ଭୁବନେଶ୍ବର: ଓଡ଼ିଶା କ୍ରିକେଟ୍ ସଂଘ (ଓସିଏ) ଦ୍ବାରା ଆୟୋଜିତ ଅନ୍ତଃଜିଲ୍ଲା ୧୯ ବର୍ଷରୁ କମ୍ ସୁପର ଲିଗ୍ ପର୍ଯ୍ୟାୟ ବୁଧବାରଠୁ ଆରମ୍ଭ ହୋଇଛି। ଏହି ୯ ଦଳୀୟ ଲିଗ୍ର ପ୍ରଥମ ଦିନ ୪ ମ୍ୟାଚ୍ ଖେଳାଯାଇଥିଲା ବେଳେ କଟକ-ଏ, ଭୁବନେଶ୍ବର-ବି, ରାଉରକେଲା ଓ ଝାରସୁଗୁଡ଼ା ବିଜୟୀ ହୋଇଛନ୍ତି।
କଟକର ବୋସ୍ ଗ୍ରାଉଣ୍ଡ୍ରେ କଟକ ଦଳ ୯ ୱିକେଟ୍ରେ ସମ୍ବଲପୁରକୁ ପରାସ୍ତ କରିଛି। ଟସ୍ ଜିତିଥିବା ସମ୍ବଲପୁର ନୀତିଶ ସିଂହଙ୍କ ଅପରାଜିତ ୩୧ ରନ୍ ସତ୍ତ୍ବେ ୨୭.୫ ଓଭରରେ ୯୫ ରନ୍ରେ ଅଲ୍ଆଉଟ୍ ହୋଇଥିଲା। କଟକ ଦଳ ପକ୍ଷରୁ ସାଇଦୀପ ମହାପାତ୍ର ୯-୨-୨୪-୪ ଓ ଶୁଭମ୍ ବେହେରା ୯-୦-୩-୨ର ବୋଲିଂ ଚିତ୍ର ପାଇଥିଲେ। ଜବାବରେ ଅଧିନାୟକ ଶଶାଙ୍ଗ ରୁଙ୍ଗ୍ଟାଙ୍କ ଅପରାଜିତ ୩୯ ଓ ପ୍ରିନ୍ସ ଏସ୍ ବେହେରାଙ୍କ ୩୨ ରନ୍ ବଳରେ କଟକ ୨୨.୫ ଓଭରରେ ମାତ୍ର ଗୋଟିଏ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଥିଲା। ସାଇଦୀପ ମହାପାତ୍ର ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
କଟକର ବିଡ଼ାନାସୀ ପଡ଼ିଆରେ ଭୁବନେଶ୍ବର ଦଳ ୯୯ ରନ୍ରେ ବାଲେଶ୍ବରକୁ ପରାସ୍ତ କରିଥିଲା। ଟସ୍ ହାରି ବ୍ୟାଟିଂ ପାଇଥିବା ଭୁବନେଶ୍ବର ବିଭାଂଶୁ ରୟ (୭୬) ଓ ଏମ୍ଜି ଗୌତମ (୫୦)ଙ୍କ ଅର୍ଦ୍ଧଶତକ ସାଙ୍ଗକୁ ପଙ୍କଜ ସାହୁଙ୍କ ଅପରାଜିତ ୪୪ ରନ୍ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୪ ୱିକେଟ୍ ହରାଇ କରିଥିଲା ୨୩୩ ରନ୍। ଶୁଭ ବାରିକ ସଫଳ ବୋଲର ଭାବେ ୨ ୱିକେଟ୍ ପାଇଥିଲେ। ଜବାବରେ ସୁଶୀଲ ବାରିକ (୯-୨-୨୬-୪), ସାଗର ମୁଳିଆ (୬-୧-୨୬-୩), ବିକାଶ ନାଏକ (୮.୧-୧-୧୮-୧) ଓ ବିରଜାକାନ୍ତ ବେହେରା (୮-୧-୨୬-୧)ଙ୍କ ଦମ୍ଦାର ବୋଲିଂ ନିକଟରେ ତିଷ୍ଠିନପାରି ବାଲେଶ୍ବର ଦଳ ୩୯.୧ ଓଭରରେ ୧୩୪ ରନ୍ରେ ସମସ୍ତ ୱିକେଟ୍ ହରାଇଥିଲା। ଅଧିନାୟକ ସୁମନ ଓଝା ୪୧ ଓ ଅରୁଣ ରାଉତ ୩୦ ରନ୍ କରିଥିଲା ବେଳେ ସୁଶୀଲ ବାରିକ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
ଭୁବନେଶ୍ବରର ଟାଉନ୍ କ୍ଲବ୍ ପଡ଼ିଆରେ ରାଉରକେଲା ୨୨ ରନ୍ରେ ଭଦ୍ରକକୁ ହରାଇଛି। ଅଧିନାୟକ ହେମନ୍ତ ନାୟକ (୪୩), ବସନ୍ତ ରାଥୋର (୩୨) ଓ ୱିକେଟ୍ରକ୍ଷକ ଆଶୀର୍ବାଦ ସ୍ବାଇଁ (୩୨)ଙ୍କ ବଳରେ ରାଉରକେଲା ୯ ୱିକେଟ୍ ବିନିମୟରେ ୨୧୧ ରନ୍ କରିଥିଲା। ମିର୍ କଫିରୁଦ୍ଦିନ୍ (୧୦-୧-୪୧-୪) ସଫଳ ବୋଲର ରହିଥିଲେ। ଜବାବରେ ଭଦ୍ରକ ୪୮.୨ ଓଭରରେ ୧୮୯ରେ ସବୁ ୱିକେଟ୍ ହରାଇଥିଲା। ମୀର୍ କଫିରୁଦ୍ଦିନ୍ ୪୫ ଓ ଅଧିନାୟକ ସୂର୍ଯ୍ୟ ମହାପାତ୍ର ୩୩ ରନ୍ କରିଥିଲା ବେଳେ ବିଜୟୀ ଦଳ ପକ୍ଷରୁ ଗୌତମ ସୁନା ୩୧/୩, ସ୍ବପ୍ ଭୂ୍ୟାଁ ୨୩/୨ ସଫଳ ବୋଲର ରହିଥିଲେ। ଗୌତମ ସୁନା (୨୨ ରନ୍ ଓ ୨ ୱିକେଟ୍) ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଭୁବନେଶ୍ବରର ପୂର୍ବତଟ ରେଳବାଇ ଗ୍ରାଉଣ୍ଡରେ ଝାରସୁଗୁଡ଼ା ୪ ୱିକେଟ୍ରେ କିଟ୍କୁ ପରାସ୍ତ କରିଛି। ରମଣୀ ଜେନା (୫୩), ଗୌରିଶ୍ ପାତ୍ର (୪୫) ଓ ଅଧିନାୟକ ମଣିତେଜ୍ ମହାନ୍ତି (୩୧)ଙ୍କ ବଳରେ କିଟ୍ ୪୯ ଓଭରରେ ୨୦୫ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା। ଓମ୍ କୁମାର ୪୯/୪, ସଚିନ୍ ଯାଦବ ୩୮/୩ ଓ ଶୁଭମ୍ ସିଂହ ୨୩/୨ ୱିକେଟ୍ ବାଣ୍ଟି ନେଇଥିଲେ। ଜବାବରେ ଅଧିନାୟକ ଧନଞ୍ଜୟ ଯାଦବ (୬୫*)ଙ୍କ ଅପରାଜିତ ଅର୍ଦ୍ଧଶତକ ସାଙ୍ଗକୁ ଅନୁଭବ ପ୍ରଧାନ (୪୮) ଓ ଓମ୍ କୁମାର (୩୨)ଙ୍କ ବଳରେ ଝାରସୁଗୁଡ଼ା ୪୮.୪ ଓଭରରେ ୬ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚି ଯାଇଥିଲା। ମଣିତେଜ ୨ ୱିକେଟ୍ ନେଇଥିଲେ। ଓମ୍ କୁମାର ଅଲ୍ରାଉଣ୍ଡ୍ ପ୍ରଦର୍ଶନ ପାଇଁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/56456456fhsfhfshfshhhhhhhhhhhhhhhhh.jpg)