ଭୁବନେଶ୍ବର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଇଣ୍ଟର୍‌କଣ୍ଟିନେଣ୍ଟାଲ କପ୍‌ରେ ଭାରତର ବିଜୟ ଜାରି ରହିଛି। ପ୍ରଥମ ମ୍ୟାଚ୍‌ରେ ମଙ୍ଗୋଲିଆକୁ ୨-୦ରେ ହରାଇଥିବା ଭାରତ ସୋମବାର ଦ୍ବିତୀୟ ମ୍ୟାଚ୍‌ରେ ଭାନୁଆତୁକୁ ୧-୦ ଗୋଲ୍‌ରେ ପରାସ୍ତ କରିଛି। ଫଳରେ ଭାରତ ୨ ମ୍ୟାଚ୍‌ରୁ ୨ଟି ଜିତି ୬ ପଏଣ୍ଟ ସହ ଟେବୁଲର ଶୀର୍ଷରେ ରହି ଫାଇନାଲ୍‌ ସ୍ଥାନ ନିଶ୍ଚିତ କରିଛି। ଭାରତ ଗୁରୁବାର ଶେଷ ଲିଗ୍‌ ମ୍ୟାଚ୍‌ରେ ଲେବାନନକୁ ଭେଟିବ। ଲେବାନନ (୩ ପଏଣ୍ଟ) ଦ୍ବିତୀୟ, ମଙ୍ଗୋଲିଆ (୧ ପଏଣ୍ଟ) ତୃତୀୟ ଏବଂ ଭାନୁଆତୁ (ପଏଣ୍ଟଶୂନ୍ୟ) ଚତୁର୍ଥରେ ରହିଛି।

Advertisment

ସୋମବ‌ାର ମ୍ୟାଚ୍‌ରେ ଆୟୋଜକ ଭାରତ ୧୬୪ ମାନ୍ୟତାପ୍ରାପ୍ତ ଭାନୁଆତୁ ଉପରେ ଆରମ୍ଭରୁ ଆକ୍ରମଣ କରିଥିଲା। ଅନ୍ତର୍ଜ‌ାତୀୟ ପଦାର୍ପଣ କରିଥିବା ଓଡ଼ିଶା ଏଫ୍‌ସି ତାରକା ନନ୍ଦକୁମାର ଶେକର ପ୍ରଥମ ୧୦ ମିନିଟ୍‌ ମଧ୍ୟରେ ଭାନୁଆତୁ ଗୋଲ୍‌ ପୋଷ୍ଟକୁ ଦୁଇଟି ସଟ୍‌ ମାରିଥିଲେ ମଧ୍ୟ ‌ଏହା ବାହାରକୁ ଚାଲିଯିବାରୁ ଭାରତ ପ୍ରାରମ୍ଭିକ ଅଗ୍ରଣୀ ନେବାରୁ ବଞ୍ଚିତ ହୋଇଥିଲା। ପ୍ରଥମାର୍ଦ୍ଧରେ ଭାରତ ଲଗାତାର ଆକ୍ରମଣ କରିଥିଲେ ମଧ୍ୟ ଅଳ୍ପଅଳ୍ପରେ ଗୋଲ୍‌ ଦେବା ହାତଛଡ଼ା କରିଥିଲା। ଅନ୍ୟପକ୍ଷରେ ଭାନୁଆତୁ କୌଣସି ସୁଯୋଗ ମଧ୍ୟ ଦେଇନଥିଲା। ଫଳରେ ପ୍ରଥମାର୍ଦ୍ଧ ଗୋଲ୍‌ଶୂନ୍ୟରେ ଶେଷ ହୋଇଥିଲା। ଦ୍ବିତୀୟାର୍ଦ୍ଧ ଆରମ୍ଭରୁ ଭାରତ ପୁଣି ସେହି ଆକ୍ରମଣାତ୍ମକ ପନ୍ଥା ଅବଲମ୍ବନ କରିଥିଲା। ୬୦ତମ ମିନିଟ୍‌ରେ ମହେଶ ସିଂହଙ୍କ ପାସ୍‌କୁ ଅଧିନାୟକ ସୁନିଲ ଛେତ୍ରୀ ‌ନେଇ ‌ଭାନୁଆତୁ ଗୋଲ୍‌‌ ପୋଷ୍ଟର ନିକଟବର୍ତ୍ତୀ ହୋଇଥିଲେ। ‌ହେଲେ ଏହା ବାର୍‌ ଉପର ଦେଇ ଚାଲିଯାଇଥିଲା। ତେବେ ୮୦ତମ ମିନିଟ୍‌ରେ ‌ଶୁଭାଶିଷଙ୍କ ପାସ୍‌କୁ ଛେତ୍ରୀ କୌଣସି ଭୁଲ୍‌ ନକରି ‌ଭାନୁଆତୁ ଗୋଲ୍‌ ପୋଷ୍ଟକୁ ବଲ୍‌ ପଠାଇ ଭାରତକୁ ଅଗ୍ରଣୀ ଦେଇଥିଲେ। ଛେତ୍ରୀଙ୍କ ଏହା ୮୬ତମ ଅନ୍ତର୍ଜାତୀୟ ଗୋଲ୍‌ ହୋଇଥିଲା। ଏହା ପରେ ଆଉ ଗୋଲ୍‌ ନ ହେବାରୁ ଭାରତ ୧-୦ ବ୍ୟବଧାନରେ ବିଜୟୀ ହୋଇଥିଲା। ଛେତ୍ରୀ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଅତିଥି ଭାବେ କ୍ରୀଡ଼ା ବିଭାଗ ଯୁଗ୍ମ ସଚିବ ରଞ୍ଜିତ ପରିଡ଼ା ଯୋଗ ଦେଇ ଏହି ପୁରସ୍କାର ପ୍ରଦାନ କରିଥିଲେ।

ଲେବାନନ୍‌ ୦- ମଙ୍ଗୋଲିଆ ୦
ଲେବାନନ୍‌ ଓ ମଙ୍ଗୋଲିଆ ମଧ୍ୟରେ ‌ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ ଗୋଲ୍‌ଶୂନ୍ୟ ଭାବେ ଅମୀମାଂସିତ ରହିଥିଲା। ଯେଉଁଥିପାଇଁ ଉଭୟ ଦଳ ଗୋଟିଏ ଲେଖାଏଁ ପଏଣ୍ଟରେ ସନ୍ତୁଷ୍ଟ ରହିଥିଲେ। ଭାରତ ବିପକ୍ଷ ପ୍ରଥମ ମ୍ୟାଚ୍‌ ହାରିଥିବା ମଙ୍ଗୋଲିଆ ଏହି ପ୍ରତିଯୋଗିତାରେ ପ୍ରଥମ ପଏଣ୍ଟ କରାୟତ୍ତ କରିନେଇଥିଲା।