ବରଗଡ଼/ବରପାଲି: ବରଗଡ଼ରେ ଚାଲିଥିବା ପିସି ବେହେରା ଟ୍ରଫି ଅନ୍ତଃଜିଲ୍ଲା ମହିଳା ଫୁଟ୍ବଲ୍ ପ୍ରତିଯୋଗିତାର ଫାଇନାଲ୍ ମ୍ୟାଚ୍ କେନ୍ଦୁଝର ଓ ଭୁବନେଶ୍ବର ମଧ୍ୟରେ ଆସନ୍ତା ୨୮ ତାରିଖରେ ଖେଳାଯିବ। ସୋମବାର ବରଗଡ଼ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମ୍ରେ ଖେଳାଯାଇଥିବା ୨ଟି ମ୍ୟାଚ୍ରେ ଝାରସୁଗୁଡ଼ା ଓ କେନ୍ଦ୍ରାପଡ଼ା ବିଜୟୀ ହୋଇଛନ୍ତି। ପ୍ରଥମ ମ୍ୟାଚ୍ରେ ଝାରସୁଗୁଡ଼ା ୧-୦ ଗୋଲ୍ରେ ଭଦ୍ରକକୁ ପରାସ୍ତ କରିଥିଲା। ସ୍ନେହା ତିର୍କି ଏକମାତ୍ର ଗୋଲ୍ ଦେଇଥିଲେ। ସଞ୍ଜନ କୁଦେଇ, ପିଙ୍କି ହଂସ, ରାଣୀ କାଲା ଓ ସୁଭଦ୍ରା ହେମ୍ବ୍ରମ ମ୍ୟାଚ୍ ପରିଚାଳନା କରିଥିଲେ। ଜିଲ୍ଲା କ୍ରୀଡ଼ା ସଂସଦ ସମ୍ପାଦକ କିଶୋର ମିଶ୍ରଙ୍କ ପୌରୋହିତ୍ୟ ଓ ସଚ୍ଚିଦାନନ୍ଦ ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ସମ୍ବଲପୁରୀ ବସ୍ତ୍ରାଳୟ ସଭାପତି ସମ୍ବିତ ଆଚାର୍ଯ୍ୟ ଅତିଥି ଭାବେ ଯୋଗ ଦେଇ ସ୍ନେହାଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଦେଇଥିଲେ।
ଫାଓ ଉପସଭାପତି ରବି ପଣ୍ଡା, ଜିଲ୍ଲା କ୍ରୀଡ଼ା ସଂସଦ କୋଷାଧ୍ୟକ୍ଷ ଶୁଭ୍ରାଂଶୁ ଶେଖର ମହାପାତ୍ର, ଫୁଟ୍ବଲ୍ ସମ୍ପାଦକ ସେକ୍ ସବଦର, ଆଉଟ୍ଡୋର ଗେମ୍ସ ସମ୍ପାଦକ ସୁରେଶ ଦାଶ, ପୂର୍ବ ଖେଳାଳି ଆତୀଶ ପଣ୍ଡା ଉପସ୍ଥିତ ଥିଲେ। ଦ୍ବିତୀୟ ମ୍ୟାଚରେ କେନ୍ଦ୍ରାପଡ଼ା ୩-୦ ଗୋଲ୍ରେ ଯାଜପୁର ବିଜୟୀ ହୋଇଥିଲା। ଦଳର ରୁକ୍ମିଣୀ ମୁର୍ମୁ ୨ଟି ଓ ଶିଖା ମଲ୍ଲିକ ଗୋଟିଏ ଗୋଲ୍ ଦେଇଥିଲେ। ଶୁଭମ୍ ପାତ୍ର, ବାଳମତି ଓରାମ, ସୀତା ମାରାଣ୍ଡି ଓ ବନିତା ହିମରିକା ଖେଳ ପରିଚାଳନା କରିଥିଲେ। ପୁରସ୍କାର ବିତରଣୀରେ ଅନ୍ତର୍ଜାତୀୟ ଆଥଲେଟ୍ ହରଧନ ଭୋଇ ଅତିଥି ଭାବେ ଯୋଗଦେଇ ଯାଜପୁରର କମଳ କ୍ରିଷ୍ଣାଙ୍କୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ଦେଇଥିଲେ।
ସେହିପରି ବରପାଲି କଦଳୀପାଲି ଆନନ୍ଦ ଫୁଟ୍ବଲ୍ ପଡ଼ିଆରେ କଦଳୀପାଲି ଦୌଡ଼କୁଦ ସଂଘ ପକ୍ଷରୁ ଆୟୋଜିତ ମ୍ୟାଚ୍ରେ କେନ୍ଦୁଝର ୭-୦ ଗୋଲ୍ରେ ପୁରୀକୁ ପରାସ୍ତ କରିଛି। ବରଗଡ଼ ବିଧାୟକ ଅଶ୍ବିନୀ ଷଡ଼ଙ୍ଗୀ, ଜିଲ୍ଲା ଦୌଡ଼କୁଦ ସଂଘ ସମ୍ପାଦକ ହରଦୀପ ସିଂହ, ବରଗଡ଼ର ପୂର୍ବ ପୌରାଧ୍ୟକ୍ଷ ପ୍ରଶାନ୍ତ ବେହେରା, ବରପାଲି ତହସିଲଦାର ରୁକ୍ମଣ ମେହେର, ସଂଗ୍ରାମ କେଶରୀ ବାରିକ, ପ୍ରତାପ ସିଂହ ଅତିଥି ଭାବେ ଯୋଗ ଦେଇ ଖେଳକୁ ଉଦ୍ଘାଟନ କରିଥିଲେ। କେନ୍ଦୁଝର ପ୍ରଥମାର୍ଦ୍ଧରେ ୫ ଓ ଦ୍ବିତୀୟାର୍ଦ୍ଧରେ ୨ ଗୋଲ୍ ଦେଇଥିବା ବେଳେ ପୁରୀ ଗୋଟିଏ ବି ଗୋଲ୍ ଦେଇପାରି ନଥିଲା। ଅମିରା ପଧାନ, ପ୍ରଶାନ୍ତ ବେହେରା, ଅନିଲ ଭୋଇ, ଭାରତୀ ଓରାମ ଓ ନବୀନ ନାଏକ ଖେଳ ପରିଚାଳନା କରିଥିଲେ। ଅନ୍ୟଏକ ମ୍ୟାଚ୍ରେ ଜଗତସିଂହପୁର ୧-୦ (୦-୦) ଗୋଲ୍ରେ ତାରକା ଖର୍ଚିତ ଓଡ଼ିଶା ପୁଲିସ୍କୁ ପରାସ୍ତ କରିଛି। ନିର୍ଧାରିତ ସମୟରେ ମ୍ୟାଚ୍ ଗୋଲଶୂନ୍ୟ ରହିଥିଲା ବେଳେ ପେନାଲ୍ଟି ସୁଟ୍ଆଉଟ୍ରେ ଜଗତସିଂହପୁର ବିଜୟୀ ହୋଇଥିଲା।