୧୯ ବର୍ଷରୁ କମ୍‌ ଅନ୍ତଃଜିଲ୍ଲା କ୍ରିକେଟ୍‌: ସୋହେଲଙ୍କ ଶତକ; ହରଜିତ, ସୁନୀଲଙ୍କୁ ୫ ୱିକେଟ୍‌ ସଫଳତା

କଟକ,: ଏଠାରେ ଚାଲିଥିବା ୧୯ ବର୍ଷରୁ କମ୍‌ ଅନ୍ତଃଜିଲ୍ଲା କ୍ରିକେଟ୍‌ରେ ସୋମବାର ଯାଜପୁର, ଭଦ୍ରକ, ପୁରୀ, କଳାହାଣ୍ଡି, ଭୁବନେଶ୍ବର ବି’ ଓ ବାଲେଶ୍ବର ବିଜୟୀ ହୋଇଛନ୍ତି। ଆଜି ଯାଜପୁରର ମହମ୍ମଦ ସୋହେଲଙ୍କ ବ୍ୟାଟ୍‌ରୁ ଏକମାତ୍ର ଶତକ ଦେଖିବାକୁ ମିଳିଥିଲା। ସେହିପରି ବୋଲିଂରେ ଯାଜପୁରର ସୁନୀଲ ବେହେରା ଏବଂ ବରଗଡ଼ର ହରଜିତ ସିଂହ ୫ ୱିକେଟ୍‌ ସଫଳତା ପାଇଥିଲେ।

ଆଜି ରେଭେନ୍ସା ୨ ନମ୍ବର ପଡ଼ିଆରେ ଯାଜପୁର ୧୭୭ ରନ୍‌ରେ ନବରଙ୍ଗପୁରକୁ ହରାଇଛି। ଯାଜପୁର ସମସ୍ତ ୱିକେଟ୍‌ ହରାଇ ୨୮୦ ରନ୍‌ ସଂଗ୍ରହ କରିଥିଲା। ରବିବାରର ଦ୍ବିଶତକ ହାସଲକାରୀ ଅଧିନାୟକ ସାୱନ ପାହାଡ଼ିଆ (୧୬ ରନ୍‌)ଙ୍କ ବ୍ୟାଟ୍‌ ସୋମବାର ଶାନ୍ତ ପଡ଼ିଥିଲା। ତେବେ ମହମ୍ମଦ ସୋହେଲଙ୍କ ୧୨୪ (୧୨୭ ବଲ୍‌, ୧୩ ଚୌକା, ୧ ଛକା) ରନ୍‌ ସହାୟତାରେ ଦଳ ବଡ଼ ସ୍କୋର୍‌ କରିପାରିଥିଲା। ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ନବରଙ୍ଗରପୁର ବ୍ୟାଟିଂ ବିପର୍ଯ୍ୟୟର ଶିକାର ହୋଇଥିଲା। ନିୟମିତ ଭାବେ ୱିକେଟ୍‌ ହରାଇ ଦଳ ୨୩.୩ ଓଭରରେ ସମସ୍ତ ୱିକେଟ୍‌ ହରାଇ ୧୦୩ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ବିଜୟୀ ଦଳ ପାଇଁ ସୁନୀଲ ବେହେରା ୫ ଓ ବିଭୂତି ୩ ୱିକେଟ୍‌ ‌ପାଇଥିଲେ।
ନିମପୁରରେ ଭଦ୍ରକ ୭ ୱିକେଟ୍‌ରେ ଗଜପତିକୁ ହରାଇଛି। ଗଜପତି ୧୩୬ ରନ୍‌ରେ ସୀମିତ ରହିଥିଲା। ହେଲେ ସବୁଠାରୁ ରୋଚକ ଘଟଣା ହେଉଛି ଖେଳାଳିଙ୍କ ବ୍ୟକ୍ତିଗତ ରନ୍‌ ଅପେକ୍ଷା ଅତିରିକ୍ତ ରନ୍‌ର ସଂଖ୍ୟା ଏହି ପାଳିରେ ଅଧିକ ଥିଲା। ଭଦ୍ରକର ବୋଲରମାନେ ଅତିରିକ୍ତ ଭାବେ ୪୬ ରନ୍‌ ବ୍ୟୟ କରିଥିଲେ। ସେଥିମଧ୍ୟରେ ୩୫ ୱାଇଡ୍‌ ଅନ୍ତର୍ଭୁକ୍ତ। ଜବାବରେ ଭଦ୍ରକ ଆକାଶ ମହାପାତ୍ର ଓ ସୂର୍ଯ୍ୟ ମହାପାତ୍ରଙ୍କ ଅର୍ଧଶତକୀୟ ପାଳି ବଳରେ ୨୩ ଓଭର ସୁଦ୍ଧା ୩ ୱିକେଟ୍‌ ହରାଇ ମ୍ୟାଚ୍‌ ଜିତିଯାଇଥିଲା। ଆକାଶ ୫୩ ରନ୍‌ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲା ବେଳେ ସୂର୍ଯ୍ୟ ୫୬ ରନ୍‌ କରି ଆଉଟ ହୋଇଥିଲେ।

ରେଭେନ୍ସା ୧ ନମ୍ବର ପଡ଼ିଆରେ ପୁରୀ ୭୪ ରନ୍‌ରେ କନ୍ଧମାଳକୁ ହରାଇଛି। ପ୍ରଥମେ ବ୍ୟାଟିଂ କରିଥିବା ପୁରୀ ପାଇଁ ନିଶାନ୍ତ ନାୟକ ୫୨, ରାଜେଶ ବେହେରା ୩୧, ପ୍ରୀତିଶ ଜେନା ୩୫ ରନ୍‌ ସଂଗ୍ରହ କରିଥିଲେ। ଏଥିସହ ଅତିରିକ୍ତ ଭାବେ ମିଳିଥିବା ୩୯ ରନ୍‌ ସହାୟତାରେ ଦଳ ୪୪.୫ ଓଭରରେ ସମସ୍ତ ୱିକେଟ୍‌ ହରାଇ ୨୦୬ ରନ୍‌ ସଂଗ୍ରହ କରିଥିଲା। ୨୦୭ ରନ୍‌ର ଲକ୍ଷ୍ୟକୁ ପିଛା କରିବାକୁ ଯାଇ କନ୍ଧମାଳ ୪୭.୨ ଓଭରରେ ୧୩୨ରନ୍‌ କରିଥିଲା। ଡ୍ରିମ୍ସରେ ବରଗଡ଼ ୮ ୱିକେଟ୍‌ରେ କଳାହାଣ୍ଡିକୁ ପରାସ୍ତ କରିଛି। କଳାହାଣ୍ଡି ଶୋଚନୀୟ ବ୍ୟାଟିଂ କରି ୩୩.୧ ଓଭରରେ ସମସ୍ତ ୱିକେଟ୍‌ ହରାଇ ୯୧ ରନ୍‌ କରିଥିଲା। ବରଗଡ଼ର ହରଜିତ ସିଂହ ସର୍ବାଧିକ ୫ ୱିକେଟ୍‌ ଅକ୍ତିଆର କରିଥିଲା ବେଳେ ଅଭିଷେକ ମାହାନା ୨, ରାକେଶ କିଷାନ ୨ ୱିକେଟ ଅକ୍ତିଆର କରିଥିଲେ। ଏହା ଜବାବରେ ଆର୍ଯ୍ୟମାନ ମିଶ୍ରଙ୍କ ୫୮* ଓ ରାକେଶ କିଷାନଙ୍କ ୨୦ ରନ୍‌ ସହଯୋଗରେ ବରଗଡ଼ ୧୬.୩ ଓଭରରେ ୨ ୱିକେଟ୍‌ ହରାଇ ମ୍ୟାଚ୍‌ ଜିତିଥିଲା।

ବୋସ ପଡ଼ିଆରେ ଭୁବନେଶ୍ବର ବି’ ୧୮୧ ରନ୍‌ରେ କୋରାପୁଟକୁ ପରାସ୍ତ କରିଛି। ଭୁବନେଶ୍ବର ବ୍ୟାଟିଂ ଆରମ୍ଭ କରି ୮ ୱିକେଟ୍‌ ବିନିମୟରେ ୨୫୬ ରନ୍‌ ସଂଗ୍ରହ କରିଥିଲା। ଦଳୀୟ ରନ୍‌ରେ ପଙ୍କଜ ସାହୁ ୬୦, ଅନ୍ବେଷ ତ୍ରିପାଠୀ ୩୫, ଅନିଶ ରାଉତ ୪୭, ବିଭାଂଶୁ ରାଏ ୩୩ ରନ୍‌ ଯୋଡ଼ିଥିଲେ। ଜବାବରେ କୋରାପୁଟ ୭୫ ରନ୍‌ରେ ସମସ୍ତ ୱିକେଟ୍‌ ହରାଇଥିଲା। ବିଜୟୀ ଦଳର ସୁଶୀଲ ବାରିକ ୪, ବିକାଶ ନାୟକ ୩, ପ୍ରତ୍ୟୁଷ ସାହୁ ୨ ୱିକେଟ୍‌ ଅକ୍ତିଆର କରିଥିଲେ। ବିଡ଼ାନାସୀ ପଡ଼ିଆରେ ବାଲେଶ୍ବର ୬ ୱିକେଟ୍‌ରେ ଜଗତସିଂହପୁରକୁ ହରାଇଛି। ଜଗତସିଂହପୁର ୨୮.୩ ଓଭରରେ ସମସ୍ତ ୱିକେଟ୍‌ ହରାଇ ୧୩୨ ରନ୍‌ ସଂଗ୍ରହ କରିଥିଲା। ଏହା ଜବାବରେ ରାଜୀବ ଲୋଚନଙ୍କ ୬୩, ସୁମନ ଓଝାଙ୍କ ୫୭*ରନ୍‌ ସହଯୋଗରେ ବାଲେଶ୍ବର ୧୫.୫ ଓଭରରେ ୪ ୱିକେଟ ହରାଇ ମ୍ୟାଚ୍‌ ଜିତିଥିଲା।

ସମ୍ବନ୍ଧିତ ଖବର