କାମି ୩ ଵିକେଟ୍‌ ନେଇଥିଲେ।

ବୋସ୍‌ ପଡ଼ିଆରେ କେନ୍ଦୁଝର ୭୭ ରନ୍‌ରେ ନୟାଗଡ଼କୁ ମାତ୍‌ ଦେଇଛି। ଆଶୁତୋଷ ରାଏ (୮୧), ଆଶୁତୋଷ ସାହା (୩୫), ଦୀପ ରାଉତ (୩୪)ଙ୍କ ବଳରେ କେନ୍ଦୁଝର ୨୪୮ ରନ୍‌ କରିଥିଲା। ଅଙ୍କିତ ଅରୁଣାଭ ଓ ଆଶୁତୋଷ ଦାସ ୩ ଵିକେଟ୍‌ ଲେଖାଏଁ ନେଇଥିଲେ। ଜବାବରେ ନୟାଗଡ଼ ୧୭୧ ରନ୍‌ରେ ସୀମିତ ରହିଥିଲା। ଅଙ୍କିତ ଅରୁଣାଭ ୪୮ ରନ୍‌ କରିଥିଲା ବେଳେ ଅସିତ ସାହୁ ୪ ଵିକେଟ୍‌ ନେଇଥିଲେ।

ଡ୍ରିମ୍ସରେ ସୁନ୍ଦରଗଡ଼ ୫ ଵିକେଟ୍‌ରେ ପାରାଦ୍ବୀପକୁ ପରାସ୍ତ କରିଛି। ଅନନ୍ତ ନାୟକଙ୍କ ୫୭ ରନ୍‌ ବଳରେ ପାରାଦ୍ବୀପ ୧୪୪ କରିଥିଲା। ସୁନ୍ଦରଗଡ଼ର ମୁନା ପ୍ରସାଦ ୫ ଵିକେଟ୍‌ ଅକ୍ତିଆର କରିଥିଲେ। ଜବାବରେ ସୁନ୍ଦରଗଡ଼ ୩୩ ଓଭରରେ ୫ ଵିକେଟ୍‌ ହରାଇ ମ୍ୟାଚ୍‌ ଜିତିଥିଲା। ଅମନ ଯାଦବ ୩୦, ଉମେଶ ଗୌତମ ୪୫ ରନ୍‌ କରିଥିଲେ।