ଭୁବନେଶ୍ୱର: କ୍ରୀଡ଼ା ଓ ଯୁବ ସେବା ବିଭାଗରୁ ଆମନ୍ତ୍ରଣ ପାଇ ପ୍ରତିଷ୍ଠିତ ଆମେରିକୀୟ ଦୌଡ଼କୁଦ ପ୍ରଶିକ୍ଷକ ତାଇଓ ଆରିଓ ସଂପ୍ରତି ଓଡ଼ିଶା ଆସିଛନ୍ତି। ଶନିବାର ପୂର୍ବାହ୍ନରେ ଓଡ଼ିଶାରେ ଦୌଡ଼କୁଦର ବିକାଶ ତଥା ଉନ୍ନତ ପ୍ରଶିକ୍ଷଣ ବ୍ୟବସ୍ଥା ପାଇଁ ବିଜ୍ଞାନ ସମ୍ମତ ଖସଡ଼ା ପ୍ରସ୍ତୁତ ନେଇ ସେ କ୍ରୀଡ଼ା ସଚିବ ବିଶାଳ ଦେବ ଏବଂ କ୍ରୀଡ଼ା ନିର୍ଦେଶକ ଭିନିଲକ୍ରିଷ୍ଣାଙ୍କ ସହ ଆଲୋଚନା କରିଥିଲେ। ସେହିଭଳି ଅପରାହ୍ନରେ ଦେଶର ଦ୍ରୁତତମ ଧାବକ ତଥା ଓଡ଼ିଶାର ଗର୍ବ ଏବଂ ଗୌରବ ଅମୀୟ ମଲ୍ଲିକଙ୍କୁ କଳିଙ୍ଗ ଷ୍ଟାଡିୟମରେ ପ୍ରଶିକ୍ଷଣ ଦେଇଥିଲେ। ଏସୀୟ ଦୌଡ଼କୁଦ ଅବସରରେ ଓଡ଼ିଶାରେ ଏକ ଅନ୍ତର୍ଜାତୀୟ ଦୌଡ଼କୁଦ ଏକାଡେମି ସ୍ଥାପନ ଲାଗି ରାଜ୍ୟ ସରକାର ଅନ୍ତର୍ଜାତୀୟ ଦୌଡ଼କୁଦ ମହାସଂଘ ସହ ବୁଝାମଣା ପତ୍ର ସ୍ୱାକ୍ଷର କରିଥିଲେ। ଆରିଓଙ୍କ ଆଗମନ ଏହି ଦିଗରେ ଏକ ବଡ଼ ପଦକ୍ଷେପ ବୋଲି କୁହା ଯାଉଛି। ଆରିଓଙ୍କୁ ରାଜ୍ୟର ଉଦୀୟମାନ କ୍ରୀଡ଼ା ତାରକାଙ୍କୁ ପ୍ରଶିକ୍ଷଣ ଦେବାର ବ୍ୟବସ୍ଥା କରିବା ଲାଗି ଅମିୟ କ୍ରୀଡ଼ା ଏବଂ ଯୁବସେବା ବିଭାଗକୁ ଏକ ପ୍ରସ୍ତାବ ଦେଇଥିଲେ। ତାଙ୍କ ପ୍ରସ୍ତାବକୁ ବିଭାଗ ସମ୍ମାନ ଜଣାଇବା ସହ ଆରିଓଙ୍କୁ ଭୁବନେଶ୍ୱର ଡାକି ଏଠାକାର ସୁବିଧା ସୁଯୋଗକୁ ଅନୁଧ୍ୟାନ କରିବାକୁ ଆମନ୍ତ୍ରଣ କରିଥିଲେ। ଶନିବାର ଆରିଓ ଏଥିଲାଗି ଭୁବନେଶ୍ୱର ପହଞ୍ଚି କଳିଙ୍ଗ ଷ୍ଟାଡିୟମର ନୂତନ ଟ୍ରାକ୍ ଏବଂ ଅଭ୍ୟାସ ଟ୍ରାକ୍କୁ ବୁଲି ଦେଖିଥିଲେ। ତା’ ସହ ଅମିୟଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ସେ ଆସନ୍ତା ଦୁଇ ସପ୍ତାହ ପର୍ଯ୍ୟନ୍ତ ଓଡ଼ିଶାରେ ରହି ଅମିୟଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦେବାର ଯୋଜନା ରହିଛି।
ନାଇଜେରିଆରେ ଜନ୍ମ ଗ୍ରହଣ କରିଥିଲେ ମଧ୍ୟ ଗତ ୧୨ ବର୍ଷ ହେବ ଆମେରିକାରେ ରହି ଦୌଡ଼କୁଦ ପ୍ରଶିକ୍ଷଣ ଦେଉଛନ୍ତି। ସେ ଅନ୍ତର୍ଜାତୀୟ ଦୌଡ଼କୁଦ ମହାସଂଘର ଲେବୁଲ-୫ ପ୍ରଶିକ୍ଷଣ ପାଠ୍ୟକ୍ରମ ଶେଷ କରିଛନ୍ତି। ତାଙ୍କର ଦୁଇ ଦଶନ୍ଧିର ପ୍ରଶିକ୍ଷଣ ଅଭିଜ୍ଞତା ରହିଛି। ସାଉଦି ଆରବ, ତୁର୍କି ଓ ସାଇପ୍ରସ୍ ସହ କେତେକ ୟୁରୋପୀୟ ଦେଶରେ ସେ ପ୍ରଶିକ୍ଷଣ ଦେଇ ସାରିଛନ୍ତି। ଜଣେ ଶୀର୍ଷ ସ୍ତରୀୟ ପ୍ରଶିକ୍ଷକ ହୋଇଥିବାରୁ ତାଙ୍କ ତତ୍ତ୍ୱାବଧାନରେ ରାଜ୍ୟ ଦୌଡ଼କୁଦ ଜଗତ ବେଶ୍ ଲାଭବାନ ହୋଇ ପାରିବ ବୋଲି ଆଶା କରାଯାଉଛି। ତେବେ ସେ ଭୁବନେଶ୍ୱରରେ ପୂର୍ଣ୍ଣକାଳିନ ଭାବେ ରହି ପ୍ରଶିକ୍ଷଣ ଦେବେ ନା ଅତିଥି ପ୍ରଶିକ୍ଷକ ଭାବେ କାର୍ଯ୍ୟ କରିବେ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ। ଏହି ବିଷୟରେ ଚୂଡ଼ାନ୍ତ ନିଷ୍ପତ୍ତି ରାଜ୍ୟ ସରକାର ନେବେ। ମୁଁ ଏଠାକୁ ଓଡ଼ିଶା ସରକାରଙ୍କ ଆମନ୍ତ୍ରଣରେ ଆସିଛି। ସୁଯୋଗ ମିଳିଲେ ଏଠାକାର ଧାବକ/ଧାବିକାଙ୍କୁ ଅନ୍ତର୍ଜାତୀୟ ସଫଳତା ଦେବା ଲାଗି ନିଶ୍ଚିତ ଚେଷ୍ଟା କରିବି ବୋଲି ତାଇଓ କହିଛନ୍ତି।
ଭିତ୍ତିଭୂମି ପରଖିଲେ, ଅମିୟଙ୍କୁ ପ୍ରଶିକ୍ଷଣ ଦେଲେ
ଓଡ଼ିଶାରେ ଅନ୍ତର୍ଜାତୀୟ ପ୍ରଶିକ୍ଷକ ତାଇଓ ଆରିଓ
/sambad/media/post_attachments/wp-content/uploads/2018/01/AKS_9137.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)