କଟକ : ଓଡ଼ିଶା କ୍ରିକେଟ୍ ସଂଘ (ଓସିଏ) ଆନୁକୂଲ୍ୟରେ ଚାଲିଥିବା ଅନ୍ତଃଜିଲ୍ଲା ମହିଳା ଟ୍ବେଣ୍ଟି-୨୦ କ୍ରିକେଟ୍ର ଗୁରୁବାର ଅନୁଷ୍ଠିତ ମ୍ୟାଚ୍ରେ ଯାଜପୁର, ମାଲକାନଗିରି, କିଟ୍, ଗଂଜାମ, ରାଉରକେଲା, ଜଗସିଂହପୁର ବିଜୟୀ ହୋଇଛନ୍ତି। ରେଭେନ୍ସା ପଡ଼ିଆ-୧ରେ ଯାଜପୁର ୫ ୱିକେଟରେ କେନ୍ଦୁଝରକୁ ହରାଇଛି। କେନ୍ଦୁଝର ୬ ୱିକେଟ୍ ହରାଇ ୪୮ ରନ୍ କରିଥିଲା ବେଳେ ଯାଜପୁର ୧୫.୪ ଓଭର ସୁଦ୍ଧା ୫ ୱିକେଟ୍ ବିନିମୟରେ ମ୍ୟାଚ୍ ଜିତିଥିଲା। ରେଭେନ୍ସା ପଡ଼ିଆ-୨ରେ ମାଲକାନଗିରି ୪୨ ରନରେ କୋରାପୁଟକୁ ହରାଇଛି। ମାଲକାନଗିରି ୧୨.୪ ଓଭରରେ ସମସ୍ତ ୱିକେଟ୍ ହରାଇ ୬୯ ରନ୍ କରିଥିଲା।
ଜବାବରେ କୋରାପୁଟ ସମସ୍ତ ୱିକେଟ୍ ବିନିମୟରେ ମାତ୍ର ୨୭ ରନ୍ କରିବାକୁ ସମର୍ଥ ହୋଇଥିଲା। ବିଜୟୀ ଦଳର ଭାଗ୍ୟଶ୍ରୀ ନାଲରପୁ ଅଲରାଉଣ୍ଡ (୧୪ ରନ୍, ୪ ୱିକେଟ୍) ପ୍ରଦର୍ଶନ ଦେଇ ଦଳକୁ ଜିତାଇଥିଲେ। ସନ୍ସାଇନ୍ ପଡିଆରେ କିଟ୍ ୮୪ ରନରେ ଝାରସୁଗୁଡ଼ାକୁ ହରାଇଛି। କିଟ୍ ପ୍ରଥମେ ବ୍ୟାଟିଂ କରି ୪ ୱିକେଟ୍ ବିନିମୟରେ ୧୧୪ ରନ୍ କରିଥିଲା। ଜବାବରେ ଝାରସୁଗୁଡ଼ା ୫ ୱିକେଟ୍ ହରାଇ ୩୨ ରନ୍ କରିବାକୁ ସମର୍ଥ ହୋଇଥିଲା। କିଟ୍ର ଲକ୍ଷ୍ମୀପ୍ରିୟା ନାୟକ ୪୯ ଓ ରାନି ଟୁଡୁ ୪୦ ରନ୍ କରିଥିଲେ। ରେଭେନ୍ସା ପଡ଼ିଆରେ-୧ରେ ଗଂଜାମ ୪ରନରେ (ଡିଏଲ୍ଏସ୍) କେନ୍ଦ୍ରାପଡ଼ାକୁ ହରାଇଛି। ଗଂଜାମ ୧୨.୨ ଓଭରରେ ସମସ୍ତ ୱିକେଟ୍ ହରାଇ ୪୮ ରନ୍ କରିଥିଲା।
କେନ୍ଦ୍ରାପଡ଼ାର ସସ୍ମିତା ସେନାପତି ୩ ୱିକେଟ୍ ଅକ୍ତିଆର କରିଥିଲେ। ଜବାବରେ କେନ୍ଦ୍ରାପଡ଼ା ୧୪ ଓଭରରେ ୫ ୱିକେଟ୍ ହରାଇ ୪୫ ରନ୍ କରିବାକୁ ସମର୍ଥ ହୋଇଥିଲା। ରେଭେନ୍ସା ପଡିଆ-୨ରେ ରାଉରକେଲା ୧୦ ୱିକେଟରେ (ଡିଏଲ୍ଏସ୍) ଭଦ୍ରକକୁ ହରାଇଛି। ଭଦ୍ରକ ୧୬ ଓଭରରେ ୬ ୱିକେଟ୍ ହରାଇ ୪୬ ରନ୍ କରିଥିଲା। ଜବାବରେ ରାଉରକେଲା ବିନା କୌଣସି ୱିକେଟ୍ ହରାଇ ମ୍ୟାଚ୍ ଜିତିଥିଲା। ସନ୍ସାଇନ୍ ପଡ଼ିଆରେ ଜଗତସିଂହପୁର ୫୫ ରନରେ ପୁରୀକୁ ହରାଇଛି। ନମ୍ରତା ରଘୁବଂଶୀଙ୍କ ୩୦* ରନ୍ ସହାୟତାରେ ଜଗତସିଂହପୁର ୮ ଓଭରରେ ୨ ୱିକେଟ୍ ହରାଇ ୭୮ ରନ୍ କରିଥିଲା। ଜବାବରେ ପୁରୀ ଧାର୍ଯ୍ୟ ଓଭର ସୁଦ୍ଧା ୧ ୱିକେଟ୍ ହରାଇ ମାତ୍ର ୨୩ ରନ୍ କରିବାକୁ ସମର୍ଥ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/cri.jpg)