ଅନ୍ତଃମହାବିଦ୍ୟାଳୟ ଦୌଡ଼କୁଦ ଉଦ୍‌ଘାଟିତ

କଟକ: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ୩୫ତମ ଅନ୍ତଃମହାବିଦ୍ୟାଳୟ ଦୌଡ଼କୁଦ ପ୍ରତିଯୋଗିତା ଅଡ଼ଶପୁରସ୍ଥିତ ଉଦୟନାଥ ସ୍ୱୟଂଶାସିତ ମହାବିଦ୍ୟାଳୟ ପଡ଼ିଆରେ ଉଦ୍‌ଘାଟିତ ହୋଇଛି। ପ୍ରତିଯୋଗିତାରେ ୧୨୫ ମହାବିଦ୍ୟାଳୟରୁ ୬୬୭ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି। ୫୨୬ ବାଳକ ଓ ୧୪୧ ବାଳିକା କ୍ରୀଡ଼ାବିତ୍‌ ଏଥିରେ ଭାଗ ନେଇଛନ୍ତି। ୧୦୦, ୨୦୦, ୪୦୦, ୮୦୦ ଓ ୧୫୦୦ ମିଟର, ୪ ଗୁଣା ୧୦୦ ମିଟର ଓ ୪ ଗୁଣା ୪୦୦ ମିଟର ରିଲେ ଦୌଡ଼ ସହିତ ଲମ୍ବ ଡିଆଁ, ଉଚ୍ଚ ଡିଆଁ, ଟ୍ରିପଲ ଜମ୍ପ, ଜାଭେଲିନ୍‌ ଥ୍ରୋ, ସଟ୍‌ ପୁଟ୍‌, ଡିସ୍‌କସ୍‌ ଥ୍ରୋରେ ପ୍ରତିଦ୍ୱନ୍ଦ୍ୱିତା ହେବ। ଏହାବ୍ୟତୀତ ସ୍ୱତନ୍ତ୍ର ଭାବେ ବାଳକଙ୍କ ପାଇଁ ୩୦୦୦ ମିଟର, ୫୦୦୦ ମିଟର ଦୌଡ଼, ପୋଲ୍‌ ଭଲ୍ଟ ଓ ୧୧୦ ମିଟର ବାଧାଦୌଡ଼ ଏବଂ ବାଳିକାଙ୍କ ପାଇଁ ୧୦୦ ମିଟର ବାଧାଦୌଡ଼ରେ ଇଭେଣ୍ଟ ଅନୁଷ୍ଠିତ ହେବ। ରବିବାର ଉଚ୍ଚଶିକ୍ଷା ନିର୍ଦେଶକ ସୁନ୍ଦରଲାଲ୍‌ ସିଆଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲା ବେଳେ ମୁଖ୍ୟବକ୍ତା ଭାବେ ୟୁଏନ୍‌ ମହାବିଦ୍ୟାଳୟ ସଭାପତି ତ୍ରିଲୋଚନ କାନୁନ୍‌ଗୋ, ଯଶୋବନ୍ତ ସାମଲ, ପ୍ରଫସର ପ୍ରାଣବନ୍ଧୁ ତ୍ରିପାଠୀ, ଅଧ୍ୟକ୍ଷ ଦୈତାରୀ ସିଂହ, ବାଣିଜ୍ୟ ବିଭାଗ ମୁଖ୍ୟ ଅରୁଣ କୁମାର ସ୍ୱାଇଁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଆସନ୍ତା ୨୮ ତାରିଖରେ ପ୍ରତିଯୋଗିତା ଉଦ୍‌ଯାପିତ ହେବ।

ସମ୍ବନ୍ଧିତ ଖବର