ଅନ୍ତଃମହାବିଦ୍ୟାଳୟ ବାସ୍କେଟ୍‌ବଲ୍‌: ଦେବରାୟକୁ ଦ୍ୱିମୁକୁଟ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପରିଷଦ ଆନୁକୁଲ୍ୟରେ ବାଣୀବିହାରଠାରେ ଆୟୋଜିତ ଅନ୍ତଃମହାବିଦ୍ୟାଳୟ ବାସ୍କେଟ୍‌ବଲ୍‌ ପ୍ରତିଯୋଗିତାରେ ନୟାପଲ୍ଲୀସ୍ଥିତ ଦେବରାୟ ମହାବିଦ୍ୟାଳୟ ଦ୍ୱିମୁକୁଟ ହାସଲ କରିଛି। ବୁଧବାର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଉଭୟ ପୁରୁଷ ଓ ମହିଳା ଫାଇନାଲ୍‌ରେ ଦେବରାୟ ମହାବିଦ୍ୟାଳୟ ଯଥାକ୍ରମେ ୨୧-୧୯ରେ କଟକର ରଘୁନାଥ ଜୀଉ ମହାବିଦ୍ୟାଳୟକୁ ଏବଂ ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟକୁ ୨୧-୧୦ ପଏଣ୍ଟ୍‌ରେ ପରାସ୍ତ କରି ଯୁଗଳ ଟ୍ରଫି ହାତେଇଥିଲା। ସେପ୍ଟେମ୍ବର ୧୦ ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାରେ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧିନସ୍ଥ ମହାବିଦ୍ୟାଳୟଗୁଡ଼ିକରୁ ୧୩ ପୁରୁଷ ଏବଂ ୭ ମହିଳା ଦଳ ଭାଗ ନେଇଥିଲେ। ପୁରସ୍କାର ବିତରଣୀ ସଭାରେ କ୍ରୀଡ଼ା ପରିଷଦ ନିର୍ଦେଶକ ପ୍ରଫେସର କବୀର ମୋହନ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜେତା ଓ ଉପବିଜେତା ଦଳକୁ ଟ୍ରଫି ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କ୍ରୀଡ଼ା ପରିଷଦ ଶାରୀରିକ ଶିକ୍ଷାଧିକାରୀ ଅମ୍ବିକା ପ୍ରସାଦ ରାୟ, ପ୍ରମୋଦ କୁମାର ନାୟକ, ସଂଯୋଜକ ପ୍ରବୀର କୁମାର ମହାନ୍ତି, ପ୍ରଦୀପ କୁମାର ସାମନ୍ତସିଂହାର, ଦକ୍ଷ ବ୍ରହ୍ମା ରାଉତରାୟ, ବେଣୁଧର ଦାସ, ଚତୁର୍ଭୁଜ ଜେନା, ବିଶ୍ୱବିଦ୍ୟାଳୟ ଦଳର ଚୟନକର୍ତା ରାଜେନ୍ଦ୍ର କୁମାର ପାଣି, ସ୍ମରିତା ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରତିଯୋଗିତାକୁ ଦେବପ୍ରସାଦ ସାହୁ, ମହମ୍ମଦ ସଇଦ, ଚିରଞ୍ଜିତ କରଣ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର