ଭୁବନେଶ୍ବର : ହିରୋ ଇଣ୍ଟରକଣ୍ଟିନେଣ୍ଟାଲ କପ୍ର ତୃତୀୟ ସଂସ୍କରଣ ଆସନ୍ତା ଜୁନ୍ ୯ରୁ ୧୮ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ଆୟୋଜିତ ହେବ। ଏହି ୪ ଦଳୀୟ ପ୍ରତିଯୋଗିତାର ସମସ୍ତ ମ୍ୟାଚ୍ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍ରେ ଖେଳାଯିବ। ଆୟୋଜକ ଭାରତ ସହିତ ଲେବାନନ୍, ଭନୁତୁଆ ଓ ମଙ୍ଗୋଲିଆ ପ୍ରତିଦ୍ବନ୍ଦ୍ବିତା କରିବେ। ଏଥିପାଇଁ ଶୁକ୍ରବାର ସୁଚୀ ଘୋଷଣା କରାଯାଇଛି। ଏଥିରେ ଭାରତର ପ୍ରଥମ ପ୍ରତିଦ୍ବନ୍ଦ୍ବୀ ମଙ୍ଗୋଲିଆ ରହିଛି। ଉଭୟ ଦଳ ୯ ତାରିଖ ରାତି ୭.୩୦ରେ ମୁହାଁମୁହିଁ ହେବେ। ତେବେ ପ୍ରଥମ ଦିବସର ପ୍ରଥମ ମୁକାବିଲା ଲେବାନନ ଓ ଭନୁତୁଆ ମଧ୍ୟରେ ଅପରାହ୍ନ ୪.୩୦ରେ ହେବ। ଏହାପରେ ୧୨ ତାରିଖରେ ମଙ୍ଗୋଲିଆ-ଲେବାନନ ଓ ଭନୁତୁଆ-ଭାରତ ଏବଂ ୧୫ ତାରିଖରେ ଭନୁତୁଆ-ମଙ୍ଗୋଲିଆ ଓ ଭାରତ-ଲେବାନନ ମ୍ୟାଚ୍ ଖେଳାଯିବ। ୧୮ ତାରିଖରେ ଗ୍ରୁପ୍ ପର୍ଯ୍ୟାୟର ବିଜେତା ଓ ଉପବିଜେତା ମଧ୍ୟରେ ଫାଇନାଲ୍ ଖେଳାଯିବ।
ଭାରତୀୟ ଦଳ ଆଜି ଭୁବନେଶ୍ବରରେ ପହଞ୍ଚିବ
ଭାରତୀୟ ଫୁଟ୍ବଲ ଦଳ ତିନିଟି ଦଫାରେ ଚଳିତ ମାସ ୧୩, ୧୪ ଓ ୧୫ ତାରିଖରେ ଓଡ଼ିଶା ଆସିବ। ଏହି ଦଳ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ପହଞ୍ଚିବା ପରେ ଭୁବନେଶ୍ବରରେ ଶିବିର ଆୟୋଜନ ହେବ। ମେ’ ୧୫ ତାରିଖରୁ ଜୁନ୍ ୨୦ ତାରିଖ ଇଣ୍ଟରକଣ୍ଟିନେଣ୍ଟାଲ କପ୍ ଶେଷ ପର୍ଯ୍ୟନ୍ତ ଭାରତୀୟ ଦଳ ଭୁବନେଶ୍ବରରେ ଅବସ୍ଥାନ କରିବ ବୋଲି ଓଡ଼ିଶା ଫୁଟ୍ବଲ ଆସୋସିଏସନ (ଫାଓ) ପକ୍ଷରୁ ଶୁକ୍ରବାର ଏକ ଇସ୍ତାହାରରେ କୁହାଯାଇଛି।