ଆଇପିଏଲ୍-୨୦୨୧ ଆରମ୍ଭ ହେବା ପୂର୍ବରୁ ସନ୍ତୁଳିତ ମୁମ୍ବାଇ ଇଣ୍ଡିଆନ୍ସ ଦଳକୁ ପୁଣି ଥରେ ଟାଇଟଲ ଫେବରିଟ୍ ଆଖ୍ୟା ମିଳିଥିଲା। ବହୁ ତାରକା ଖେଳାଳିଙ୍କ ଉପସ୍ଥିତି ପାଇଁ ଏହି ଦଳ ପରମ୍ପରା ଭାଙ୍ଗି ଆରମ୍ଭରୁ ଆଧିପତ୍ୟ ବିସ୍ତାର କରିବ ବୋଲି ଆଶା କରାଯାଉଥିଲା। ହେଲେ ଗତ ୬ ସଂସ୍କରଣ ଭଳି ଏଥର ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସ ପରାଜୟରୁ ତା’ର ଅଭିଯାନ ଆରମ୍ଭ କଲା। ତା ପରେ ଲଗାତାର ଛୋଟିଆ ସ୍କୋର କରି ପରାଜୟ ପରେ ପରାଜୟ ବରଣ କଲା। ଏବେ ଦଳର ପ୍ଲେ ଅଫ୍ ଆଶା ଦୋହଲିବା ଆରମ୍ଭ ହୋଇଗଲାଣି। ଏହାର ମୁଖ୍ୟ କାରଣ ହେଉଛି କ୍ରମାଗତ ଭାବେ ନିରାଶ କରି ଚାଲିଥିବା ମଧ୍ୟକ୍ରମ ବ୍ୟାଟିଂ।

Advertisment

ମୁମ୍ବାଇ ମଧ୍ୟକ୍ରମରେ ବହୁ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଥିଲେ ମଧ୍ୟ ସେମାନଙ୍କ ବ୍ୟାଟ୍ ଆପାତତଃ ଶାନ୍ତ ରହିଛି। ଗୁରୁବାରର ପ୍ରଥମ ମୁକାବିଲାରେ ମୁମ୍ବାଇ ଯେତେବେଳେ ରାଜସ୍ଥାନକୁ ଭେଟିବ ସେତେବେଳେ ଏହି ଦୁର୍ବଳତା ଦୂର କରିବାକୁ ଭରପୁର ଚେଷ୍ଟା‌ କରିବ। ଏହି ଦୋଷ ଦୂର ନକଲେ ଆଗକୁ ଦଳକୁ ଅଧିକ ଓ ବଡ଼ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ। ଚେନ୍ନାଇ ପର୍ଯ୍ୟାୟରେ ଲଗାତାର ପରାଜୟ ‌ହାସଲ କରିବା ପରେ ଦିଲ୍ଲୀ ପର୍ଯ୍ୟାୟରେ ମୁମ୍ବାଇ ଇଣ୍ଡିଆନ୍ସର ଭାଗ୍ୟ ଉଦୟ ହେବ ବୋଲି ବି ପ୍ରଶଂସକ ଆଶା ରଖିଛନ୍ତି। ସେପଟେ ନିଜ ଗତ ମ୍ୟାଚ୍‌ରେ କୋଲକାତା ନାଇଟ୍ ରାଇଡର୍ସକୁ ୬ ୱିକେଟ୍‌ରେ ହରାଇଥିବା ରାଜସ୍ଥାନ ରୟାଲ୍ସ ଏହି ଧାରାକୁ ଆଗେଇ ନେବା ଆଶାରେ ରହିବ। ମୁମ୍ବାଇ ଅଧିନାୟକ ରୋହିତ ଶର୍ମା (ମୋଟ ୨୦୧ ରନ୍) ଭଲ ଆରମ୍ଭ ପାଇଥିଲେ ମଧ୍ୟ ଏହାକୁ ବଡ଼ ‌ସ୍କୋରରେ ରୂପାନ୍ତର କରିପାରିନାହାନ୍ତି। ଅନ୍ୟତମ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ କ୍ବିଣ୍ଟନ୍ ଡି’ କକ୍ କିନ୍ତୁ ଅତ୍ୟନ୍ତ ଖରାପ ଖେଳି ମୋଟା‌ମୋଟି ମାତ୍ର ୪୭ ରନ୍ କରିଛନ୍ତି। ଈଶାନ କିଶନ, ହାର୍ଦିକ ପାଣ୍ଡ୍ୟା, କ୍ରୁନାଲ ପାଣ୍ଡ୍ୟା ଓ କିରଣ ‌ପୋଲାର୍ଡ ସବୁଠୁ ଅଧିକ ନିରାଶ କରିଛନ୍ତି। ସୂର୍ଯ୍ୟକୁମାର ଯାଦବ ବି ସେତେଟା ଭଲ କରିନାହାନ୍ତି। ବୋଲିଂରେ ଯଶପ୍ରୀତ ବୁମ୍‌ରା ଓ ଟ୍ରେଣ୍ଟ ବୋଲ୍ଟଙ୍କ ସହ ସ୍ପିନର ରାହୁଲ ଚହର, କ୍ରୁନାଲ ପ୍ରଭାବଶାଳୀ ପ୍ରଦର୍ଶନ ଦେଉଛନ୍ତି।

publive-image

ଅନ୍ୟପକ୍ଷରେ ରାଜସ୍ଥାନ ରୟାଲ୍ସ ପାଇଁ ସମସ୍ୟା ଦିନକୁ ଦିନ ବଢ଼ି ବଢ଼ି ଚାଲିଛି। ଜୋର୍ଫା ଆର୍ଚର, ବେନ୍ ଷ୍ଟୋକ୍ସ, ଲିଆମ ଲିଭିଂଷ୍ଟୋନ, ଆଣ୍ଡ୍ର୍ୟୁ ଟାଏ ଲିଗ୍ ଛାଡ଼ି ସାରିଛନ୍ତି। ମନନ ଭୋରା ଓ ଯଶସ୍ବୀ ଜୟସ୍ବାଲ ଏବେ ବି ବଡ଼ ସ୍କୋର ପାଇଁ ସଂଘର୍ଷ କରୁଛନ୍ତି। ଶିଭମ ଦୁବେ, ଡେଭିଡ୍ ମିଲର, ରିୟାନ ପରାଗଙ୍କ ଅସ୍ଥିର ପ୍ରଦର୍ଶନ ଦଳ ପାଇଁ ଚିନ୍ତାର କାରଣ ହୋଇଛି। ଅଧିନାୟକ ସଞ୍ଜୁ ସାମସନ୍ ଦଳର ସର୍ବାଧିକ ରନ୍ ସ୍କୋରର ଥିଲା ବେଳେ ସେ ବି ଠିକଣା ସମୟରେ ନିଜ ୱିକେଟ୍ ଫିଙ୍ଗି ଦେଉଥିବା ଦେଖିବାକୁ ମିଳିଛି। ଚେତନ ସାକାରିଆ ବିଶେଷଜ୍ଞଙ୍କ ଧ୍ୟାନ ଆକର୍ଷଣ କରିଛନ୍ତି। ଅନ୍ୟ ଦୁଇ ଦ୍ରୁତ ବୋଲର ଜୟଦେବ ଉନାଦକଟ ଓ ମୁସ୍ତାଫିଜୁର ରହମାନ ସ୍ଥିର ପ୍ରଦର୍ଶନ ଦେଇ ପାରୁ ନାହାନ୍ତି। ଅଲରାଉଣ୍ଡର ରାହୁଲ ତିୱାତିଆ ଗତ ୫ ମ୍ୟାଚ୍‌ରୁ ମାତ୍ର ଗୋଟିଏ ୱିକେଟ୍ ପାଇଛନ୍ତି। ଦଳର ଅନ୍ୟତମ ଲେଗ୍ ସ୍ପିନର ଶ୍ରେୟସ୍ ଗୋପାଳ ଗତ ଦୁଇ ମ୍ୟାଚ୍‌ରେ ୱିକେଟ୍ ଶୂନ୍ୟ ରହିଛନ୍ତି। ତେବେ ଦିଲ୍ଲୀରେ ଅମିତ ମିଶ୍ରାଙ୍କ ସଫଳତାକୁ ଦେଖି ମୁମ୍ବାଇ ବିପକ୍ଷରେ ଉଭୟ ଭଲ କରିବେ ବୋଲି ରାଜସ୍ଥାନ ଆଶା ରଖିଛି। ଗୁରୁବାର କାକର କୌଣସି ସମସ୍ୟା ହେବନି। କାରଣ ଏହି ମ୍ୟାଚ୍ ଅପରାହ୍‌ଣରେ ଖେଳାଯିବ।

ମୁମ୍ବାଇ ଇଣ୍ଡିଆନ୍ସ: ରୋହିତ ଶର୍ମା (ଅଧିନାୟକ), ଈଶାନ କିଶନ, କ୍ବିଣ୍ଟନ୍ ଡି’କକ୍‌, ରାହୁଲ ଚହର, ସୌରଭ ତିୱାରୀ, ସୂର୍ଯ୍ୟକୁମାର ଯାଦବ, ଟ୍ରେଣ୍ଟ୍ ବୋଲ୍ଟ, ଆଦାମ ମିଲନେ, ନାଥନ୍ କୁଲଟର୍ ନାଇଲ, ପୀୟୂଷ ଚାୱଲା, ଜିମ୍ମି ନିସାମ, ଆଦିତ୍ୟ ତାରେ, କୃନାଲ ପାଣ୍ଡ୍ୟା, ‌ମୋହସିନ୍‌ ଖାନ୍‌, ଅନୁକୂଳ ରାୟ, ଅନମୋଲପ୍ରୀତ୍ ସିଂହ, କ୍ରିସ୍‌ ଲିନ୍, ଧବଲ କୁଲକର୍ଣ୍ଣି, ହାର୍ଦିକ ପାଣ୍ଡ୍ୟା, ଯଶପ୍ରୀତ୍ ବୁମରା, ଜୟନ୍ତ ଯାଦବ, କିରଣ ପୋଲାର୍ଡ, ଯୁଦ୍ଦବୀର ଚରକ, ମାର୍କୋ ଜେନସେନ୍‌, ଅର୍ଜୁନ ତେନ୍ଦୁଲକର।

ରାଜସ୍ଥାନ ରୟାଲ୍ସ ଦଳ: ସଂଜୁ ସାମସନ୍‌ (ଅଧିନାୟକ ଓ ୱିକେଟରକ୍ଷକ), ଜୋସ୍ ବଟ୍ଟଲର୍‌, ବେନ୍ ‌ଷ୍ଟୋକ୍ସ, ଯଶସ୍ବୀ ଜୟସ୍ବାଲ, ମନନ ଭୋରା, ଅନୂଜ ରାୱତ, ରିୟାନ୍ ପରାଗ, ଡେଭିଡ୍‌ ମିଲର୍‌, ରାହୁଲ ତିୱାତିଆ, ମହିପାଲ୍‌ ଲୋମରର, ଶ୍ରେୟସ ଗୋପାଳ, ମୟଙ୍କ ମାର୍କେଣ୍ଡେ, ଅଣ୍ଡ୍ରିଉ ଟାଇ, ଜୟଦେବ ଉନାଦକତ୍‌, କାର୍ତିକ ତ୍ୟାଗୀ, ଶିଭମ ଦୁବେ, କ୍ରିସ୍‌ ମୋରିସ୍‌, ମୁସ୍ତାଫିଜୁର ରହମାନ, ଚେତନ ସାକାରିଆ, କେସି କାରିଆପ୍ପା, ଲିଆମ୍‌ ଲିଭିଙ୍ଗଷ୍ଟୋନ୍‌, କୁଲଦୀଦ ଯାଦବ, ଆକାଶ ସିଂହ।