ବରଗଡ଼: ସୁନ୍ଦରଗଡ଼ ‘ବି’ ଓ କଟକ ମଧ୍ୟରେ ପିସି ବେହେରା ଟ୍ରଫି ଅନ୍ତଃଜିଲ୍ଲା ମହିଳା ଫୁଟ୍‌ବଲ୍‌ ପ୍ରତିଯୋଗିତାର ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ। ସେପ୍ଟେମ୍ବର ୧ ତାରିଖରେ ଏହି ମ୍ୟାଚ୍‌ ବରଗଡ଼ରେ ଅନୁଷ୍ଠିତ ହେବ। ‌ସେମିଫାଇନାଲ୍‌ରେ ସୁନ୍ଦରଗଡ଼ ବି’ ୧-୦ ଗୋଲ୍‌ରେ କେନ୍ଦୁଝରକୁ ଓ କଟକ ୨-୧ ଗୋଲ୍‌ରେ ଜଗତସିଂହପୁରକୁ ହରାଇଥିଲା। ଶୁକ୍ରବାର ବରଗଡ଼ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମରେ ସୁନ୍ଦରଗଡ଼ ବି’ ଓ କେନ୍ଦୁଝର ମଧ୍ୟରେ ଖେଳାଯାଇଥିବା ପ୍ରଥମ ସେମିଫାଇନାଲ୍‌ ମ୍ୟାଚ୍‌ ସଂଘର୍ଷପୂର୍ଣ୍ଣ ଥିଲା। ପ୍ରଥମାର୍ଦ୍ଧ ସଂପୂର୍ଣ୍ଣ ଗୋଲଶୂନ୍ୟ ଥିବା ବେଳେ ଦ୍ୱିତୀୟାର୍ଦ୍ଧର ୬୬ ମିନିଟରେ ପ୍ରମିଳା କିଷାନ ବିଜୟ ସୂଚକ ଗୋଲ୍‌ ଦେଇ ସୁନ୍ଦରଗଡ଼ ବି’କୁ ଫାଇନାଲରେ ପହଞ୍ଚାଇ ଥିଲେ। ଏହି ମ୍ୟାଚ୍‌କୁ ପ୍ରଶାନ୍ତ ବେହେରା, ଅମିରା ପ୍ରଧାନ, ଶୁଭମ୍ ପାତ୍ର, ଆରତି ମହାନ୍ତି ପରିଚାଳନା କରିଥିଲେ।

Advertisment

 ପ୍ରଥମ ମ୍ୟାଚ୍‌କୁ ବରଗଡ଼ର ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ ଉଦ୍‌ଘାଟନ କରିଥିବା ବେଳେ ଓଡ଼ିଶା ଅଲିମ୍ପିକ ସଂଘର ଯୁଗ୍ମ ସମ୍ପାଦକ ପ୍ରଭାତ ଭୋଳ, ଜିଲ୍ଲା କ୍ରୀଡ଼ା ସଂସଦ ଉପସଭାପତି ଯୁଗଳ ପ୍ରସାଦ ସିଂ, ସମ୍ପାଦକ କିଶୋର ମିଶ୍ର, କୋଷାଧ୍ୟକ୍ଷ ଶୁଭ୍ରାଂଶୁ ଶେଖର ମହାପାତ୍ର, ଫାଓ ଉପସଭାପତି ରବି ପଣ୍ଡା, ଆଉଟ୍‌ଡୋର ଗେମ୍ସ ସମ୍ପାଦକ ସୁରେଶ ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ପୁରସ୍କାର ବିତରଣୀରେ ବରିଷ୍ଠ ଡାକ୍ତର ଏଟମ୍‌ ସାହୁ ଅତିଥି ଭାବେ ଯୋଗ ଦେଇ ପ୍ରମିଳା କିଷାନଙ୍କୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରିଥିଲେ। ତାଙ୍କ ସହ ଜିଲ୍ଲା କ୍ରିକେଟ ସଂଘ ସଭାପତି ହରିହର ପ୍ରଧାନ, ପୂର୍ବତନ ସମ୍ପାଦକ ସୁବ୍ରତ ଚାଟାର୍ଜୀ, କ୍ରୀଡ଼ା ସଂସଦ ସମ୍ପାଦକ ହରଦୀପ ସିଂ, ସନ୍ତୋଷ ପଣ୍ଡା, ଅତୀଶ ପଣ୍ଡା ଅତିଥି ଭାବେ ଉପସ୍ଥିତ ଥିଲେ।

ସେହିପରି କଟକ ଓ ଜଗତସିଂହପୁର ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ ମଧ୍ୟ ସଂଘର୍ଷପୂର୍ଣ୍ଣ ରହିଥିଲା। ଜଗତସିଂପୁରର ଅଙ୍କିତା ନାୟକ ୮ ମିନିଟ୍‌ରେ ପ୍ରଥମ ଗୋଲ୍‌ ଦେଇଥିଲା ବେଳେ କଟକ ପକ୍ଷରୁ ଲକ୍ଷ୍ମୀପ୍ରିୟା ଲେଙ୍କା (୧୦ ମିନିଟ୍‌) ଓ ବର୍ଷା ମହାକୁଡ଼ (୧୫ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ କରିଥିଲେ। କିନ୍ତୁ ଏହାପରଠୁ ଜଗତସିଂହପୁର ଗୋଲ୍‌ ଦେବାରେ ବିଫଳ ହେବାରୁ କଟକ ଫାଇନାଲ୍‌ରେ ପହଞ୍ଚିପାରିଥିଲା। ରୀନା ତିର୍କୀ, ରାଣୀ କାଲା, ବାଲମତି ଓରାମ, ସୀତା ମାରାଣ୍ଡି ଓ ଦୁର୍ଗା ମାଧବ ନାୟକ ମ୍ୟାଚ୍ ପରିଚାଳନା କରିଥିଲେ। ସଚ୍ଚିଦାନନ୍ଦ ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ ପୁରସ୍କାର ବିତରଣୀ କାର୍ଯ୍ୟକ୍ରମରେ ବରଗଡ଼ ଧନୁଯାତ୍ରା ମହୋତ୍ସବର କଂସ ଚରିତ୍ର ଅଭିନେତା ହୃଷୀକେଶ ଭୋଇ, କ୍ରୀଡ଼ା ସଂସଦ ଉପସଭାପତି ଯୁଗଳ ପ୍ରସାଦ ସିଂ, କାଉନସିଲ ସଦସ୍ୟ ପ୍ରଦୀପ ସାହୁ, ଆଜୀବନ ସଦସ୍ୟ ଗିରିଜା ପ୍ରସାଦ ନାଥ, ଜ୍ଞାନ ରଞ୍ଜନ ପୂଜାରୀ ଅତିଥି ଭାବେ ଯୋଗ ଦେଇ କଟକର ସୁନିତାଙ୍କୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରିଥିଲେ।