କଟକ ଓଡ଼ିଶା ବ୍ୟାଡ୍ମିଣ୍ଟନ ସ˚ଘର ସମ୍ପାଦକ ପ୍ରଦୀପ ମହାନ୍ତିଙ୍କ ପରଲୋକ ଘଟିଛି। ଗତ ଦୁଇ ମାସ ଧରି କିଡ୍ନୀ ଜନିତ ସମସ୍ୟାରେ ସେ ପୀଡ଼ିତ ଥିବାବେଳେ କିଛି ଦିନ ତଳୁ ଭୁବନେଶ୍ବରସ୍ଥିତ ଏକ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧିନ ଅବସ୍ଥାରେ ମଙ୍ଗଳବାର ସକାଳ ପ୍ରାୟ ସାଢେ ୫ଟା ବେଳେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା। ଶେଷ ସମୟରେ ପତ୍ନୀ ନିଲୁ ମହାନ୍ତି, ଶାଳକ ବିଭୂତି ଭୂଷଣ ଦାସ, ଅନନ୍ତ ନାରାୟଣ ପଟ୍ଟନାୟକ, ଆଇନଜୀବୀ ସାର୍ଥକ ପ୍ରଧାନ, ଋତୁପର୍ଣ୍ଣା ଦାସ ତାଙ୍କ ପାଖରେ ଉପସ୍ଥିତ ଥିଲେ। ଅପରାହ୍ନରେ ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ବେଳେ ଦାଦା ପୁଅ ଭାଇ ଲୋକନାଥ ମହାନ୍ତି ମୁଖାଗ୍ନି ଦେଇଥିଲେ।
ପ୍ରଦୀପ ଓଡ଼ିଶା ବ୍ୟାଡ୍ମିଣ୍ଟନ ସ˚ଘର ସମ୍ପାଦକ ଭାବେ ୨୦୦୯ ମସିହାରୁ କାର୍ଯ୍ୟ କରୁଥିବା ବେଳେ ୨୦୧୭ରେ ଦୀର୍ଘ ଦିନ ଧରି ଖାଲି ପଡ଼ିଥିବା ଭାରତୀୟ ବ୍ୟାଡ୍ମିଣ୍ଟନ ସ˚ଘର ଯୁଗ୍ମ ସମ୍ପାଦକ ଭାବେ ଦାୟିତ୍ବ ନେଇଥିଲେ। ସେ ସମୟରେ ପ୍ରଦୀପ ଭାରତୀୟ ବରିଷ୍ଠ ବ୍ୟାଡ୍ମିଣ୍ଟନ ଦଳର ପ୍ରବନ୍ଧକ ଭାବେ ଇଣ୍ତୋନେସିଆ ଓପନ୍ ବିଶ୍ବ ସୁପର ସିରିଜ ପ୍ରିମିୟର ପ୍ରତିଯୋଗିତାକୁ ଯାଇଥିଲେ। ପ୍ରତିଯୋଗିତା ମଧ୍ୟଭାଗ ବେଳକୁ ତାଙ୍କୁ ଭାରତୀୟ ସ˚ଘର ଯୁଗ୍ମ ସମ୍ପାଦକ ଦାୟିତ୍ବ ମିଳିଥିଲା। ପରେ ୨୦୧୮ରେ ସେ ଭାରତୀୟ ସ˚ଘର ଯୁଗ୍ମ ସମ୍ପାଦକ ଭାବେ ପୁନଃ ନିର୍ବାଚିତ ହୋଇଥିଲେ। ଏଥିସହିତ ଭାରତରେ ଆୟୋଜିତ ହେବାକୁଥିବା ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତିକ ପ୍ରତିଯୋଗିତାର ଆବାହକ ଭାବେ ନୂଆ ନିଯୁକ୍ତି ମଧ୍ୟ ମିଳିଥିଲା। ଏହି ବର୍ଷ ବ୍ୟାଙ୍କକ୍ରେ ଆୟୋଜିତ ଥୋମାସ ଓ ଉବେର କପ୍ରେ ଭାରତୀୟ ବରିଷ୍ଠ ଦଳର ଦ୍ବିତୀୟ ଥର ପାଇଁ ପ୍ରବନ୍ଧକ ଭାବେ ଦାୟିତ୍ବ ନିର୍ବାହ କରିଥିଲେ। ଏଥିସହିତ ଭାରତୀୟ ପାରା ବ୍ୟାଡମିଣ୍ଟନ ସ˚ଘର ଅଧ୍ୟକ୍ଷ ଭାବେ ସେ କାର୍ଯ୍ୟ କରିଆସୁଥିଲେ। ଭାରତୀୟ ସ˚ଘ ଦ୍ବାରା ଆୟୋଜିତ ହୋଇଥିବା ଏକାଧିକ ଜାତୀୟ ପ୍ରତିଯୋଗିତାରେ ସେ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ହୋଇଛନ୍ତି। ରାଜ୍ୟ ତଥା ଦେଶରେ ବ୍ୟାଡ୍ମିଣ୍ଟନର ପ୍ରଚାର ପ୍ରସାର ପାଇଁ ତାଙ୍କର ଅବଦାନ ଅନେକ ଥିଲା। ନିକଟରେ ଭୁବନେଶ୍ବରରେ ଏକ ବିଶ୍ବସ୍ତରୀୟ ବ୍ୟାଡ୍ମିଣ୍ଟନ ଏକାଡେମି କରିବା ପାଇଁ ସେ ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରିଥିଲେ। ହେଲେ ତାଙ୍କର ବିୟୋଗ ପରେ ଏହି ସ୍ବପ୍ନ ଅଧୁରା ରହିଯାଇଥିବା ବ୍ୟାଡ୍ମିଣ୍ଟନପ୍ରେମୀମାନେ କହିଛନ୍ତି। ବ୍ୟାଡ୍ମିଣ୍ଟନ ବ୍ୟତୀତ ପୂର୍ବରୁ ଓଡ଼ିଶା ଫିଲାଟେଲିକ୍ ସ˚ଘର ସ˚ପାଦକ ଭାବେ କାର୍ଯ୍ୟ କରିଥିଲା ବେଳେ ଡାକଟିକଟ ସ˚ଗ୍ରହ ଓ ଫୁଲ ପ୍ରଦର୍ଶନୀରେ ତାଙ୍କର ସଉକ ରହିଥିଲା। ମଙ୍ଗଳବାର ତାଙ୍କର ମର ଶରୀରକୁ କନିକା ଛକସ୍ଥିତ ବାସଭବନକୁ ଅଣାଯିବା ପରେ ଅନେକ କ୍ରୀଡ଼ାପ୍ରେମୀ ଓ ଶୁଭେଚ୍ଛୁ ଶେଷ ଦର୍ଶନ କରିଥିଲେ। ପରେ କମଳାକାନ୍ତ ବିଦ୍ୟାପୀଠରେ ରହିଥିବା ବ୍ୟାଡ୍ମିଣ୍ଟନ ପ୍ରଶିକ୍ଷଣ କେନ୍ଦ୍ରକୁ ତାଙ୍କର ମର ଶରୀର ନିଆଯାଇଥିଲା। ସେଠାରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବା ପରେ ପୁରୀ ସ୍ବର୍ଗଦ୍ବାରରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ପ୍ରଦୀପଙ୍କ ନିଧନରେ ଓଡ଼ିଶା ବ୍ୟାଡମିଣ୍ଟନ ସଂଘ ଏବଂ ଫିଲାଟେଲିକ୍ ସଂଘ ଗଭୀର ଶୋକ ବ୍ୟକ୍ତ କରିଛନ୍ତି।
ଅଧା ରହିଗଲା ଆନ୍ତର୍ଜାତିକ ବ୍ୟାଡ୍ମିଣ୍ଟନ ଏକାଡେମି ସ୍ବପ୍ନ
ଓଡ଼ିଶା ବ୍ୟାଡ୍ମିଣ୍ଟନ ସ˚ଘ ସମ୍ପାଦକ ପ୍ରଦୀପ ମହାନ୍ତିଙ୍କ ପରଲୋକ
/sambad/media/post_attachments/wp-content/uploads/2019/02/1-Pradip-Mohanty1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)