ରାଉରକେଲା: ରାଉରକେଲା ପାନପୋଷସ୍ଥିତ କ୍ରୀଡ଼ା ଛାତ୍ରାବାସ ପଡ଼ିଆରେ ଚାଲିଥିବା ଚତୁର୍ଥ ଇଣ୍ଟର୍ସିଟି ଗୋଲ୍ଡ କପ୍ ହକି ପ୍ରତିଯୋଗିତା ରବିବାର ଉଦ୍ଯାପିତ ହୋଇଛି। ପେସାଦାର ବର୍ଗରେ ଭୁବନେଶ୍ବର କ୍ରୀଡ଼ା ଛାତ୍ରାବାସ ଦ୍ବିତୀୟ ବର୍ଷ ପାଇଁ ବିଜେତା ହୋଇଛି। ଗତବର୍ଷ ମଧ୍ୟ ଏହି ଦଳ ବିଜେତାଟ୍ରଫି ହାସଲ କରିଥିଲା। ଗ୍ରାମୀଣ ବର୍ଗରେ ଦେବଗଡ଼ ଜର୍ଡାପାଲର ନେହରୁ କ୍ଲବ ବିଜେତା ଘୋଷିତ ହୋଇଛି। ପେସାଦାର ଫାଇନାଲରେ ଭୁବନେଶ୍ବର କ୍ରୀଡ଼ା ଛାତ୍ରାବାସ ୨-୧ ଗୋଲ୍ରେ ସୁନ୍ଦରଗଡ଼କୁ ପରାସ୍ତ କରିଥିଲା। ଭୁବନେଶ୍ବରର ମନୀପ କେର୍କେଟା ୨ଟି ଗୋଲ୍ କରିଥିଲେ। ସୁନ୍ଦରଗଡ଼ର ଅମନଦୀପ ଲାକ୍ରା ପେନାଲ୍ଟି କର୍ନର୍ରୁ ଗୋଟିଏ ଗୋଲ୍ କରିଥିଲେ। ଶ୍ରେଷ୍ଠ ଖେଳାଳି ଭାବେ ଅମନଦୀପ ଲାକ୍ରାଙ୍କୁ ପୁରସ୍କୃତ କରାଯାଇଥିଲା।
ଗ୍ରାମୀଣ ବର୍ଗର ଫାଇନାଲ୍ରେ ଦେବଗଡ଼ କର୍ଡାପାଲ୍ ନେହରୁ କ୍ଲବ ୭-୨ ଗୋଲ୍ରେ ଡୋଡିବାହାଲ ରେନ୍ବୋକୁ ପରାସ୍ତ କରିଥିଲା। ମ୍ୟାଚ୍ଗୁଡ଼ିକୁ ଅମ୍ପାୟର ଭାବେ ନିଶାନଜ୍ୟୋତି ମହାନ୍ତି, ବିଶ୍ବଜିତ ଷଡ଼ଙ୍ଗୀ, ରେଶ୍ମା ଲାକ୍ରା, ଜୟନ୍ତ କେର୍କେଟା, ରୁବେନ ବିଲୁଙ୍ଗ, ସଞ୍ଜୟ ଏକ୍କା, ଗୌତମ ରୋହିଦାସ, କୋମଳ ସୋରେଙ୍ଗ, ପ୍ରବୀଣ ଇନ୍ଦଵାର, ଆକାଶ ଏକ୍କା, ପରମେଶ୍ବର ମାରାଣ୍ତି ପରିଚାଳନା କରିଥିଲେ। ଏହି ଅବସରରେ ଏକ ମହିଳା ହକି ପ୍ରଦର୍ଶନୀ ମ୍ୟାଚ୍ରେ ରାଞ୍ଚି ଏକାଦଶ ୨-୧ ଗୋଲ୍ରେ ଭୁବନେଶ୍ବରକୁ ପରାସ୍ତ କରିଥିଲା। ମ୍ୟାଚ୍ରେ ରାଞ୍ଚି ପକ୍ଷରୁ ପୂର୍ବ ଅନ୍ତର୍ଜାତିକ ଖେଳାଳି ଅସୁନ୍ତା ଲାକ୍ରା, ସୁଭଦ୍ରା ପ୍ରଧାନ, ସରିତା ଲାକ୍ରା, ରୋଜାଲିନ୍ ଡୁଙ୍ଗଡୁଙ୍ଗ ଖେଳିଥିଲେ।