ଭୁବନେଶ୍ବର: ମଣିପୁରରେ ଆୟୋଜିତ ତ୍ରି-ରାଷ୍ଟ୍ରୀୟ ଅନ୍ତର୍ଜାତୀୟ ଫୁଟ୍‌ବଲ୍‌ ପ୍ରତିଯୋଗିତା ସଫଳତାର ଶେ‌ଷ ହେବା ପରେ ଆସନ୍ତା ଜୁନ୍‌ରେ ଭୁବନେଶ୍ବରରେ ସର୍ବଭାରତୀୟ ଫୁଟ୍‌ବଲ୍‌ ମହାସଂଘ ଇଣ୍ଟରକଣ୍ଟିନେଟାଲ କପ୍‌ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି। ଫିଫା ଅନ୍ତର୍ଜାତୀୟ ସୂଚୀ ଅନୁଯାୟୀ ଏହି ପ୍ରତିଯୋଗିତା ଜୁନ୍‌ ୯ରୁ ୧୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ। ୪ ଦଳୀୟ ଏହି ପ୍ରତିଯୋଗିତାରେ ଆୟୋଜକ ଭାରତ ସହ ଲେବାନନ, ମଙ୍ଗୋଲିଆ ଓ ଭାନୁଆତୁ ଭାଗନେବେ। ଇଣ୍ଟରକଣ୍ଟିନେଟାଲ କପ୍‌ର ଏହା ତୃତୀୟ ସଂସ୍କରଣ ହେବ। ପୂର୍ବରୁ ଏହି ପ୍ରତିଯୋଗିତା ମୁମ୍ବାଇ (୨୦୧୮) ଓ ଅହମଦାବାଦ (୨୦୧୯)ରେ ଆୟୋଜିତ ହୋଇସାରିଛି। ‘‘ମାର୍ଚ୍ଚରେ ଇମ୍ଫାଲ ଅନ୍ତର୍ଜାତୀୟ ଫୁଟ୍‌ବଲ୍‌ର ମଜା ନେଇଥିଲା ଏବଂ ଏବେ ଭୁବନେଶ୍ୱର ଅନ୍ତର୍ଜାତୀୟ ଫୁଟ୍‌ବଲ୍‌ ଆୟୋଜନ କରିବାକୁ ଯାଉଛି। ୧୭ ବର୍ଷରୁ କମ୍‌ ମହିଳା ଫୁଟ୍‌ବଲ୍‌ ବିଶ୍ବକପ୍‌ ବେଳେ ଭୁବନେଶ୍ବର ଏକ ଭେନ୍ୟୁ ଥିଲା। ସେହି ସମୟରେ ଆମେ ଦେଖିଛୁ ଓଡ଼ିଶା ସରକାର କ୍ରୀଡ଼ା ଭିତ୍ତିଭୂମିର ସୁନ୍ଦର ବିକାଶ କରିଛନ୍ତି।

Advertisment

ବିଶ୍ବକପ୍‌କୁ ସଫଳ ଆୟୋଜନ କରିବା ପରେ ଓଡ଼ିଶାର ଏହି ରାଜଧାନୀ ସହରରେ ଇତିହାସରେ ପ୍ରଥମ ଥର ଲାଗି ଜାତୀୟ ପୁରୁଷ ଦଳ ଖେଳିବାକୁ ଯିବ। ମଣିପୁର ଯେଭଳି ପ୍ରଥମ ଥର ଅନ୍ତର୍ଜାତୀୟ ପ୍ରତିଯୋଗିତା ଆୟୋଜନ କରି ସଫଳ ହୋଇଥିଲା ‌ସେହିଭଳି ଓଡ଼ିଶା ପ୍ରଶଂସକମାନେ ମଧ୍ୟ ସମାନ ଉତ୍ସାହ ପ୍ରଦର୍ଶନ କରିବେ। ମୁଁ ଭାବୁଛି ଓଡ଼ିଶା ଇଣ୍ଟରକଣ୍ଟିନେଟାଲ କପ୍‌ ଆୟୋଜନ କରି ଲାଭବାନ ହେବ’’ ବୋଲି ଏଆଇଏଫ୍‌ଏଫ୍‌ ସମ୍ପାଦକ ଶାଜି ପ୍ରଭାକରନ କହିଛନ୍ତି। ଭାରତୀୟ ପୁରୁଷ ଦଳ ପୂର୍ବରୁ କେବେ ମଙ୍ଗୋଲିଆ ଓ ଭାନୁଆତୁ ବିପକ୍ଷରେ ଖେଳିନି। ହେଲେ ଲେବାନନ ବିପକ୍ଷରେ ୬ ମ୍ୟାଚ୍‌ ଖେଳିଛି। ଭାରତ ଘରୋଇ ପରିବେଶରେ ସଂପ୍ରତି ୫ ମ୍ୟାଚ୍‌ରେ ଅପରାଜେୟ ରହିଛି। ୨୦୨୨ ଜୁନ୍‌ ୮ରେ କାମ୍ବୋଡିଆକୁ ହରାଇବା ପରେ ଇଗର ଷ୍ଟିମାକଙ୍କ ଦଳ ଆଫ୍‌ଗାନିସ୍ତାନ, ହଂକଂ, ମିଆଁମାର ଓ କିର୍ଗିଜ ରିପବ୍ଲିକ୍‌କୁ ପରାସ୍ତ କରିଥିଲା।