ଅନ୍ତଃଦଳ ଅଭ୍ୟାସ ମ୍ୟାଚ୍ଜା: ଦେଜାଙ୍କୁ ରାହୁଲ ମାରିଲେ ବିଶାଳ ଛକା, ଭିଡିଓ ଛାଡ଼ିଲା ବିସିସିଆଇ

ନ୍ୟୁଜିଲାଣ୍ଡ ବ୍ରେଞ୍ଚ୍‌ଷ୍ଟ୍ରେନ୍ଥ ବହୁତ ଭଲ: ଟେଲର

ସାଉଥମ୍ପଟନ୍: ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ (ଡବ୍ଲ୍ୟୁଟିସି) ଫାଇନାଲ୍ ପାଇଁ ପ୍ରସ୍ତୁତି କରିବା ଲକ୍ଷ୍ୟ ନେଇ ଭାରତୀୟ କ୍ରିକେଟରମାନେ ଖେଳୁଥିବା‌ ‘ଅନ୍ତଃଦଳୀୟ ଅଭ୍ୟାସ ମ୍ୟାଚ୍’ର ଦ୍ବିତୀୟ ଦିନରେ ଯୁବ ତାରକା କେଏଲ୍ ରାହୁଲ ଏବଂ ଅଭିଜ୍ଞ ୱିକେଟ୍ ରକ୍ଷକ ଋଦ୍ଧିମାନ ସାହ ନିଜ ବ୍ୟାଟିଂ ଦକ୍ଷତାର ପୂର୍ଣ୍ଣ ପରିଚୟ ଦେଇଥିଲେ। ଉଭୟ କେତେକ ଦର୍ଶନୀୟ ସଟ୍ ଖେଳି ନିଜ ନିଜ ଫିଟନେସ୍‌ର ପ୍ରମାଣ ଦେଇଥିଲେ। ଦୁଇଜଣ ଯାକ ଇଂଲଣ୍ଡ ଗସ୍ତ ପାଇଁ ୨୦ ଜଣିଆ ଭାରତୀୟ ଦଳରେ ଥିଲେ ମଧ୍ୟ ଚୂଡ଼ାନ୍ତ ଏକାଦଶ ଲାଗି ବିଚାରକୁ ନେବା ପୂର୍ବରୁ ସେମାନଙ୍କୁ ନିଜ ନିଜର ଫିଟନେସ୍‌ର ପ୍ରମାଣ ଦେବାକୁ ହେବ ବୋଲି ବିସିସିଆଇ ସର୍ତ୍ତ ରଖିଛି। ସେମାନେ ଏଥିରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଯିବେ ବୋଲି ଏହି ମ୍ୟାଚ୍ ବେଳେ ସେମାନଙ୍କ ପ୍ରଦର୍ଶନରୁ ସ୍ପଷ୍ଟ ‌ହୋଇଛି। ବିସିସିଆଇ ମଧ୍ୟ ଏହି ନିଆରା ୪ ଦିନିଆ ମ୍ୟାଚ୍‌ର ଦ୍ବିତୀୟ ଦିବସ ଭିଡିଓ ଛାଡ଼ି ପ୍ରଶଂସକଙ୍କୁ ଭାରତୀୟ ଦଳର ପ୍ରସ୍ତୁତିକୁ ନେଇ ବିସ୍ତୃତ ବିବରଣୀ ଦେବାକୁ ଚେଷ୍ଟା କରିଛି।

ମ୍ୟାଚ୍‌ର ପ୍ରଥମ ଦିନରେ ଯୁବ ୱିକେଟ୍ ରକ୍ଷକ ଋଷଭ ପନ୍ତ ବିସ୍ଫୋରକ ଶତକ ଅର୍ଜନ କରିବା ସହ ପ୍ରାରମ୍ଭିକ ଯୋଡ଼ି ରୋହିତ ଶର୍ମା ଓ ଶୁବମନ ଗିଲ୍ ମଧ୍ୟ ବହୁତ ଭଲ ବ୍ୟାଟିଂ କରିଥିଲେ। ବିସିସିଆଇ ରବିବାର ପ୍ରକାଶ କରିଥିବା ଏହି ୫୨ ସେ‌କେଣ୍ଡ ଭିଡିଓରେ ରୋହିତ ଶର୍ମା ଓ ମୟଙ୍କ ଅଗ୍ରୱାଲଙ୍କୁ ଉମେଶ ଯାଦବ ବୋଲିଂ କରୁଥିବାର ଦେଖିବାକୁ ମିଳୁଛି। ନେଟ୍ ବୋଲର ଅ‌ଭେସ ଖାନ୍ ମଧ୍ୟ ନିଜ ଚତୁର ଓ ବିବିଧତାଭରା ବୋଲିଂରେ ଚେତେଶ୍ବର ପୂଜାରାଙ୍କୁ ଅଡ଼ୁଆରେ ପକାଇଥିବା ସ୍ପଷ୍ଟ ଜଣାପଡ଼ୁଛି। ମହମ୍ମଦ ସିରାଜ କଭର ଅଞ୍ଚଳରେ ଉମେଶଙ୍କୁ ଚୌକା ମାରୁଛନ୍ତି। ଭିଡିଓର ପ୍ରାରମ୍ଭରେ ରାହୁଲ ଏବଂ ସାହା ଯଥାକ୍ରମେ ରବୀନ୍ଦ୍ର ଜାଦେଜା ଓ ଶାର୍ଦୁଳ ଠାକୁରଙ୍କୁ ଛକା ମାରୁଛନ୍ତି।

ସେପଟେ ଇଂଲଣ୍ଡ ବିପକ୍ଷ ୨ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାକୁ ୧-୦ରେ ଜିତି ନେଇ ନ୍ୟୁଜିଲାଣ୍ଡ ତାର ଆତ୍ମବିଶ୍ବାସ ବଢ଼ାଇଛି। କିୱି ଦଳ ମଧ୍ୟ ଭାରତୀୟ ଦଳ ତୁଳନାରେ ବହୁତ ଭଲ ଅଭ୍ୟାସ କରିଛି। ଇଂଲଣ୍ଡ ମାଟିରେ ଦୁଇଟି ଟେଷ୍ଟ୍ ଖେଳି ଡବ୍ଲ୍ୟୁଟିସି ଫାଇନାଲ୍ ପୂର୍ବରୁ ନିଜ ଶକ୍ତି, ସାମର୍ଥ୍ୟ ଓ ଦୁର୍ବଳତାକୁ ଭଲ ଭାବରେ ଠଉରାଇ ପାରିଛି। ଭାରତ କିନ୍ତୁ ଆନୁଷ୍ଠାନିକ ଅଭ୍ୟାସ ମ୍ୟାଚ୍ ବିନା ଏହି ପ୍ରତୀକ୍ଷିତ ମୁକାବିଲା ଖେଳିବ। ତା’ ଛଡ଼ା ସାଉଥମ୍ପଟନ୍‌ର ପାଗ ଓ ପରିବେଶ ମଧ୍ୟ ଏହି ଦଳକୁ ଅଧିକ ସୁହାଇବ। ସେହିଦୃଷ୍ଟିରୁ ଭାରତ ପାଇଁ ଡବ୍ଲ୍ୟୁଟିସି ଫାଇନାଲ୍ ବେଶ୍ ଆହ୍ବାନପୂର୍ଣ୍ଣ ରହିବ। ଏହି ମ୍ୟାଚ୍ ସ୍ଥାନୀୟ ଏଜିସ୍ ବାୱେଲ ଷ୍ଟାଡିୟମ୍‌ରେ ଆସନ୍ତା ୧୮ ତାରିଖରୁ ଖେଳାଯିବ।

ନ୍ୟୁଜିଲାଣ୍ଡ ବ୍ରେଞ୍ଚ୍‌ଷ୍ଟ୍ରେନ୍ଥ ବହୁତ ଭଲ: ଟେଲର

ସାଉଥମ୍ପଟନ୍: ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟ୍‌ରେ ନ୍ୟୁଜିଲାଣ୍ଡ ତାର ଚୂଡ଼ାନ୍ତ ଦଳରେ ଅନ୍ୟୂନ ୬ଟି ପରିବର୍ତ୍ତନ କରିଥିଲା। ତଥାପି ଘରୋଇ ଇଂଲଣ୍ଡକୁ ପରାସ୍ତ କରି ଦୁଇ ଟିକିଆ ଶୃଙ୍ଖଳାକୁ ୧-୦ରେ ଜିତି ନେଇଛି। ସେହି ଦୃଷ୍ଟିରୁ ନ୍ୟୁଜିଲାଣ୍ଡ ପାଖରେ ସଂରକ୍ଷିତ ଖେଳାଳିଙ୍କର ଏକ ଶକ୍ତିଶାଳୀ ବାହିନୀ ଥିବା ସ୍ପଷ୍ଟ ହୋଇଛି। ଏକଥା ମଧ୍ୟ କିୱି ଦଳର ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ରସ୍ ଟେଲର ହୃଦୟଙ୍ଗମ କରିଛନ୍ତି। ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ (ଡବ୍ଲ୍ୟୁଟିସି) ଫାଇନାଲ୍ ପୂର୍ବରୁ ନିଜ ଦଳର ଏହି ସକାରାତ୍ମକ ଦିଗକୁ ଉଠାଇ ଭାରତ ଉପରେ ମନସ୍ତାତ୍ବିକ ଚାପ ସୃଷ୍ଟି କରିବାକୁ ଚେଷ୍ଟା କରିଛନ୍ତି ଟେଲର। ଏକ ସାକ୍ଷାତକାର ଅବସରରେ ସେ କହିଛନ୍ତି ଯେ ଏହା କେବଳ ଆମ ଯୁବ ତାରକାଙ୍କ ଅସାଧାରଣ ଦକ୍ଷତାକୁ ଦର୍ଶାଉ ନାହିଁ। ଦଳଗତ ଭାବେ ମଧ୍ୟ ଆମ ଶକ୍ତିକୁ ପ୍ରମାଣିତ କରୁଛି। କେତେକ ଖେଳାଳି ଆହତ ହେବା ପରେ ଆମେ ଦଳରେ ପରିବର୍ତ୍ତନ କରିବାକୁ ବାଧ୍ୟ ହୋଇଥିଲୁ। ଡବ୍ଲ୍ୟୁଟିସି ଫାଇନାଲ୍ ପୂର୍ବରୁ ବି ଆମେ କିଛି ଯୁବ ଖେଳାଳିଙ୍କୁ ପରଖିବାକୁ ଚାହୁଥିଲୁ। ଯାହାର ସକାରାତ୍ମକ ଫଳ ଆମକୁ ମିଳିଛି। ସେମାନେ ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟ୍‌ରେ ନିର୍ଣ୍ଣାୟକ ଭୂମିକା ନେଇଥିଲେ। ଡବ୍ଲ୍ୟୁଟିସି ଫାଇନାଲ୍‌ରେ ମଧ୍ୟ ଆମେ ସେମାନଙ୍କ ଭିତରୁ ଜଣେ ଦୁଇ ଜଣଙ୍କୁ ଚୂଡ଼ାନ୍ତ ଦଳରେ ନେଇପାରିବୁ।

ସମ୍ବନ୍ଧିତ ଖବର