ରାଉରକେଲା: ପାନପୋଷ କ୍ରୀଡ଼ା ଛାତ୍ରାବାସ ପଡ଼ିଆରେ ସୋମବାରଠାରୁ ପୂର୍ବାଞ୍ଚଳ ଜୋନ୍‌ ଆନ୍ତଃ-ବିଶ୍ବବିଦ୍ୟାଳୟ ମହିଳା ହକି ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ପ୍ରଥମ ଦିନରେ ୨ଟି ମ୍ୟାଚ୍‌ ଖେଳାଯାଇଥିଲା। ତେବେ  ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟ ଓ ଉତ୍କଳ ବିଶ୍ବବିଦ୍ୟାଳୟ ଅନୁପସ୍ଥିତ ରହିଥିଲେ।
Advertisment

ଆଜି ମହାତ୍ମା ଗାନ୍ଧୀ କାଶୀ ବିଦ୍ୟାପୀଠ(ବାରାଣାସୀ) ଓ ହେମଚନ୍ଦ ୟାଦବ ବିଶ୍ବବିଦ୍ୟାଳୟ(ଛତିଶଗଡ଼) ମଧ୍ୟରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ ବେଶ୍‌ ଉତ୍କଣ୍ଠାପୂର୍ଣ୍ଣ ହୋଇଥିଲା। ଏହି ମ୍ୟାଚ୍‌କୁ ହେମଚନ୍ଦ ୟାଦବ ବିଶ୍ବବିଦ୍ୟାଳୟ ୬-୪ ଗୋଲରେ ଜିତିନେଇ ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି।

publive-image
ସେହିଭଳି ଦ୍ବିତୀୟ ମ୍ୟାଚ୍‌ରେ ବିନୋବା ଭାବେ ବିଶ୍ବବିଦ୍ୟାଳୟ(ହାଜାରୀବାଗ) ସଂପୂର୍ଣ୍ଣ ଏକତରଫାଭାବେ ୬-୦ ଗୋଲ୍‌ରେ ପଣ୍ଡିତ ରବିଶଙ୍କର ଶୁକ୍ଲା ବିଶ୍ବବିଦ୍ୟାଳୟକୁ ପରାସ୍ତ କରିଛି। ତେବେ ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟ ଅନୁପସ୍ଥିତ ରହିବାରୁ ସହିଦ ନନ୍ଦକିଶୋର ପଟେଲ ବିଶ୍ବବିଦ୍ୟାଳୟକୁ ବିଜେତା ଓ ଉତ୍କଳ ବିଶ୍ବବିଦ୍ୟାଳୟ ଅନୁପସ୍ଥିତ ରହିବାରୁ ମଣିପୁର ବିଶ୍ବବିଦ୍ୟାଳୟକୁ ବିଜେତା ଘୋଷଣା କରାଯାଇଛି।
 ଅନୁଭବ ରାଉତ, ହୃଷୀକେଶ ଦାଶ, ସୂରଜ କେରକେଟା, ସତ୍ୟବ୍ରତ ପ୍ରଧାନ, ବେଲାଶ ବାରା, ଅଭିଶେକ ତିର୍କି, ହାପି ମାଝୀ, ବିଶ୍ବଜିତ ଦଲାଇ ପ୍ରମୁଖ ମ୍ୟାଚ୍‌ ପରିଚାଳନା କରିଥିଲେ। ଉଦ୍‌ଘାଟନୀ ଉତ୍ସବରେ ବନବାସୀ କଲ୍ୟାଣ ଆଶ୍ରମର ପୂର୍ବତନ ରାଜ୍ୟ କାର୍ଯ୍ୟକାରୀ ସଭାପତି ଓମପ୍ରକାଶ ଅଗ୍ରୱାଲ, ଆୟୋଜନ କମିଟି ସଭାପତି ତଥା ମ୍ୟୁନିସିପାଲ କଲେଜର ଅଧ୍ୟକ୍ଷ ଡ. ସନାତନ ପ୍ରଧାନ, ସଂପାଦକ କ୍ୟାପଟେନ୍‌ ଏସ.ଏନ.ରାଉତ ପ୍ରମୁଖ ଉପସ୍ଥିତଥିଲେ।