କଟକ: ଫୁଟ୍ବଲ ଆସୋସିଏସନ୍ ଅଫ୍ ଓଡ଼ିଶା ପକ୍ଷରୁ ଆୟୋଜିତ ଅନ୍ତଃକ୍ଲବ ଫୁଟ୍ସାଲ୍ ପ୍ରତିଯୋଗିତାର ପୁରୁଷ ବିଭାଗରେ ସ୍ପୋର୍ଟସ୍ ଓଡ଼ିଶା ଏବଂ ମହିଳା ବର୍ଗରେ ପୂର୍ବତଟ ରେଳବାଇ ବିଜେତା ହୋଇଛି। ମଙ୍ଗଳବାର ପୁରୁଷ ବର୍ଗ ଫାଇନାଲ୍ରେ ସ୍ପୋର୍ଟସ ଓଡ଼ିଶା ୪-୩ (୧-୧) ପେନାଲ୍ଟି ସୁଟ୍ଆଉଟ୍ରେ ଆରଡୋର ଫୁଟ୍ବଲ ଏକାଡେମିକୁ ପରାସ୍ତ କରିଥିଲା। ଏହା ପୂର୍ବରୁ ସେମିଫାଇନାଲ୍ରେ ଆରଡୋର ଫୁଟ୍ବଲ ଏକାଡେମି ୪-୨ରେ ଓଡ଼ିଶା ପୁଲିସକୁ ଏବଂ ସ୍ପୋର୍ଟସ ଓଡ଼ିଶା ୯-୨ରେ ଫ୍ରେଣ୍ଡ୍ସ ପାରାଡାଇଜ୍କୁ ପରାସ୍ତ କରିଥିଲା।
ଅନ୍ୟପକ୍ଷରେ ମହିଳା ବର୍ଗ ଫାଇନାଲ୍ରେ ଓଜିପିକୁ ପରାସ୍ତ କରି ରେଳବାଇ ଦଳ ଟ୍ରଫି ହାସଲ କରିଥିଲା। ଏଥି ସହିତ ସର୍ବଭାରତୀୟ ଫୁଟ୍ବଲ ମହାସଂଘ ପକ୍ଷରୁ ଆୟୋଜିତ ସର୍ବଭାରତୀୟ ହିରୋ ଫୁଟ୍ସାଲ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲା। ପୁରୁଷ ବିଜେତା ସ୍ପୋର୍ଟସ ଓଡ଼ିଶାକୁ ୧୫ ହଜାର ଟଙ୍କା ଓ ଟ୍ରଫି ଏବଂ ଉପବିଜେତା ଆରଡୋର ଫୁଟ୍ବଲ ଏକାଡେମିକୁ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ସେହିଭଳି ମହିଳା ବିଜେତା ପୂର୍ବତଟ ରେଳବାଇକୁ ୧୦ ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଥିବା ବେଳେ ଉପବିଜେତା ଓଜିପି ଦଳକୁ ୭ ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଥିଲା। ପୁରସ୍କାର ବିତରଣ ଉତ୍ସବରେ ଜିଲ୍ଲା କ୍ରୀଡା ଅଧିକାରୀ ରଶ୍ମିରଂଜନ ସାମନ୍ତରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଫାଓ ସଂପାଦକ ଆଶୀର୍ବାଦ ବେହେରା, କୋଷାଧ୍ୟକ୍ଷ ଭକ୍ତ ବଲ୍ଲଭ ଦାସ, ଉପସଭାପତି ବିଜୟ ଦାସ, ଦିଲିପ ସାହୁ, ହୃଦୟରଂଜନ ବେହେରା, ଯୁଗ୍ମ ସଂପାଦକ ବିଶ୍ବରଂଜନ ଘଡାଇ, ଅନ୍ତର୍ଜାତୀୟ ଫୁଟ୍ବଲ ତାରକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ଓ ରାଜେନ୍ଦ୍ର ପ୍ରସାଦ ସିଂହ ପ୍ରମୁଖ ଉପସ୍ଥିତ ଥିଲେ।