ଅନ୍ତଃମହାବିଦ୍ୟାଳୟ ଦୌଡ଼କୁଦ: ଦେବରାୟ, କଲ୍ୟାଣୀ ବିଜେତା

କଣ୍ଟାପଡ଼ା: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆୟୋଜିତ ୩୫ତମ ଅନ୍ତଃମହାବିଦ୍ୟାଳୟ ଦୌଡ଼କୁଦ ପ୍ରତିଯୋଗିତା ଅଡ଼ଶପୁରସ୍ଥିତ ଉଦୟନାଥ ସ୍ୱୟଂଶାସିତ ମହାବିଦ୍ୟାଳୟ ପଡ଼ିଆରେ ଉଦ୍‌ଯାପିତ ହୋଇଯାଇଛି। ଏଥିରେ ଭୁବନେଶ୍ୱରର ଦେବରାୟ ମହାବିଦ୍ୟାଳୟ ବାଳିକା ଓ ସୁନ୍ଦରଗଡ଼ର କଲ୍ୟାଣୀ କନିଷ୍ଠ ମହାବିଦ୍ୟାଳୟ ବାଳକ ବର୍ଗରେ ଦଳଗତ ବିଜେତା ହୋଇଛନ୍ତି। ସେହିପରି ବାଳିକା ବ୍ୟକ୍ତିଗତ ବିଭାଗରେ ଭୁବନେଶ୍ୱର ଦେବରାୟ ମହାବିଦ୍ୟାଳୟର ରଇବାରି ତିରିଆ ଏବଂ ବାଳକରେ ମୟୂରଭଞ୍ଜ ଚୈତନ୍ୟ ପ୍ରସାଦ ମହାବିଦ୍ୟାଳୟର କ୍ରୀଷ୍ଣା ମୁଣ୍ଡା ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି। ଆରାଧ୍ୟ କୁମାର ପ୍ରଧାନ, ବିତ୍ତରଂଜନ ନାୟକ, ବସନ୍ତ ଲେଙ୍କା, ନଳିନୀ ବିଶ୍ୱାଳ, ଏଲିଜା ପଟ୍ଟନାୟକ, ଗୀତା ଦାସ, ଲିନେନା ରାଣୀ ପ୍ରଧାନ, ପ୍ରଦୀପ ସାମନ୍ତସିଂହାର ଓ ଜ୍ୟୋତ୍ସ୍ନାରାଣୀ ଦାସ ଖେଳ ପରିଚାଳନା କରିଥିଲେ। ଏହି ପ୍ରତିଯୋଗିତାରେ ୧୨୫ ମହାବିଦ୍ୟାଳୟରୁ ୬୬୭ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।

ଉଦ୍‌ଯାପୀ ଉତ୍ସବରେ ୟୁଜିସିର ପୂର୍ବତନ ଉପ ସଚିବ ପ୍ରଫେସର ପ୍ରାଣବନ୍ଧୁ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସିଏଚ୍‌ଏସ୍‌ଇ ସଚିବ ସତ୍ୟଜିତ ଦାସ ମହାପାତ୍ର, ସହକାରୀ ସଚିବ ରମେଶ ଚନ୍ଦ୍ର ମିଶ୍ର, ଉଦୟନାଥ ମହାବିଦ୍ୟାଳୟ ଅଧ୍ୟକ୍ଷ ଦୈତାରୀ ସିଂହ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଚିନ୍ମୟ ରଂଜନ ଦାସ, କଲ୍ୟାଣୀ ପଟ୍ଟନାୟକ, ମାଗୁଣି ଚରଣ ପରିଡ଼ା, ଚାରୁଲତା ଦାସ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। କ୍ରୀଡ଼ା ସଂସଦ ଉପ ସଭାପତି ଅରୁଣ କୁମାର ସ୍ୱାଇଁ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର