ପୂର୍ବାଞ୍ଚଳକୁ ପାଳି ଅଗ୍ରଣୀ ଦେଲେ ପ୍ରିୟଙ୍କା

ଅନ୍ତଃଜୋନ୍‌ ମହିଳା ତିନିଦିନିଆ କ୍ରିକେଟ୍‌

କଟକ: ଓଡ଼ିଆ ଝିଅ ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁଙ୍କ ଲଢୁଆ ବ୍ୟାଟିଂ ଯୋଗୁଁ କେନ୍ଦ୍ରାଞ୍ଚଳ ବିପକ୍ଷରେ ପୂର୍ବାଞ୍ଚଳ ଅନ୍ତଃଜୋନ୍‌ ମହିଳା ତିନିଦିନିଆ କ୍ରିକେଟ୍‌ ପ୍ରତିଯୋଗିତାର ପ୍ରଥମ ପାଳିରେ ଅଗ୍ରଣୀ ପାଇଛି। ତନୁଶ୍ରୀ ସରକାରଙ୍କ ସହ ମିଳିତ ଭାବେ ଅଷ୍ଟମ ଓ୍ଵିକେଟ୍‌ରେ ୮୦ ରନ୍‌ ଯୋଡ଼ି ପୂର୍ବାଞ୍ଚଳକୁ ବିପର୍ଯ୍ୟୟରୁ ଉଦ୍ଧାର କରିବା ସହ ଅଗ୍ରଣୀ ଦେଇଥିଲେ। ତନୁଶ୍ରୀ ୮୪ ରନ୍‌ କରି ଆଉଟ ହୋଇଯିବା ପରେ ପ୍ରିୟଙ୍କା ରକ୍ଷଣାତ୍ମକ ବ୍ୟାଟିଂ କରିଥିଲେ। ଦ୍ୱିତୀୟ ଦିନର ଷ୍ଟମ୍ପ୍‌ସ ଅପସାରଣ ବେଳକୁ ପ୍ରିୟଙ୍କା ୧୨୪ ବଲ୍‌ରୁ ୫ ଚୌକା ସହ ୩୦ ରନ୍‌ କରି ଅପରାଜିତ ଅଛନ୍ତି। ପ୍ରଥମ ଦିନ ସ୍କୋର ୪୯/୩ରୁ ପୂର୍ବାଞ୍ଚଳ ଖେଳ ଆରମ୍ଭ କରିଥିଲେ ବି ଦୁଇ ଓଭର ବ୍ୟବଧାନରେ ଦେବଯାନୀ ପ୍ରସାଦ (୦) ଓ ମୌଚାଇତି ଦେବନାଥ (୨୫) ଙ୍କ ଓ୍ଵିକେଟ୍‌ ହରାଇଥିଲା। ପରେ ମଧୁସ୍ମିତା ବେହେରା ଓ ତନୁଶ୍ରୀ ସରକାର ଷଷ୍ଠ ଓ୍ଵିକେଟରେ ୨୮ ରନ୍‌ ଯୋଡ଼ିଥିଲେ। ମଧୁସ୍ମିତା ୧୦ ରନ୍‌ କରି ଆଉଟ୍‌ ହେବା ପରେ ସୁଶ୍ରୀ ଦିବ୍ୟଦର୍ଶିନୀ (୧୬) କିଛି ସମୟ ପାଇଁ ତନୁଶ୍ରୀଙ୍କୁ ସହାୟତା ଦେଇଥିଲେ। ୧୩୪ ରନ୍‌ରେ ପୂର୍ବାଞ୍ଚଳ ସପ୍ତମ ଓ୍ଵିକେଟ୍‌ ହରାଇବା ପରେ ପାଳି ପଛୁଆ ଭୟ ଦେଖାଦେଇଥିଲା। ତେବେ ତନୁଶ୍ରୀଙ୍କ ସହିତ ଅଷ୍ଟମ ଓ୍ଵିକେଟ୍‌ରେ ପ୍ରିୟଙ୍କାଙ୍କ ୮୦ ରନ୍‌ର ମହତ୍ୱପୂର୍ଣ୍ଣ ଭାଗୀଦାରି ପୂର୍ବାଞ୍ଚଳକୁ ପାଳି ଅଗ୍ରଣୀ ଦେଇଥିଲା। ଦଳୀୟ ରନ୍‌ ୨୧୪ ହୋଇଥିଲା ବେଳେ ତନୁଶ୍ରୀ ଆଉଟ୍‌ ହୋଇଯାଇଥିଲେ। ଆଉ ମାତ୍ର ଗୋଟିଏ ଦିନ ଥିବାରୁ ମ୍ୟାଚ୍‌ ଅମୀମାଂସିତ ରହିବା ସମ୍ଭାବନା ଦେଖାଦେଇଛି। ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିଥିବା କେନ୍ଦ୍ରାଞ୍ଚଳ ୧୫୫ ରନ୍‌ କରିଥିଲା।

ସମ୍ବନ୍ଧିତ ଖବର