ଭୁବନେଶ୍ବର : କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଇଣ୍ଟରକଣ୍ଟିନେଣ୍ଟାଲ ଫୁଟ୍ବଲ୍ ପ୍ରତିଯୋଗିତାର ଫାଇନାଲ୍ ମ୍ୟାଚ୍ ରବିବାର ଖେଳାଯିବ। ଏହି ଫାଇନାଲ୍ରେ ଲେବାନନ୍କୁ ଭେଟିବ ଆୟୋଜକ ଭାରତ। ମୁମ୍ବାଇରେ ଆୟୋଜିତ ୨୦୧୮ ପ୍ରଥମ ସସ୍କରଣରେ ଭାରତ ୨-୦ରେ କେନିଆକୁ ହରାଇ ଟ୍ରଫି କରାୟତ୍ତ କରିଥିଲା। କିନ୍ତୁ ଅହମଦାବାଦରେ ଖେଳାଯାଇଥିବା ଗତ ସଂସ୍କରଣ (୨୦୧୯)ରେ ଭାରତ ଶେଷ ସ୍ଥାନରେ ରହିଥିଲା ବେଳେ କୋରିଆ ବିଜେତା ହୋଇଥିଲା। ୪ ବର୍ଷ ପରେ ଭୁବନେଶ୍ବରରେ ଏହି ପ୍ରତିଯୋଗିତା ଆୟୋଜନ ହେଉଥିଲା ବେଳେ ପ୍ରଥମ ଥର ଲାଗି ଭାରତ ଓଡ଼ିଶାର ରାଜଧାନୀରେ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳୁଛି। ଚଳିତ ପ୍ରତିଯୋଗିତାରେ ଭାରତ ୩ ମ୍ୟାଚ୍ରୁ ୨ ବିଜୟ ଓ ୧ ଅମୀମାଂସିତରୁ ୭ ପଏଣ୍ଟ ସହ ଟେବୁଲର ଶୀର୍ଷରେ ରହି ଫାଇନାଲ୍ରେ ପହଞ୍ଚିଥିଲା। ଘରୋଇ ଦଳ ମଙ୍ଗୋଲିଆକୁ ୨-୦ ଓ ଭାନୁଆତୁକୁ ୧-୦ରେ ହରାଇଥିଲା ବେଳେ ଲେବାନନ୍ ସହ ଗୋଲ୍ ଶୂନ୍ୟ ଅମୀମାଂସିତ ରଖିଥିଲା। ଅନ୍ୟପକ୍ଷରେ ଲେବାନନ୍ ମଙ୍ଗୋଲିଆ ଓ ଭାରତ ସହ ଗୋଲ୍ ଶୂନ୍ୟ ଅମୀମାଂସିତ ରଖିଥିଲା ବେଳେ ଭାନୁଆତୁକୁ ୩-୧ ଗୋଲ୍ରେ ମାତ୍ ଦେଇଥିଲା। ଫିଫା ମାନ୍ୟତାରେ ଭାରତ (୧୦୧)ଠୁ ଲେବାନନ୍ (୯୯) ଆଗରେ ରହିଛି।
‘‘ଲିଗ୍ ପର୍ଯ୍ୟାୟରେ ଆମେ ଭଲ ବିଜୟ ଆଶାରେ ଥିଲୁ। ହେଲେ ହୋଇପାରିଲାନି। କିନ୍ତୁ ଏବେ ସେହି ଆଶା ନେଇ ଖେଳିବୁ। ଆମ ଦଳ ବହୁତ ଭଲ ଅଛି। ଗୋଲ୍ ନିଶ୍ଚିତ ଆସିବ। ଗତ ମ୍ୟାଚ୍ରେ ସୁଯୋଗ ସୃଷ୍ଟି କରିନଥିଲେ, ଚିନ୍ତାରେ ରହିଥାନ୍ତୁ। କିନ୍ତୁ ତାହା ହୋଇନାହିଁ। ଖେଳାଳିଙ୍କ ଉପରେ ମୋର ସମ୍ପୂର୍ଣ୍ଣ ଭରସା ରହିଛି। ସମର୍ଥନ ଜାରି ରଖିଲେ, ଦଳ ନିଶ୍ଚିତ ଭଲ ପ୍ରଦର୍ଶନ କରିବେ। ମ୍ୟାଚ୍ ଜିତିବା ଉଦେଶ୍ୟରେ ଆମେ ପଡ଼ିଆକୁ ଓହ୍ଲାଇବୁ। ପଛରେ ରହିବାକୁ ଚାହିବୁନି। ଗୁରୁବାର ମ୍ୟାଚ୍ ଭଳି ଫାଇନାଲ୍ ହେବନି। ଲେବାନନର ୪-୫ ଜଣ ଅଭିଜ୍ଞ ଖେଳାଳି ରହିଛିନ୍ତି। ବୈଷୟିକ ଦୃଷ୍ଟିରୁ ସେମାନଙ୍କ ପାସିଂ ବହୁତ ଭଲ ରହିଛି। ଗୁରୁବାର ଦଳଗତ ପ୍ରଦର୍ଶନ ଭଲ ଥିଲା। ଆସନ୍ତା କାଲି ସେପରି କରିବୁ। ଲେବାନନ୍ ଖେଳାଳିଙ୍କୁ ଆମର ଗୋଲ୍ ପୋଷ୍ଟ ନିକଟତର କରିବାକୁ ଦେବୁନି’’ ବୋଲି ଫାଇନାଲ୍ ପୂର୍ବ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ଦଳର ପ୍ରଶିକ୍ଷକ ଇଗର ଷ୍ଟିମାକ କହିଛନ୍ତି।
ଭାରତ ଗସ୍ତ ପୂର୍ବରୁ ତୁର୍କିରେ ଲେବାନନ ଅଭ୍ୟାସ ମ୍ୟାଚ୍ ଖେଳିଥିଲା। ଇଣ୍ଟରକଣ୍ଟିନେଣ୍ଟାଲ୍ କପ୍ ପରେ ଏହି ଦଳ ବେଙ୍ଗାଲୁରୁରେ ଆୟୋଜିତ ହେବାକୁ ଥିବା ସାଫ୍ ଚାମ୍ପିଅନ୍ସିପ୍ରେ ଭାଗ ନେବ। ଲେବାନନ ୧୯୬୪ରେ ତ୍ରିପୋଲି ଫେୟାର ପ୍ରତିଯୋଗିତା ଜିତି ଶେଷ ଥର ଲାଗି ଅନ୍ତର୍ଜାତୀୟ ଟ୍ରଫି କରାୟତ୍ତ କରିଥିଲା। ୫୯ ବର୍ଷ ପରେ ଭାରତରେ ଟ୍ରଫି ଜିତି ଇତିହାସ ରଚିବା ଲକ୍ଷ୍ୟରେ ଗୁରୁବାର ପଡ଼ିଆକୁ ଓହ୍ଲାଇବ ଏହି ଦକ୍ଷିଣ ଏସୀୟ ଦଳ। ‘‘ଗତ ୧୦ ବର୍ଷ ହେବ ଭାରତୀୟ ଦଳର ପ୍ରଦର୍ଶନ ଚମତ୍କାର ରହିଛି। ଭାରତୀୟ ଫୁଟ୍ବଲ୍ର ଅନେକ ପରିବର୍ତ୍ତନ ମଧ୍ୟ ହୋଇଛି। ଆମ ଦଳରେ ଅନେକ ଯୁବ ଖେଳାଳି ଅଛନ୍ତି। ଏମାନଙ୍କ ମଧ୍ୟରୁ ଅନେକଙ୍କ ବରିଷ୍ଠ ସ୍ତରରେ ଅନ୍ତର୍ଜାତୀୟ ଅଭିଜ୍ଞତା ନାହିଁ। ଏହା ସତ୍ବେ ଫାଇନାଲ୍ରେ ପହଞ୍ଚାଇଥିବାରୁ ଖେଳାଳିଙ୍କୁ ନେଇ ଗର୍ବ ଅନୁଭବ କରୁଛି। ୫୯ ବର୍ଷ ପରେ ଲେବାନନ୍ ଫାଇନାଲ୍ ଜିତି ଇତିହାସ ରଚନା କରୁ ଇଚ୍ଛା ବୋଲି ଲେବାନନ୍ ମୁଖ୍ୟ ପ୍ରଶିକ୍ଷକ ଆଲେକଜାଣ୍ଡର ଲିକ କହିଛନ୍ତି।