ଅନ୍ତଃଜିଲ୍ଲା ୧୯ ବର୍ଷରୁ କମ୍‌ କ୍ରିକେଟ୍‌ ସୁପରଲିଗ୍‌: ଭୁବନେଶ୍ବର, କଟକ, ସମ୍ବଲପୁର ବିଜୟୀ

ଭୁବନେଶ୍ବର: ଓଡ଼ିଶା କ୍ରିକେଟ୍‌ ସଂଘ (ଓସିଏ) ଦ୍ବାରା ଆୟୋଜିତ ଅନ୍ତଃଜିଲ୍ଲା ୧୯ ବର୍ଷରୁ କମ୍‌ ସୁପର ଲିଗ୍‌ ପର୍ଯ୍ୟାୟରେ ମଙ୍ଗଳବାର ଭୁବନେଶ୍ବର-ଏ, ଭୁବନେଶ୍ବର-ବି, କଟକ-ଏ ଓ ସମ୍ବଲପୁର ବିଜୟ ହାସଲ କରିଛନ୍ତି। କଟକର ବିଡ଼ାନାସୀ ପଡ଼ିଆରେ ଭୁବନେଶ୍ବର-ଏ ଦଳ ୧୩୪ ରନ୍‌ରେ କିଟ୍‌କୁ ପରାସ୍ତ କରିଛି। ଟସ୍‌ ଜିତି ବ୍ୟାଟିଂ କରିଥିବା ଭୁବନେଶ୍ବର-ଏ ଅଂଶୁମାନ ସାହୁ (୧୦୬, ୧୩୧ ବଲ୍‌, ୧୨ ଚୌକା)ଙ୍କ ଶତକ ଏବଂ ଶୁଭମ ନାଏକ (୬୬, ୮୧ ବଲ୍‌, ୭ ଚୌକା)ଙ୍କ ଅର୍ଧଶତକ ବଳରେ ୮ ୱିକେଟ୍‌ ହରାଇ ୨୭୩ ରନ୍‌ କରିଥିଲା। କିଟ୍‌ ପକ୍ଷରୁ ଗୌରିଶ ପାତ୍ର ୫ ୱିକେଟ୍‌ ସଫଳତା ପାଇଥିଲେ। ଜବାବରେ କିଟ୍‌ ୩୧.୨ ଓଭରରେ ୧୩୯ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ଦଳ ପକ୍ଷରୁ ରମଣୀ ରଂଜନ ଜେନା ୫୬, ମଣିଜିତ ମହାନ୍ତି ୨୯ ଓ ଗୌରିଶ ପାତ୍ର ୧୮ ରନ୍‌ କେବଳ ଦୁଇ ଅଙ୍କ ଛୁଇଁଥିଲେ। ଅଲ୍‌ରାଉଣ୍ଡ ପ୍ରଦର୍ଶନ ପାଇଁ ସମ୍ବିତ ବରାଳ (୩୫ ରନ୍‌, ୫-୧-୮-୫) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ଭୁବନେଶ୍ବରର ଟାଉନ୍‌ କ୍ଲବ୍‌ ପଡ଼ିଆରେ କଟକ-ଏ ୨୮ ରନ୍‌ରେ ରାଉରକେଲାକୁ ପରାସ୍ତ କରିଥିଲା। ଟସ୍‌ ଜିତି ବ୍ୟାଟିଂ କରିଥିବା କଟକ-ଏ ୯ ୱିକେଟ୍‌ ହରାଇ ୧୯୬ ରନ୍‌‌ କରିଥିଲା। ପ୍ରିନ୍‌ସ ଏସ୍‌ ବେହେରା ୪୬ ଓ ଯଜ୍ଞଜିତ ସାହୁ ୩୨ ରନ୍‌ କରିଥିଲେ। ରାଉରକେଲାର ବସନ୍ତ ରାଠୋର ଓ ଶରଣଦୀପ ବରିହା ୩ ଲେଖାଏଁ ୱିକେଟ୍‌ ନେଇଥିଲେ। ଜବାବରେ ରାଉରକେଲା ୪୭.୧ ଓଭରରେ ସମସ୍ତ ୱିକେଟ୍‌ ହରାଇ ୧୬୮ ରନ୍‌ରେ ଅଟକିଯାଇଥିଲା। ସ୍ନେହାଲ ସାମନ୍ତରାୟ ଓ ଗୌତମ ସୁନା ୩୩ ରନ୍‌ ଲେଖାଏଁ କରିଥିଲେ। ଅଲ୍‌ରାଉଣ୍ଡ ପ୍ରଦର୍ଶନ ପାଇଁ ଶଶାଙ୍କ ରୁଙ୍ଗଟା (୨୦ ରନ୍‌, ୩ ୱିକେଟ୍‌) ମ୍ୟାଚ୍‌ର ଶ୍ରେ‌ଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ଭୁବନେଶ୍ବର ପୂର୍ବତଟ ରେଳବାଇ ‌ଷ୍ଟାଡିୟମରେ ଭୁବନେଶ୍ବର-ବି ୯୧ ରନ୍‌ରେ ଝାରସୁଗୁଡ଼ାକୁ ହରାଇଥିଲା। ଟସ୍‌ ହାରି ବ୍ୟାଟିଂ କରିଥିବା ଭୁବନେଶ୍ବର-ବି ପଙ୍କଜ କୁମାର ସାହୁ (୧୦୩*, ୧୩୩ ବଲ୍‌, ୮ ଚୌକା, ୨ ଛକା)ଙ୍କ ଅପରାଜିତ ଶତକ ବଳରେ ୪ ୱିକେଟ୍‌ ହରାଇ ୨୦୫ ରନ୍‌ କରିଥିଲା। ସାରାଂଶ କୁମାର ୨୮ ଓ ଅୟନା ମଣ୍ଡୋଇ ୨୦* ରନ୍‌ କରିଥିଲେ। ଜବାବରେ ଝାରସୁଗୁଡ଼ା ୪୦.୨ ଓଭରରେ ୧୧୪ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ଅନୁଭବ ପ୍ରଧାନ ୩୯ ରନ୍‌ କରିଥିଲା ବେଳେ ଭୁବନେଶ୍ବର-ବି ପକ୍ଷରୁ ଦେବାଶିଷ ନାୟକ (୧୦-୨-୨୩-୫) ଓ ବିକାଶ ନାଏକ (୯.୨-୦-୩୯-୪) ସଫଳ ଥିଲେ। ଶତକ ହାସଲକାରୀ ପଙ୍କଜ ମ୍ୟାଚ୍‌ର ଶ୍ରେ‌ଷ୍ଠ ଖେଳାଳି ହୋଇଥିଲେ।

କଟକର ବୋସ୍‌ ଗ୍ରାଉଣ୍ଡ୍‌ରେ ସମ୍ବଲପୁର ୮ ୱିକେଟ୍‌ରେ ବାଲେଶ୍ବରକୁ ପରାସ୍ତ କରିଦେଇଛି। ଟସ୍‌ ଜିତି ବ୍ୟାଟିଂ ନେଇଥିବା ବାଲେଶ୍ବର ୩୧.୩ ଓଭରରେ ସମସ୍ତ ୱିକେଟ୍‌ ହରାଇ ୧୨୦ ରନ୍‌ କରିଥିଲା। ସାହିନ ଭି ରାଜ ୨୧, ରାଜୀବ ଲୋଚନ ସାହୁ ୧୯ ଓ ପ୍ରଶାନ୍ତ ଗଙ୍ଗାଇ ୧୫ ରନ୍‌ କରିଥିଲେ। ଶ୍ରେ‌ଷ୍ଠ ସିଂହ (୮.୩-୩-୨୮-୫) ଓ ବିମଳ କର୍ମକାର (୭-୦-୨୪-୪) ସମ୍ବଲପୁରର ସଫଳ ବୋଲର ଥିଲେ। ଜବାବରେ ସମ୍ବଲପୁର ହ୍ରିତିକ ପ‌ଟେଲ (୫୨ ରନ୍‌) ଅପରାଜିତ ଅର୍ଧଶତକ ଏବଂ ହର୍ଷିତ ଜିନ୍ଦଲଙ୍କ ୪୩ ରନ୍‌ ବଳରେ ୨୪.୪ ଓଭରରେ ୨ ୱିକେଟ୍‌ ହରାଇ ମ୍ୟାଚ୍‌ ଜିତି ନେଇଥିଲା। ଶ୍ରେ‌ଷ୍ଠ ସିଂହ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥି‌ଲେ।

ସମ୍ବନ୍ଧିତ ଖବର