ଅନ୍ତଃବିଦ୍ୟାଳୟ ଟିଟି: ଅଙ୍କୁର ବିଜେତା

ଭୁବନେଶ୍ବର: କଟକର ଜବାହରଲାଲ ନେହରୁ ଇନ୍‌ଡୋର ଷ୍ଟାଡିୟମରେ ଚାଲିଥିବା ଅନ୍ତଃବିଦ୍ୟାଳୟ ଟେବୁଲ ଟେନିସ୍‌ ପ୍ରତିଯୋଗିତା ରବିବାର ତୃତୀୟ ଦିବସରେ ଉଦ୍‌ଯାପିତ ହୋଇଯାଇଛି। ବରିଷ୍ଠ ବାଳକ ଏକକରେ ଦିଲ୍ଲୀ ପବ୍ଲିକ୍‌ ସ୍କୁଲ୍‌ (ଡିପିଏସ୍‌, କଳିଙ୍ଗା) ଛାତ୍ର ଅଙ୍କୁର ବିଶ୍ବାଳ ବିଜେତା ହୋଇଛନ୍ତି। ସଂଘର୍ଷପୂର୍ଣ୍ଣ ଫାଇନାଲ୍‌ରେ ସେ ଡିଏଭି ପବ୍ଲିକ୍‌ ସ୍କୁଲ୍‌ (ସିଡିଏ, କଟକ) ଛାତ୍ର ଆୟନ ମୁସ୍ତାକଙ୍କୁ ୩-୨ (୭-୧୧, ୧୧-୯, ୧୨-୧୦, ୧୧-୧୩ ଓ ୧୧-୪)ରେ ପରାସ୍ତ କରି ଟ୍ରଫି ଜିତିଥିଲେ। ଅନ୍ୟପକ୍ଷରେ କନିଷ୍ଠ ବାଳକ ଓ ବ‌ାଳିକା ଏକକ ବର୍ଗରେ ଯଥାକ୍ରମେ ଜିଜ୍ଞାଂଶୁ ସାହୁ ଏବଂ ଊର୍ଜା ବର୍ମା ବିଜେତା ହୋଇଛନ୍ତି। କନିଷ୍ଠ ବାଳକ ଫାଇନାଲ୍‌ରେ ଡିଏଭି ସ୍କୁଲ୍‌ (ସିଡିଏ, କଟକ) ଛାତ୍ର ଜିଜ୍ଞାଂଶୁ ୩-୦ (୧୧-୮, ୧୧-୨ ଓ ୧୧-୭)ରେ ସେଣ୍ଟ ଜାଭିଅର୍‌ (ବାରବାଟୀ ଷ୍ଟାଡିୟମ୍‌, କଟକ) ଛାତ୍ର ତକ୍‌ମିଲ ମହମ୍ମଦଙ୍କୁ ପରାସ୍ତ କରିଥିଲା ବେଳେ କନିଷ୍ଠ ବାଳିକା ଫାଇନାଲ୍‌ରେ ସାଇ ଇଣ୍ଟରନ୍ୟାସ୍‌ନାଲ ସ୍କୁଲ୍‌ (କଟକ) ଛାତ୍ରୀ ଊର୍ଜା ୩-୧ (୧୧-୯, ୧୨-୧୦ ଓ ୧୧-୯)ରେ ଷ୍ଟିୱାର୍ଟ ସ୍କୁଲ୍‌ (କଟକ) ଛାତ୍ରୀ ସାକ୍ଷୀ ଭଗତଙ୍କୁ ପରାସ୍ତ କରିଥିଲେ।

ଏହା ବ୍ୟତୀତ ଡିଏଭି ପବ୍ଲିକ୍‌ ସ୍କୁଲ୍ (ସିଡିଏ, କଟକ) ଏବଂ ନ୍ୟୁ ଷ୍ଟିୱା‌ର୍ଟ ସ୍କୁଲ୍‌ (କଟକ) ଯଥାକ୍ରମେ କନିଷ୍ଠ ବାଳକ ଓ ବରିଷ୍ଠ ବାଳକ ଦଳଗତ ବର୍ଗରେ ବିଜେତା ଆଖ୍ୟା ହାସଲ କରିଥିଲା। କନିଷ୍ଠ ବାଳକ ଫାଇନାଲ୍‌ରେ ଡିଏଭି ୩-୧ରେ କେନ୍ଦ୍ରୀୟ ବିଦ୍ୟାଳୟ-୧ (ଭୁବନେଶ୍ବର)କୁ ପରାସ୍ତ କରିଥିଲା ବେଳେ ବରିଷ୍ଠ ବାଳକ ଫାଇନାଲ୍‌ରେ ନ୍ୟୁ ଷ୍ଟିୱାର୍ଟ ସ୍କୁଲ୍‌ ୩-୧ରେ ଦିଲ୍ଲୀ ପବ୍ଲିକ୍‌ ସ୍କୁଲ୍‌, କଳିଙ୍ଗା (କଟକ)କୁ ପରାସ୍ତ କରି ଟ୍ରଫି ହାତେଇଥିଲା। କନିଷ୍ଠ ଦଳ ପକ୍ଷରୁ ରତିକାନ୍ତ ଗୌଡ଼ ୩-୦ରେ ପୀୟୂଷ ପଟ୍ଟନାୟକଙ୍କୁ, ଜିଜ୍ଞାଂଶୁ ସାହୁ ୩-୦ରେ ରତିକାନ୍ତ ଗୌଡ଼ଙ୍କୁ ପରାସ୍ତ କରିଥିଲା ବେଳେ ତ୍ରିଦେବ ତୀର୍ଥଙ୍କର ୦-୩ରେ ଜିଜ୍ଞାଂଶୁଙ୍କଠୁ ଏବଂ ରତିକାନ୍ତ-ତ୍ରିଦେବ ୨-୩ରେ ଜିଜ୍ଞାଂଶୁ-ପୀୟୂଷଙ୍କଠୁ ହାରିଯାଇଥିଲେ। ସେହିପରି ବରିଷ୍ଠ ଦଳ ପକ୍ଷରୁ ଅଙ୍କୁର ବିଶ୍ବାଳ ୩-୧ରେ ଆବୁ ସୁଫିଆନ୍‌ଙ୍କୁ, ମହମ୍ମଦ ଜୀସାନ ୩-୨ରେ ଅଙ୍କୁର ବିଶ୍ବାଳଙ୍କୁ, ସୁଫିଆନ-ଜୀସାନ ୩-୦ରେ ଅଙ୍କୁର-ତନୀଷଙ୍କୁ ପରାସ୍ତ କରିଥିଲା ବେଳେ ତନୀଷ ଅଗ୍ରୱାଲ ୧-୩‌ରେ ଜୀସାନଙ୍କଠୁ ହାରିଯାଇଥିଲେ।

ୱାଇଜିଟିଟିଏ ପ୍ରତିଯୋଗିତା ଆରମ୍ଭ: ଫାଇନାଲ୍‌ରେ ଶୁଭଙ୍କର, ଆରୂଷ ଓ ଶ୍ବେତପଦ୍ମା, ଆରାଧ୍ୟା
ରବିବାର ଅନ୍ତଃବିଦ୍ୟାଳୟ ପ୍ରତିଯୋଗିତା ଶେଷ ହୋ‌ଇଥିଲା ବେଳେ ଅପରାହ୍ନରୁ ୨୭ତମ ୱାଇଜିଟିଟିଏ ପ୍ରତିଯୋଗିତା ଆରମ୍ଭ ହୋଇଛି। ଏଥି‌ରେ ୨୦ ଜିଲ୍ଲା ଓ ଅନୁଷ୍ଠାନରୁ ୨୫୦ (୧୪୦ ବାଳକ ଓ ୧୧୦ ବାଳିକା) ପ୍ରତିଯୋଗୀ ଅଂଶ ଗ୍ରହଣ କରିଛନ୍ତି। ପ୍ରଥମ ଦିନ ୟୁଥ୍‌ ବାଳକ (୧୧ ବର୍ଷରୁ କମ୍‌)ରେ ଶୁଭଙ୍କର ମହାଲି ଓ ଆରୂଷ ମାଣିଆ (ଉଭୟ କଟକ) ଫାଇନାଲ୍‌ରେ ପହଞ୍ଚିଛନ୍ତି। ସେମିଫାଇନାଲ୍‌ରେ ଶୁଭଙ୍କର ୩-୦ରେ ପୀୟୂଷ ପଟ୍ଟନାୟକ (କଟକ)ଙ୍କୁ ଏବଂ ଆରୂଷ ୩-୨ରେ ଜିଜ୍ଞାଂଶୁ ସାଇକିରଣ ପ୍ରଧାନ (ପୁରୀ)ଙ୍କୁ ପରାସ୍ତ କରିଥିଲେ। ସେହିପରି ୟୁଥ୍‌ ବାଳିକା (୧୧ ବର୍ଷରୁ କମ୍‌)ରେ ଶ୍ବେତପଦ୍ମା ବର୍ମା ଓ ଆରାଧ୍ୟା ସାହୁ (ଉଭୟ କଟକ) ଫାଇନାଲ୍‌ରେ ପହଞ୍ଚିଯାଇଛନ୍ତି।

ସମ୍ବନ୍ଧିତ ଖବର